ବଢୁଛି ଦଳା-ଚୋରଦା ବାଇପାସ୍ ରାସ୍ତା ଜବରଦଖଲ : ଏପଟେ ଉଠାଦୋକାନୀ, ସେପଟେ ଗାଡ଼ି ମୋଟର
ବ୍ୟାସନଗର: ଲୋକ ସଂଖ୍ୟା ଯେଭଳି ଭାବେ ବଢିଚାଲିଛି ବ୍ୟବସାୟ ପ୍ରତିଷ୍ଠାନ ମଧ୍ୟ ସେଭଳି ବଢିଚାଲିଛି । କୋଉଠି ସ୍ଥାୟୀତ୍ୱ କେଉଁଠି ଉଠାଦୋନାକ ରାତି ପାହିଲା ବେଳକୁ ଖୋଲୁଥିବାର ବ୍ୟାସନଗର ସହରାଞ୍ଚଳରେ ଦେଖିବାକୁ ମିଳୁଛି । ବିଶେଷ କରି ପ୍ରତିଦିନ ଉଠାଦୋକାନ ସଂଖ୍ୟା ବଢିବାକୁ ଲାଗିଥିବା ବେଳେ, ତାହା ବିଭିନ୍ନ ରାସ୍ତାକୁ ସଂକୁଚିତ କରିବାରେ ଲାଗିଛି । କଳିଙ୍ଗନଗର ଶିଳ୍ପାଞ୍ଚଳର ଦ୍ୱାର ଦେଶ ବ୍ୟାସନଗର ସହର ଜନସଂଖ୍ୟା ପ୍ରତିଦିନ ବଢୁଥିବାରୁ ପେଟପାଟଣା ପାଇଁ ସ୍ଥାନୀୟ ଏବଂ ବାହାର ଅଞ୍ଚଳର ବ୍ୟବସାୟୀ ରାସ୍ତାକଡକୁ ମାଡିବସି ଦୋକାନ ଖୋଲିବାକୁ ଅଧିକ ପସନ୍ଦ କରୁଛନ୍ତି । ସହର ଭିତରେ ମାଳମାଳ ଉଠାଦୋକାନ ଖୋଲିବା ପରେ ଏବେ ସହର ବାହାର ରାସ୍ତାକୁ ମାଡିବସି ଅନେକ ଦୋକାନ ମାନ ଖୋଲିବାରେ ଲାଗିଛନ୍ତି । ଉଦାହରଣ ଭାବେ ଦଳା-ଚୋରଦା ବାଇପାସ ରାସ୍ତାକୁ ନିଆଯାଇପାରେ । ଦଳାରୁସିଧା ଚୋରଦା ଛକକୁ ସଂଯୋଗ କରୁଥିବା ଏହି ରାସ୍ତାର ଉଭୟ ପାଶ୍ୱର୍ କିଛି ଦିନ ତଳେ ଫାଙ୍କା ପଡ଼ିଥିବା ବେଳେ, ଆଜି କିନ୍ତୁ ଉଠାଦୋକାନ ମାନ ଗଢିଉଠିଛି । ରାସ୍ତାର ଉଭୟ ପଟରେ ଉଠାଦୋକାନ ଧିରେଧିରେ ବଢିବାରେ ଲାଗିଛି । ପ୍ରତ୍ୟେକ ଦିନ ଜଣେ ପରେ ଜଣେ ଦେକାନ ମେଲାଇ ବେପାର କରୁଛନ୍ତି । ଉକ୍ତ ରାସ୍ତାଟି ବ୍ୟାସନଗରର ଏକମାତ୍ର ବାଇପାସ ରାସ୍ତା ହୋଇଥିବାରୁ ପ୍ରତ୍ୟେକ ସମୟରେ ଗାଡ଼ି ଚଳାଚଳ ଲାଗିରହିଥାଏ । ତା ସାଙ୍ଗକୁ ଆଜିଠାରୁ ଗୋପବନ୍ଧୁ ଛକ ଠାରେ ରେଳବାଇ ପକ୍ଷରୁ ଗଳି ପୋଲ କାର୍ଯ୍ୟ ଆରମ୍ଭ କାରଣରୁ ଫାଟକକୁ ବନ୍ଦ କରିଦେବାପରେ ଛୋଟରୁ ବଡ଼ ଗାଡ଼ି ଯିବା ଆସିବା କରିବାର ଏକମାତ୍ର ମାଧ୍ୟମ ବାଇପାସ ରାସ୍ତା ହୋଇପଡ଼ିଛି । ହେଲେ ବାଇପାସ ରାସ୍ତାକୁ ଗୋଟିଏ ପଟେ ଉଠାଦୋକାନୀ ଜବର ଦଖଲ କରି ଚାଲିଥିବା ବେଳେ, ଅନ୍ୟପଟେ ଗାଡ଼ି ମୋଟର ଠିଆ କରାଇ ରାସ୍ତାକୁ ସଂକୁଚିତ କରାଯାଉଛି । ଯାହା ଫଳରେ ଦୁର୍ଘଟଣାର ଆଶଙ୍କା ବଢିବାରେ ଲାଗିଛି । ଯାଜପୁର ରୋଡ ବେଳ ହୁଁ ସାବଧାନ ହୋଇ ଯଦି ବିହିତ ପଦକ୍ଷେପ ଗ୍ରହଣ ନକରେ, ତେବେ ଜବରଦଖଲ ଆହୁରି ବଢିବ ଏହାକୁ ଅସ୍ୱିକାର କରାଯାଇପାରିବନି ।