ଆଇସିଡିଏସ୍କୁ ଆସୁଥିବା ଅର୍ଥ ବାଟମାରଣା
ଖଇରା : ଖଇରା ସମନ୍ନିତ ଶିଶୁ ବିକାଶ ପ୍ରକଳ୍ପ(ଆଇସିଡିଏସ୍)କୁ ଆସୁଥିବା ବିଭିନ୍ନ ଯୋଜନା ଅର୍ଥ ବାଟମାରଣା ହେଉଥିବା ଅଭିଯୋଗ ହୋଇଛି । ବିନା ଜିଏସ୍ଟିରେ ଜାଲି ଭାଉଚର ମାଧ୍ୟମରେ ସାମଗ୍ରୀ କ୍ରୟ କରି ଲକ୍ଷ ଲକ୍ଷ ଟଙ୍କା ବାଟମାରଣା କରାଯାଉଛି । ଗତ ଏକ ମାସ ତଳେ ସୁଭଦ୍ରା ସଚେତନତା ନାମରେ ଲକ୍ଷାଧିକ ଟଙ୍କା ହରିଲୁଟ୍ କରାଯିବା ଘଟଣା ଏହାର ଏକ ଜ୍ୱଳନ୍ତ ଉଦାହରଣ ପାଲଟିଛି । ସରକାର ରାଜ୍ୟବାସୀଙ୍କୁ ସଚେତନତା କରିବା ଲକ୍ଷ୍ୟରେ ସାରା ରାଜ୍ୟରେ ମାର୍ଚ୍ଚ ମାସ ୫ତାରିଖରେ ସଚେତନା କାର୍ଯ୍ୟକ୍ରମ କରାଯାଇଥିଲା । ବ୍ଲକ ସଦର ମହକୁମା ଠାରୁ ଆରମ୍ଭ କରି ପ୍ରତି ପଞ୍ଚାୟତରେ ଶୋଭାଯାତ୍ରା ଓ ପଥପ୍ରାନ୍ତ ସଭା ପାଇଁ ସରକାରୀ ସ୍ତରରେ ନିଦେ୍ର୍ଦଶ ଦିଆଯାଇଥିଲା । ଏହି ସଚେତନତା ପାଇଁ ଖଇରା ବ୍ଲକକୁ ସର୍ବାଧିକ ଅର୍ଥ ଯୋଗାଇ ଦିଆଯାଇଥିବା ବେଳେ ସିଂହଭାଗ ଅର୍ଥ ବାଟମାରଣା ହୋଇଥିବା ନେଇ ଅଭିଯୋଗ ହୋଇଛି । ଏହି ବାଟମାରଣା ହୋଇଥିବା ଅର୍ଥର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ୩୭ପଞ୍ଚାୟତର ଅଧିବାସୀ ଦାବି କରିଛନ୍ତି । ଖଇରା ବ୍ଲକରେ ତଥା ୩୭ ପଞ୍ଚାୟତରେ ସଚେତନତା କାର୍ଯ୍ୟ ପାଇଁ ୧୨ଟି ବ୍ଲକ ସହିତ ସଦର ବ୍ଲକ ଓ ବାଲେଶ୍ୱର ପୌରପରିଷଦକୁ ମିଶାଇ ମୋଟ ୩୧ଲକ୍ଷ ୬୫ ହଜାର ଟଙ୍କା ପ୍ରଦାନ କରାଯାଇଥିଲା । ଏଥିମଧ୍ୟରେ ଖଇରା ବ୍ଲକକୁ ସର୍ବାଧିକ ୩ଲକ୍ଷ ୭ହଜାର ୫ଶହ ଟଙ୍କା ପ୍ରଦାନ କରାଯାଇଥିଲା । ଏଥିମଧ୍ୟରୁ ପ୍ରତି ପଞ୍ଚାୟତକୁ ୫ହଜାର କରି ୩୭ପଞ୍ଚାୟତକୁ ୧ଲକ୍ଷ ୮୫ହଜାର ଟଙ୍କା ଦିଆଯାଇଥିଲା । ବାକି ୧ଲକ୍ଷ୨୨ହଜାର ଟଙ୍କା ବ୍ଲକରେ ଆୟୋଜିତ କାର୍ଯ୍ୟକ୍ରମରେ ଖର୍ଚ୍ଚ କରାଯାଇଥିବା ନେଇ କୁହାଯାଉଛି । ଏହି ସଚେତନତା କାର୍ଯ୍ୟକ୍ରମ ବ୍ଲକରୁ ମେଡିକାଲ ଛକ ପର୍ଯ୍ୟନ୍ତ ଯେଉଁ ରାଲି ଅନୁଷ୍ଠିତ ହୋଇଥିଲା, ସେଥିରେ ସର୍ବାଧିକ ୧ଶହ ମହିଳା ସାମିଲ ହୋଇଥିଲେ । ଏହି ମହିଳା ମାନଙ୍କ ପାଇଁ ଟିଫିନ୍ ଓ ପ୍ଲାକାର୍ଡ ବାବଦରେ ଅତିବେଶୀରେ ୨୨ହଜାର ଖର୍ଚ୍ଚ ହୋଇଥିବା କୁହାଯାଉଥିବା ବେଳେ ୧ଲକ୍ଷ ଟଙ୍କା କାହା ପକେଟକୁ ଗଲା ବୋଲି ସାଧାରଣରେ ପ୍ରଶ୍ନ ଉଠିଛି । ଏ ସମ୍ପର୍କରେ ଖଇରା ବ୍ଲକ ସିଡିପିଓ ଉର୍ମିଳା ବେହେରାଙ୍କୁ ପଚାରିବାରେ ଖଇରା ବ୍ଲକ ଓ ସବୁ ପଞ୍ଚାୟତରେ ସୁନ୍ଦର ଭାବେ କାର୍ଯ୍ୟକ୍ରମ ଆୟୋଜନ ସାଙ୍ଗକୁ ରଙ୍ଗୋଲି ଆଙ୍କିବା ଉପରେ ଖର୍ଚ୍ଚ କରାଯାଇଛି । ଅର୍ଥ ବାଟମାରଣାର ପ୍ରଶ୍ନ ଉଠୁନାହିଁ ବୋଲି କହିଛନ୍ତି । ପୂର୍ବରୁ ସମନ୍ନିତ ଶିଶୁ ବିକାଶ ପ୍ରକଳ୍ପକୁ ଆସୁôଥିବା ଡ୍ରେସ୍, ଯୋତା, ଖେଳଣାା କିଣା ଭଳି ବହୁ ଯୋଜନା ତଥା ସହାୟିକା ନିଯୁକ୍ତିରେ ବିନା ଜିଏସ୍ଟିରେ ଜାଲି ଭାଉଚର କରି ଲକ୍ଷଲକ୍ଷ ଟଙ୍କା ବାଟମାରଣା କରାଯାଇଥିବା ନେଇ ଅଭିଯୋଗ ହୋଇଥିଲା ।