ଆଇଆରସିର ୮୪ତମ ଅଧିବେଶନ ଆରମ୍ଭ : "ଓଡ଼ିଶାରେ ଚାଲିବ ହାଇଡ୍ରୋଜେନ ଗାଡି'
- ସଡ଼କ ଦୁର୍ଘଟଣା ହ୍ରାସ ପାଇଁ ଆହ୍ୱାନ
- ରାସ୍ତା ତିଆରିରେ କଠିନ ବର୍ଜ୍ୟବସ୍ତୁ ବ୍ୟବହାର ପାଇଁ ପରାମର୍ଶ
- ଓଡ଼ିଶାକୁ ମିଳିବ ହଜାରେ କୋଟି
- ସମୃଦ୍ଧ ଓଡିଶା ଗଠନ ପାଇଁ ବିସ୍ତୃତ ଭିତ୍ତିଭୂମି ମାଷ୍ଟର ପ୍ଲାନ ପ୍ରସ୍ତୁତ କରାଯାଉଛି : ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ଭୁବନେଶ୍ୱର ଜନତା ମଇଦାନ ଠାରେ ଆଜି ଇଣ୍ଡିଆନ ରୋଡ୍ସ କଂଗ୍ରେସ (ଆଇଆରସି)ର ୮୪ତମ ବାର୍ଷିକ ଅଧିବେଶନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ କେନ୍ଦ୍ର ସଡକ ପରିବହନ ଓ ରାଜପଥ ମନ୍ତ୍ରୀ ନୀତୀନ ଗଡକରୀଙ୍କ ଦ୍ୱାରା ଉଦଘାଟିତ ହୋଇଛି । ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମରେ ଦେଶବିଦେଶର ୩୫୦୦ରୁ ଅଧିକ ଇଞ୍ଜିନିୟର, ବୈଷୟିକ ବିଶେଷଜ୍ଞ, ପ୍ରଦର୍ଶକ, ପ୍ରତିନିଧି ଓ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଛନ୍ତି ।
ଏହି ଅବସରରେ କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ଓଡିଶା ପାଇଁ ୧୦୦୦ କୋଟି ଟଙ୍କାର କେନ୍ଦ୍ରୀୟ ସଡକ ଭିତ୍ତିଭୂମି ପାଣ୍ଠି ଘୋଷଣା କରିଛନ୍ତି । ଏଥି ସହିତ ସେ କହିଥିଲେ ଯେ, ଆଜି ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ବର୍ଜ୍ୟବସ୍ତୁକୁ ବ୍ୟବହାର କରି ସଡକ ନିର୍ମାଣ କରାଯାଉଛି । ତେଣୁ ଭୁବନେଶ୍ୱରର କଠିନ ବର୍ଜ୍ୟବସ୍ତୁକୁ ସଡକ ନିର୍ମାଣ କ୍ଷେତ୍ରରେ ଉପଯୋଗ କରି ସ୍ୱଚ୍ଛ ଭୁବନେଶ୍ୱର ଗଠନ କରିବାକୁ ପରାମର୍ଶ ଦେଇଥିଲେ । ସେ କହିଥିଲେ ଯେ, ଭାରତୀୟ ସଡକ କଂଗ୍ରେସ ହେଉଛି ଭାରତୀୟ ରୋଡ ଇଞ୍ଜିନିୟରିଙ୍ଗ୍ର ଆତ୍ମା । ଏହି ସମାବେଶ ହେଉଛି ସଡକ ଭିତ୍ତିଭୂମି ନିର୍ମାଣ, ଗବେଷଣା, ଇଞ୍ଜିନିୟରିଙ୍ଗ୍ ଓ ଇନୋଭେସନ୍ ପାଇଁ ଏକ ଜ୍ଞାନର ପ୍ଲାଟଫର୍ମ । ଯଶସ୍ୱୀ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ସଡକ ନିର୍ମାଣ କ୍ଷେତ୍ରରେ ଦେଶ ଆଜି ଅଗ୍ରଗତି କରିଛି, ଯାତାୟାତ ସମୟ ହ୍ରାସ ପାଇଛି । ଆଗାମୀ କିଛି ଦିନ ଭିତରେ ଭାରତ ସଡକ ନେଟୱର୍କ କ୍ଷେତ୍ରରେ ବିଶ୍ୱରେ ଏକ ନମ୍ବର ହେବାକୁ ଯାଉଛି । ଦେଶବ୍ୟାପୀ ଉନ୍ନତ ମାନର ସଡକ ନିର୍ମାଣ ପାଇଁ ୨ ଲକ୍ଷ ୮୭ ହଜାର କୋଟି ଟଙ୍କାର ପ୍ରାବଧାନ ରହିଛି । ସଡକ ଦୁର୍ଘଟଣା କାରଣରୁ ଦେଶରେ ବର୍ଷକୁ ୧ ଲକ୍ଷ ୮୦ ହଜାର ଲୋକଙ୍କ ପ୍ରାଣହାନି ଘଟିବାକୁ ନେଇ କେନ୍ଦ୍ର ମନ୍ତ୍ରୀ ଚିନ୍ତାବ୍ୟକ୍ତ କରିବା ସହିତ ସଡକ ସୁରକ୍ଷା ଏବଂ ଦୁର୍ଘଟଣା ହ୍ରାସ ପାଇଁ ସରକାରୀ ସ୍ତରରେ ହେଉଥିବା ପ୍ରୟାସ ଉପରେ ଆଲୋକପାତ କରିଥିଲେ । ଭୁଲ ଡିପିଆର ଯୋଗୁଁ ଦୁର୍ଘଟଣା ହେଉଛି । ଡିପିଆରରେ ତ୍ରୁଟି ଯୋଗୁଁ ଅଧିକାଂଶ ଦୁର୍ଘଟଣା ଘଟୁଛି । ଆମେ ଏହାକୁ ହାଲୁକା ଭାବେ ନେଇ କୌଣସି ସୁଧାର କରିନଥାଉ । ଡିପିଆର ଆମର ମେରୁଦଣ୍ଡ, ଏହା ପରଫେକ୍ଟ ହେବା ଦରକାର । ଏଣିକି ଶସ୍ତା ଡିପିଆରକୁ ଗ୍ରହଣ ନକରି କ୍ୱାଲିଟି ଡିପିଆରକୁ ଗୁରୁତ୍ୱ ଦେଉଛୁ । ସଡକ ସୁରକ୍ଷା ପ୍ରତି ଧ୍ୟାନ ଦେବାକୁ ହେବ । ସଡକ ଦୁର୍ଘଟଣାକୁ ସମାପ୍ତ କରିବାକୁ ହେବ । କାରଣ ଦୁର୍ଘଟଣାରେ ପ୍ରତିଦିନ ୪୨୦ଜଣଙ୍କ ମୃତ୍ୟୁ ହେଉଛି । ସେଥିମଧ୍ୟରୁ ୬୬ ପ୍ରତିଶତ ୧୮ରୁ ୩୬ ବର୍ଷ ବୟସର । ଭୂସ୍ଖଳନ ସ୍ଥାନ ଓ ବ୍ଲାକ ସ୍ପଟ ଚିହ୍ନଟ କରନ୍ତୁ, ସଡକ ସୁରକ୍ଷାକୁ ଗୁରୁତ୍ୱ ଦିଆଯାଉ ବୋଲି ଗଡକରୀ କହିଥିଲେ । ଏହାସହ ଓଡିଶାରେ ସବୁଜ ହାଇଡ୍ରୋଜେନ ଗାଡି ଚାଲିବା ନେଇ ଘୋଷଣା କରିଥିଲେ । ସବୁଜ ହାଇଡ୍ରୋଜେନ ଚାଳିତ ବାହନ ଚଳାଚଳ ପାଇଁ ୧୦ଟି ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି, ସେଥିମଧ୍ୟରୁ ଗୋଟିଏ ଓଡିଶାରେ ରହିଛି । ହାଇଡ୍ରୋଜେନ ଭଳି ସବୁଜ ଇନ୍ଧନ କ୍ଷେତ୍ରରେ ନିର୍ଭରଶୀଳତା ଦେଶର ତୈଳ ଆମଦାନୀ ହ୍ରାସ କରିବ ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍ଘାଟନୀ ଉଦବୋଧନ ଦେଇ କହିଥିଲେ ଯେ, ୨୦୧୪ ମସିହାରେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ଦାୟିତ୍ୱ ନେବା ଠାରୁ ସଡକ ନିର୍ମାଣ କ୍ଷେତ୍ରରେ ଦ୍ରୁତ ଉନ୍ନତି ଆସିଛି । ପ୍ରଧାନମନ୍ତ୍ରୀଙ୍କ ଦିଗ୍ଦର୍ଶନ ଓ କେନ୍ଦ୍ର ସଡକ ପରିବହନ ଓ ରାଜପଥ ମନ୍ତ୍ରୀଙ୍କ କାର୍ଯ୍ୟଦକ୍ଷତା ଯୋଗୁ ଆଜି ଉତ୍ତମ ସଡକ ନିର୍ମାଣ କ୍ଷେତ୍ରରେ ଦେଶବ୍ୟାପୀ ବ୍ୟାପକ ପରିବର୍ତ୍ତନ ଆସିଛି । ସ୍ୱାଧୀନତା ପରଠାରୁ ୨୦୧୪ ମସିହା ସୁଦ୍ଧା ଦେଶରେ ମାତ୍ର ୯୧ ହଜାର କିଲୋମିଟର ରାଜପଥ ନିର୍ମାଣ ହୋଇଥିବା ବେଳେ ୨୦୧୪ ରୁ ୨୦୨୪ ଅର୍ଥାତ୍ ମାତ୍ର ଦଶ ବର୍ଷରେ ୫୫ ହଜାର କିଲୋମିଟର ରାଜପଥ ନିର୍ମାଣ କରାଯାଇଛି । ଦେଶରେ ବିଶ୍ୱସ୍ତରୀୟ ସଡକ ନିର୍ମାଣର ଅଗ୍ରଗତି ସମ୍ଭବ ହୋଇଛି କେନ୍ଦ୍ର ମନ୍ତ୍ରୀ ଗଡକରୀଙ୍କ କାର୍ଯ୍ୟଦକ୍ଷତା ଓ ଦୂରଦୃଷ୍ଟୀ ଚିନ୍ତାଧାରା ଯୋଗୁ । ସେ ପୁଣି କହିଥିଲେ ୨୦୩୬ ସୁଦ୍ଧା ସମୃଦ୍ଧ ଓଡିଶା ଗଠନ ପାଇଁ ଆମେ ଓଡିଶାର ଅର୍ଥନୀତିକୁ ମଜବୁତ୍ କରୁଛୁ । ଏଥିପାଇଁ ଆମ ସରକାର ବନ୍ଦର, ସଡକ, ରେଳ ଏବଂ ବିମାନ ପରିବହନ କ୍ଷେତ୍ରର ବିକାଶ ଦିଗରେ ଉଦ୍ୟମ ଅବ୍ୟାହତ ରଖିଛି । ଓଡ଼ିଶା ରାଜ୍ୟ ରାଜପଥ ନୀତି-୨୦୨୫ ଏବଂ ଓଡ଼ିଶା ରାଜ୍ୟ ରାଜପଥ ଅଧିକାରୀ ଆଇନ-୨୦୨୫ କରାଯାଇଛି । ସମୃଦ୍ଧ ଓଡିଶା ଗଠନ ପାଇଁ ‘ବିସ୍ତୃତ ଭିତ୍ତିଭୂମି ମାଷ୍ଟର ପ୍ଲାନ’ ପ୍ରସ୍ତୁତ କରାଯାଉଛି । ୨୦୨୫-୨୬ ଆର୍ଥିକ ବର୍ଷରେ କେନ୍ଦ୍ର ସରକାର ଓଡିଶା ପାଇଁ ୧୩ ହଜାର ୬୯ କୋଟି ଟଙ୍କାର ଜାତୀୟ ରାଜପଥ ମଞ୍ଜୁର କରିଛନ୍ତି । କେନ୍ଦ୍ର ରାଜପଥ ମନ୍ତ୍ରୀଙ୍କ ଦ୍ୱାରା ୪ ହଜାର କୋଟି ଟଙ୍କାର ୧୯ଟି ସଡକ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଛି ଏବଂ ୧୩ଟି ପ୍ରକଳ୍ପ ପାଇଁ ୯ ହଜାର କୋଟି ଟଙ୍କା ମଧ୍ୟ ସେ ପୂର୍ବରୁ ମଞ୍ଜୁର କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ୫ ବର୍ଷ ମଧ୍ୟରେ ଆମ ସରକାର ୭୫ ହଜାର କିଲୋମିଟର ସଡକ ନିର୍ମାଣ ପାଇଁ ଲକ୍ଷ୍ୟ ରଖିଛନ୍ତି । ଓଡିଶାର ସଡକ ଗୁଡିକୁ ବିଶ୍ୱସ୍ତରୀୟ ମାନର କରିବା ପାଇଁ କେନ୍ଦ୍ର ମନ୍ତ୍ରୀ ଗୁରୁତ୍ୱ ଦେଉଛନ୍ତି । ଆଗାମୀ ଦିନରେ କେନ୍ଦ୍ର ମନ୍ତ୍ରୀଙ୍କର ଏହି ସହଯୋଗ ଓଡିଶାର ବିକାଶକୁ ଆହୁରି ତୀବ୍ର କରିବ ।
ପୂର୍ତ୍ତ, ଆଇନ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଥିଲେ ଯେ, ଦେଶରେ ଜାତୀୟ ରାଜପଥର ବିକାଶରେ ଭାରତୀୟ ସଡକ କଂଗ୍ରେସର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଓଡିଶାରେ ଏହି ଭଳି ସମ୍ମାନଜନକ ଆୟୋଜନ ଆମ ପାଇଁ ଗୌରବର କଥା । ଏହି ସମାବେଶରୁ ଯେଉଁ ନିଷ୍କର୍ଷ ଏବଂ ନୂଆ ଚିନ୍ତାଧାରା ବାହାରିବ, ସେଗୁଡିକ ଆମ ଦେଶର ସଡକ ନିର୍ମାଣ କ୍ଷେତ୍ରକୁ ସୁଦୃଢ କରିବାରେ ସାହାଯ୍ୟ କରିବ । କାର୍ଯ୍ୟକ୍ରମରେ ସଡକ ନିର୍ମାଣ, ଗବେଷଣା ଓ ଇଞ୍ଜିନିୟରିଙ୍ଗ କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ଓ ଅବଦାନ ରଖିଥିବା ବ୍ୟକ୍ତି ବିଶେଷମାନଙ୍କ ସମ୍ମାନିତ କରାଯାଇଥିଲା ଏବଂ ଏକ ସ୍ମରଣିକା ଉନ୍ମୋଚନ ହୋଇଥିଲା ।
ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଭାରତୀୟ ସଡକ କଂଗ୍ରେସର ସଭାପତି ପ୍ରଫେସର ମନୋରଞ୍ଜନ ପରିଡା, ମହାସଚିବ ରାହୁଲ ଗୁପ୍ତା ପ୍ରମୁଖ ସେମାନଙ୍କ ବକ୍ତବ୍ୟ ରଖିଥିଲେ । ପୂର୍ତ୍ତ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂହ ସମାବେଶକୁ ସମସ୍ତଙ୍କୁ ସ୍ୱାଗତ କରିଥିଲେ ।