ଆଦିବାସୀ ନାବାଳିକାଙ୍କୁ ନିର୍ଯ୍ୟାତନା ; ଘର ମାଲିକାଣୀ ଗିରଫ
ଭୁବନେଶ୍ୱର, ୧୩ା୬ : ଜଣେ ଆଦିବାସୀ ନାବାଳିକାଙ୍କୁ ଘର କାମରେ ନିୟୋଜିତ କରି ତାଙ୍କୁ ସବୁବେଳେ ନିର୍ଯ୍ୟାତନା ଦେବା ପଡ଼ିଛି ମହଙ୍ଗା । ନିର୍ଯ୍ୟାତିତ ନାବାଳିକାଙ୍କୁ ଉଦ୍ଧାର କରିବା ସହ ଥାନାରେ ଅଭିଯୋଗ କଲା ରୁଚିକା ସାମାଜିକ ସେବା ସଂସ୍ଥା । ଏନେଇ ମୈତ୍ରୀବିହାର ଥାନା ପୁଲିସ ୨୫୧ରେ ମାମଲା ରୁଜୁକରିବା ସହ ତଦନ୍ତ ଚଳାଇ ଆଜି ଅଭିଯୁକ୍ତ ମହିଳାଙ୍କୁ ଗିରଫ କରିଛି । ପରେ ଦଫା ୩୪୨, ୩୨୩, ୩୨୫, ୩୦୭, ୩୪ ଆଇପିସି ଧାରାରେ କୋର୍ଟ ଚାଲାଣ କରାଯାଇଛି । ଗିରଫ ମହିଳା ଅଭିଯୁକ୍ତ ହେଲେ, କଟକ ନିଆଳୀ ନଖରା ଅଞ୍ଚଳର ଲିପିକା ରଞ୍ଜନ ସାହୁ । ଏଠାରେ ସେ ମୌତ୍ରୀବିହାର ଗଜପତି ନଗର ଏନବିସିସି ଇମ୍ପାରି ନୁ୍ୟ ଗର୍ଭର୍ଣ୍ଣମେଣ୍ଟ କଲୋନୀର ଏ୬୦୩ରେ ପରିବାର ସହ ରହୁଥିଲେ ।
ସୂଚନାଯୋଗ୍ୟଯେ, ଅଭିଯୁକ୍ତ ମହିଳା ଜଣଙ୍କ ତାଙ୍କ ସ୍ୱାମୀ ଓ ଝିଅକୁ ନେଇ ଗଜପତି ନଗର ନୁ୍ୟ ଗଭର୍ଣ୍ଣମେଣ୍ଟ କଲୋନୀ ଅନ୍ତର୍ଗତ ପ୍ଲଟ୍ ନମ୍ବର- ଏ୬୦୩ରେ ରୁହନ୍ତି । ସେ ଗତ ୧୦ ମାସ ତଳେ ଜଣେ ଆଦିବାସୀ ନାବାଳିକା କନ୍ୟାଙ୍କୁ ନିଜ ଘରକାମ କରିବା ଲାଗି ନିୟୋଜିତ କରିଥିଲେ । ୨/୪ ଦିନ ତଳେ ସେ କୌଣସି ଏକ କାରଣକୁ ନେଇ ଉକ୍ତ ନାବାଳିକା କନ୍ୟାଙ୍କୁ ମାଡ ମାରିବା ସହିତ ପ୍ରେସରକୁକର ସାହାର୍ଯ୍ୟରେ ମରଣାନ୍ତକ ଆକ୍ରମଣ ମଧ୍ୟ କରିଥିଲେ । ଫଳରେ ଉକ୍ତ କନ୍ୟାଙ୍କ ଶରୀରର ଏକାଧିକ ସ୍ଥାନରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା । ଏହି ଖବର ପାଇ ରୁଚିକା ସାମାଜିକ ସେବା ଦ୍ୱାରା ଆହତ ନାବାଳିକା କନ୍ୟାଙ୍କୁ ଉଦ୍ଧାର କରାଯାଇ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ଏହି ଘଟଣାକୁ କେନ୍ଦ୍ର କରି ଅଭିଯୋଗକାରିଣୀଙ୍କ ଅଭିଯୋଗ ଆଧାରରେ ପୁଲିସ ମାମଲା ରୁଜୁକରି ତଦନ୍ତ କରିବା ସହ ଅଭିଯୁକ୍ତ ମାଲିକାଣୀକୁ ଆଜି ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ।