ଆଦିବାସୀ ସଙ୍ଗୀତ ମହୋତ୍ସବ ‘ସର୍ଜୋମ ବା' ଆୟୋଜିତ
କାଳିଆପାଣି : ଟାଟା ଷ୍ଟିଲ ଫାଉଣ୍ଡେସନ ପକ୍ଷରୁ ଆଦିବାସୀ ନୃତ୍ୟଗୀତ ଓ ବାଦ୍ୟଯନ୍ତ୍ରର ସଂରକ୍ଷଣ ତଥା ପ୍ରଚାର ପ୍ରସାର ଲକ୍ଷ୍ୟ ନେଇ ସୁକିନ୍ଦା କ୍ରୋମାଇଟ ଖଣିରେ ଆଦିବାସୀ ସଙ୍ଗୀତ ମହୋତ୍ସବ "ସର୍ଜୋମ ବା’ ଆୟୋଜିତ ହୋଇଯାଇଛି । ମହୋତ୍ସବରେ ସୁକିନ୍ଦା ଅଞ୍ଚଳର ପ୍ରାୟ ୩୦୦ରୁ ଊର୍ଦ୍ଧ୍ୱ ଆଦିବାସୀ ନୃତ୍ୟ କଳାକାର ଓ ସଙ୍ଗୀତଜ୍ଞ ଭାଗ ନେଇଥିଲେ । ଏହି ନିଆରା ମହୋତ୍ସବରେ ସୁକିନ୍ଦା ଖଣି ଓ ଆଖପାଖ ଅଂଚଳର ଭୂମିଜ, ଶବର, ହୋ ଏବଂ ସାନ୍ତାଳୀ ସମ୍ପ୍ରଦାୟର ଅନେକ ଆଦିବାସୀ ନୃତ୍ୟ କଳାକାର ଭାଗନେଇ ସେମାନଙ୍କ ପାରମ୍ପରିକ ନୃତ୍ୟ ଗୀତ ପରିବେଷଣ କରିଥିଲେ । ଏଥିସହ ପାରମ୍ପରିକ ଆଦିବାସୀ ବାଦ୍ୟଯନ୍ତ୍ର ଘୁମୁରା, ଝୁମୁକା, କରତାଳ, ତୁମୁଡ଼ା, ତାମକ ଓ ସାକ୍ୱା ଆଦିର ତାଳେ ତାଳେ ଝୁମି ଉଠିଥିଲେ ସମସ୍ତ ଦର୍ଶକ ।ଟାଟା ଷ୍ଟିଲ ଫାଉଣ୍ଡେସନର ଏହି ଉପକ୍ରମ ଉପରେ ଟାଟା ଷ୍ଟିଲ ଫେରୋ ଆଲଏଜ୍ ଓ ମିନେରାଲ ଡିଭିଜନର ନିର୍ବାହୀ ଅଧିକାରୀ ପଙ୍କଜ ସତିଜା କହିଛନ୍ତି ଯେ, "ଆମ ଜନଜାତି ପରମ୍ପରାର ସଂରକ୍ଷଣ ତଥା ପ୍ରଚାର ପ୍ରସାର ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ । ‘ସର୍ଜୋମ ବା' କେବଳ ଏକ ନୃତ୍ୟ ଗୀତ ମହୋତ୍ସବ ନୁହେଁ, ବରଂ ଏହା ଦ୍ୱାରା ଆମେ ଆମର ପ୍ରତିଟି ଆଦିବାସୀ ଭାଇ ଭଉଣୀଙ୍କୁ ସମ୍ମାନ ଦେବା ସହ କିପରି ସେମାନଙ୍କ ମହାନ ସଂସ୍କୃତିକୁ ଉଜ୍ଜୀବିତ କରି ରଖିହେବ, ସେଦିଗରେ ଏକ ପ୍ରୟାସ । ଏହି ଅବସରରେ ପାରମ୍ପରିକ ଆଦିବାସୀ ବେଶ ପୋଷାକ, ଅସ୍ତ୍ରଶସ୍ତ୍ର, କୃଷି ଉପକରଣ ଓ ବାସନକୁସନ ଆଦିର ପ୍ରଦର୍ଶନୀ ଆୟୋଜନ କରାଯାଇଥିଲା । କାର୍ଯ୍ୟକ୍ରମରେ ଟାଟାଷ୍ଟିଲ ଏଫ୍ଏଏମଡିର ପ୍ରାଶାସନିକ ମୁଖ୍ୟ ପ୍ରମୋଦ କୁମାର, ଟାଟାଷ୍ଟିଲ ଏଫ୍ଏଏମଡି ବରିଷ୍ଠ ଆଂଚଳିକ ପ୍ରବନ୍ଧକ ନିହାର ରଞ୍ଜନ ମିତ୍ର, ଟାଟା ଷ୍ଟିଲ ଫାଉଣ୍ଡେସନର କଳିଙ୍ଗନଗର ଇମ୍ପାକ୍ଟ କ୍ଳଷ୍ଟର ମୁଖ୍ୟ ଦେବାଞ୍ଜନ ମୁଖାର୍ଜୀ ଓ କମ୍ପାନୀର ଅନ୍ୟ କର୍ମଚାରୀ ଉପସ୍ଥିତ ରହିଥିଲେ ।