ଅସୁସ୍ଥ ଥିବାବେଳେ ମାଟି ତାଡ଼ି ନେଲା ବିଭାଗ

 କେନ୍ଦ୍ରାପଡ଼ା : ଜଣେ ବ୍ୟକ୍ତି ଅସୁସ୍ଥ ଥିବାବେଳେ ଏହାର ଫାଇଦା ନେଇ ଜଳସମ୍ପଦ ବିଭାଗ ସମ୍ପୃକ୍ତ ବ୍ୟକ୍ତିଙ୍କ ଜମିରୁ ମାଟି ତାଡ଼ି ନେଇଛି । ଏ ନେଇ ବ୍ୟକ୍ତି ଜଣକ ପ୍ରଥମେ ବିଭାଗୀୟ ସହକାରୀ ଯନ୍ତ୍ରୀ ଓ ପରେ ବିଭାଗୀୟ ଅଧୀକ୍ଷଣ ଯନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିଥିଲେ । ହେଲେ ସେଠାରୁ ନ୍ୟାୟ ନ ପାଇବାରୁ ଏବେ ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶଘାଇ ବ୍ଲକ ପିକରାଳି ଗ୍ରାମର ସୁବ୍ରତ କୁମାର ମିଶ୍ର ତାଙ୍କ ଅଭିଯୋଗପତ୍ରରେ ଦର୍ଶାଇଛନ୍ତି ତାଙ୍କର ଯକୃତ ଜନିତ ରୋଗ ବାହାରିବାରୁ ସେ ଡାକ୍ତରଖାନାରେ ଭତ୍ତି ହୋଇଥିଲେ । ୨୦୨୪ ମସିହା ଡିସେମ୍ବର ୧୨ ତାରିଖରେ ତାଙ୍କ ଶରୀରରେ ଯକୃତ ପ୍ରତିରୋପଣ ହୋଇଥିଲା । ଏଥିପାଇଁ ତାଙ୍କ ପରିବାରର ସମସ୍ତ ସଦସ୍ୟ କଟକ ସିଡିଏ ସେକ୍ଟର-୯ରେ ଥିବା ଜଣେ ସମ୍ପର୍କୀୟଙ୍କ ଘରେ ରହିଥିଲେ । ଭୁବନେଶ୍ୱରରେ ଥିବା ଏକ ଘରୋଇ ଡାକ୍ତରଖାନାରେ ତାଙ୍କର ଯକୃତ ପ୍ରତିରୋପଣ ହୋଇଥିଲା । ପରିବାର ସଦସ୍ୟଙ୍କ ଅନୁପସ୍ଥିତିରେ ଜଳସମ୍ପଦ ବିଭାଗ ତାଙ୍କ ଜମିର ୧୦ ହଜାର ଫୁଟ୍ ଚଉଡା ଓ ୧୫ ଫୁଟ୍ ଗଭୀରତାରୁ ମାଟି ତାଡି ନେଇଥିଲା । ସେ ମେ’ ୧୩ ତାରିଖରେ ଗାଁକୁ ଫେରିଥିଲେ । ଗାଁକୁ ଫେରିବା ପରେ ସେ ଜାଣିବାକୁ ପାଇଥିଲେ ଯେ ଜଳସମ୍ପଦ ବିଭାଗ ତାଙ୍କ ଜମିରୁ ମାଟି ତାଡି ନେଇଛି । ତେଣୁ ଏ ନେଇ ସେ ଜଳସମ୍ପଦ ବିଭାଗ ପୁନ୍ଦାଳ ଉପଖଣ୍ଡର ସହକାରୀ ଯନ୍ତ୍ରୀ ଗଦାଧର ବାରିକଙ୍କ ସହ ଯୋଗାଯୋଗ କରିଥିଲେ । କିନ୍ତୁ କିଛି ଲାଭ ହେଲାନାହିଁ । କାରଣ ସେ ଏହାକୁ ହାଲୁକା ଭାବେ ଗ୍ରହଣ କଲେ । ତେଣୁ ସେ ମହାନଦୀ ଡିଭିଜନର ଅଧୀକ୍ଷଣ ଯନ୍ତ୍ରୀ ସନ୍ଦୀପ କୁମାରଙ୍କୁ ଯୋଗାଯୋଗ କରିଥିଲେ । ଏହାସହ ତାଙ୍କୁ ଅଭିଯୋଗପତ୍ର ଦେଇଥିଲେ । ଅଧୀକ୍ଷଣ ଯନ୍ତ୍ରୀ ଏହି ଘଟଣାର ତଦନ୍ତ କରିବା ପାଇଁ ସହକାରୀ ଯନ୍ତ୍ରୀଙ୍କୁ ନିଦେ୍ର୍ଦଶ ଦେଇଥିଲେ । ସହକାରୀ ଯନ୍ତ୍ରୀ ତଦନ୍ତ ନକରି ମୋତେ ଫୋନ କରି କହିଲେ ଯେଉଁ ଜମିରୁ ମାଟି ଉଠିଛି ସେ ଜମି ତୁମର ନୁହେଁ । ଏହାପରେ ସୁବ୍ରତ ତାଙ୍କ ଜମିର ପ୍ରମାଣପତ୍ର ଓ ଯେଉଁ ଜମିରୁ ମାଟି ଖୋଳାଯାଇଛି ତାହାର ଭିଡିଓ କରି ଅଧୀକ୍ଷଣ ଯନ୍ତ୍ରୀ ସନ୍ଦୀପ କୁମାରଙ୍କ ନିକଟକୁ ପଠାଇଥିଲେ । ଏହାସହ ଏହାର ନିରପେକ୍ଷ ତଦନ୍ତ କରିବା ପାଇଁ ଅନୁରୋଧ କରିଥିଲେ । ମେ’ ୧୭ ତାରିଖରେ ସହକାରୀ ଯନ୍ତ୍ରୀ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ସାଙ୍ଗରେ ନେଇ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଥିଲେ । ଏହି ସମୟରେ ଗ୍ରାମର କେତେକ ଭଦ୍ରଲୋକ ଉପସ୍ଥିତ ଥିଲେ । କିନ୍ତୁ ସହକାରୀ ଯନ୍ତ୍ରୀ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀ ଗାଁର ଭଦ୍ରଲୋକଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିଥିଲେ । ଏହାଦ୍ୱାରା ସେ ନ୍ୟାୟ ପାଇବାରୁ ବଞ୍ଚôତ ହୋଇଥିଲେ । ତେଣୁ ବାଧ୍ୟହୋଇ ସେ ସର୍ବୋଚ୍ଚ ଯନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିଥିବା କହିଛନ୍ତି । ଏ ସଂକ୍ରାନ୍ତରେ ପ୍ରତିକ୍ରିୟା ନେବା ପାଇଁ ଅଧୀକ୍ଷଣ ଯନ୍ତ୍ରୀ ସନ୍ଦୀପ କୁମାରଙ୍କୁ ପଚାରିବାରୁ ସେ କହିଲେ ବିଭାଗ ଠିକାଦାରଙ୍କ ସହ ଚୁକ୍ତି କରିଥିଲା ରାସ୍ତା କାମରେ ମାଟି ପକାଇବା ପାଇଁ । ମାଟି ପକା କାର୍ଯ୍ୟ ୪ ମାସ ତଳୁ ଶେଷ ହୋଇଛି । ଆମ ବିଭାଗ କାର୍ଯ୍ୟରେ ସଂପୃକ୍ତ ବ୍ୟକ୍ତିଙ୍କ ମାଟି ଯଦି ବ୍ୟବହାର ହୋଇଛି ତେବେ ସେ ସଂପୃକ୍ତ ଠିକାଦାରଙ୍କ ବିରୋଧରେ ଅଭିଯୋଗ କରନ୍ତୁ । ଠିକାଦାର କେଉଁଠାରୁ ମାଟି ଆଣି ରାସ୍ତା ନିର୍ମାଣ କାର୍ଯ୍ୟରେ ବ୍ୟବହାର କରିବେ ସେଥିପାଇଁ ବିଭାଗ ଦାୟୀ ନୁହେଁ ବୋଲି ସେ କହିଛନ୍ତି  ।