ଆନ୍ତଃ ସ୍କୁଲ୍ କ୍ରିକେଟ୍: ଗୋପବନ୍ଧୁ ହାଇସ୍କୁଲ ବିଜୟୀ

 କେନ୍ଦୁଝର  : ଓଡ଼ିଶା କ୍ରିକେଟ ଆସୋସିଏସନ ଆନୁକୂଲ୍ୟରେ ଏବଂ କେନ୍ଦୁଝର ଜିଲ୍ଲା କ୍ରୀଡା ସଂସ୍ଥା ସହଯୋଗରେ ସ୍ଥାନୀୟ ଷ୍ଟାଡିୟମ ଠାରେ ଅନୁଷ୍ଠିତ ଆନ୍ତଃ ସ୍କୁଲ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ୍ରେ ଆଜି ଷଷ୍ଠ ଦିବସର ଲିଗ ପର୍ଯ୍ୟାୟ ଖେଳ ଅନୁଷ୍ଠିତ ହୋଇଛି । ଏଥିରେ ବଡ଼ବିଲର ଗୋପବନ୍ଧୁ ହାଇସ୍କୁଲ, କେନ୍ଦୁଝରର ଡିଏଭି ପବ୍ଲିକ ସ୍କୁଲ ବିପକ୍ଷରେ ୧୫୮ ରନରେ ବିପୁଳ ବିଜୟ ଲାଭ କରି ପୂରା ପଏଣ୍ଟ ହାସଲ କରିଛି । ଗୋପବନ୍ଧୁ ହାଇସ୍କୁଲ ଟସ୍ ଜିଣି ପ୍ରଥମେ ବ୍ୟାଟିଂ କରିଥିବା ବେଳେ ନିର୍ଦ୍ଧାରିତ ୩୦ ଓଭରରେ ମାତ୍ର ୪ଟି ୱିକେଟ ହରାଇ ୨୭୯ ରନ୍ କରିଥିଲା ।  ଜବାବରେ ଡିଏଭି ପବ୍ଲିକ ସ୍କୁଲ ବିଶାଳ ଟାର୍ଗେଟ ଆଗରେ ମାନସ୍ତାତ୍ୱିକ ଚାପର ଶିକାର ହେବା ସହ ନିୟମିତ ବ୍ୟବଧାନରେ ୱିକେଟର ପତନ ଘଟିଥିଲା । ସେମାନେ ୨୮.୪ ଓଭର ବ୍ୟାଟିଂ କରି ମାତ୍ର ୧୨୧ ରନରେ ଅଲ୍ ଆଉଟ୍ ହୋଇ ପରାଜୟ ବରଣ କରିଥିଲେ । ଶତକ ହାସଲ କରିଥିବା ଗୋପବନ୍ଧୁ ହାଇସ୍କୁଲର ଆଶୁତୋଷ ନାୟକ ମ୍ୟାନ ଅଫ ଦି ମ୍ୟାଚ୍ ବିବେଚିତ ହୋଇ ପୁରସ୍କୃତ ହୋଇଥିଲେ । ବିଶ୍ୱମ୍ବର ମହାକୁଢ଼, ଯଶୋବନ୍ତ ମହାପାତ୍ର ପରିଚାଳନା କରିଥିଲେ ।