କରତ ଧାରରେ ପାକିସ୍ତାନ୍


ପାକିସ୍ତାନ ବିପକ୍ଷରେ ହୋଇଥିବା ଅପରେସନ୍ ସିନ୍ଦୂର ଫଳରେ ଭାରତ କେବଳ ବିଜୟ ହାସଲ କରିନାହିଁ; ବରଂ ପାକିସ୍ତାନ୍ର ସାମରିକ କ୍ଷମତାକୁ ହ୍ରାସ କରିବାରେ ସଫଳ ହୋଇଛି । ଆଉ ବର୍ତ୍ତମାନ ପାକିସ୍ତାନ୍ର ପରମାଣୁ ଅସ୍ତ୍ର ନିୟନ୍ତ୍ରଣ କ୍ଷମତା ଆମେରିକା ହାତକୁ ଚାଲିଯିବା ସହିତ ଅଣୁ ଅସ୍ତ୍ର ନିରୋଧୀ ଚୁକ୍ତିରେ ପାକିସ୍ତାନ୍ ସାମିଲ୍ ହେବାକୁ ବାଧ୍ୟ ହୋଇପାରେ ବୋଲି ଆଶଙ୍କା ଉପୁଜିଲାଣି । ଏପରି ହେଲେ ଆଣବିକ ଅସ୍ତ୍ର ଥାଇ ମଧ୍ୟ ପାକିସ୍ତାନ୍ ଆଣବିକ ଅସ୍ତ୍ରର ଧମକ ଦେଇପାରିବ ନାହିଁ କିମ୍ବା ଏସବୁର ପ୍ରୟୋଗ କରିପାରିବ ନାହିଁ । 
ଅପରେସନ୍ ସିନ୍ଦୂର ସମୟରେ ଭାରତୀୟ ବାୟୁସେନା ପକ୍ଷରୁ ପାକିସ୍ତାନର ମୁଖ୍ୟ ୮ଟି ସାମରିକ ଘାଟି ଉପରେ ଆକ୍ରମଣ କରାଯାଇଥିଲା । ଏହା ଫଳରେ ଏହି ଘାଟି ଗୁଡ଼ିକ ଭୀଷଣ କ୍ଷତିଗ୍ରସ୍ତ ହୋଇଥିଲା । ପାକିସ୍ତାନର ପଞ୍ଜାବ ପ୍ରଦେଶର ନୂର୍ ଖାନ୍, ସରବୋଧା ଘାଟି ଉପରେ ଭାରତର ଆକ୍ରମଣ ପାକିସ୍ତାନ ପାଇଁ ସବୁଠାରୁ ବଡ଼ କ୍ଷତି ଥିଲା । ଏହି ଘାଟି ଦୁଇଟିରେ ସର୍ବାଧିକ ସଂଖ୍ୟକ ଏଫ୍-୧୬ ଏବଂ ଜେଏଫ୍-୧୭ ବିମାନ ମହଜୂଦ ଥିଲା । ଏହି ଦୁଇଟି ଘାଟି ଭୀଷଣ ଭାବରେ କ୍ଷତିଗ୍ରସ୍ତ ହେବା ପରେ ଏଠାରୁ ଉଡ଼ାଜାହାଜ ଉଠିବା କିମ୍ବା ଓହ୍ଲାଇବା ଭଳି କାର୍ଯ୍ୟ କଷ୍ଟକର ହୋଇ ପଡ଼ିଥିଲା । ଏହି ଘାଟି ଠାରୁ ମାତ୍ର ୨୦ କିଲୋମିଟର ଦୂରରେ କିରାନା ହିଲ୍ସ ଅଞ୍ଚଳରେ ପାକିସ୍ତାନ୍ ପରମାଣୁ ଅସ୍ତ୍ର ଗଚ୍ଛିତ କରି ରଖିଛି । ଏହି ଅସ୍ତ୍ରଭଣ୍ଡାର ଅଞ୍ଚଳ ମଧ୍ୟ ଭାରତର ବିମାନ ଆକ୍ରମଣରେ କ୍ଷତିଗ୍ରସ୍ତ ହୋଇଛି । ନୂର୍ ଖାନ୍ ଏୟାରବେସ୍ରେ ରହିଥିବା ଅସ୍ତ୍ରଭଣ୍ଡାରର କମାଣ୍ଡ୍ ସେଣ୍ଟର୍ ମଧ୍ୟ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଛି । କିରାନା ହିଲ୍ସ ଉପରେ ଭାରତ ଆକ୍ରମଣ କରିନାହିଁ ବୋଲି ଭାରତ ସ୍ପଷ୍ଟୀକରଣ ଦେଇଥିବା ବେଳେ ପାକିସ୍ତାନ୍ ମଧ୍ୟ ଏଭଳି ଘଟଣାକୁ ଅସ୍ୱୀକାର କରିଛି । ହେଲେ କିରାନା ହିଲ୍ସକୁ ନେଇ ଆନ୍ତର୍ଜାତିକ ମହଲରେ ଯେଉଁ ପ୍ରକାରର ଆଲୋଚନା ଚାଲିଛି, ସେଇଥିରୁ ସ୍ପଷ୍ଟ ହୋଇଯାଉଛି ଯେ ଏହି ପରିମାଣୁ ଅସ୍ତ୍ର ଭଣ୍ଡାରର ନିଶ୍ଚିତ ଭାବେ କ୍ଷତି ଘଟିଛି । ପାକିସ୍ତାନରେ ଅଚାନକ ଭାବେ ଇଜିପ୍ଟର ଏକ ସାମରିକ ପରିବହନ ପହଞ୍ଚିବା ଏବଂ ଆମେରିକାର ପରମାଣୁ ଶକ୍ତି ତଦାରଖକାରୀ ବିମାନ ବିଚ୍କ୍ରାଫ୍ଟ-ବି ୩୫୦ ପାକିସ୍ତାନରେ ପହଞ୍ଚିବା ଘଟଣା କିରାନା ହିଲ୍ସ କ୍ଷତିଗ୍ରସ୍ତ ହୋଇଥିବା ସୂଚାଇ ଦେଉଛି । ତେବେ କି ପ୍ରକାରର କ୍ଷତି ହୋଇଛି ଏବଂ କେତେ ମାତ୍ରାରେ କ୍ଷତି ହୋଇଛି ତାହା ଜଣାପଡ଼ିନାହିଁ ସତ; କିନ୍ତୁ ଏଠାରେ ଆରମ୍ଭ ହୋଇ ଯାଇଥିବା ବିକିରଣର ସତ୍ୟାସତ୍ୟ ଜାଣିବା ପାଇଁ ଆମେରିକୀୟ ବିମାନ ପାକିସ୍ତାନରେ ପହଞ୍ଚିଛି ବୋଲି ବିଶେଷଜ୍ଞ ମାନେ ମତ ଦେଉଛନ୍ତି । 
ଅନ୍ୟପକ୍ଷରେ କ୍ଷତିଗ୍ରସ୍ତ ଅସ୍ତ୍ରଭଣ୍ଡାରର ମରାମତି ଲାଗି ଇଜିପ୍ଟ୍ର ସାମରିକ ବିମାନ ବୋରନ୍-୧୦ ନାମକ ଏକ ପଦାର୍ଥ ପାକିସ୍ତାନକୁ ନେଇ ଆସିଥିବା କୁହାଯାଉଛି । କେବଳ ସେତିକି ନୁହେଁ, କିରାନା ହିଲ୍ସ ନିକଟରେ ରହିଥିବା ପ୍ରାୟ ୨୦ରୁ ଉଦ୍ଧ୍ୱର୍ ଗାଁର ଲୋକଙ୍କୁ ସ୍ତାନାନ୍ତର କରିବା ଘଟଣା କିରାନା ହିଲ୍ସ କ୍ଷତିଗ୍ରସ୍ତ ହୋଇଥିବା ନେଇ ସଙ୍କେତ ମିଳୁଛି । ଏହା ପରେ ପରେ ଏହି ଅସ୍ତ୍ରଭଣ୍ଡାରର କ୍ଷତି ଆକଳନ ଏବଂ ନିରାକରଣ ପାଇଁ ଏକ ଆମେରିକୀୟ ପ୍ରତିନିଧି ଦଳ ଓ ଆର୍ନ୍ତଜାତିକ ପରମାଣୁ ଶକ୍ତି ଏଜେନ୍ସୀର ପ୍ରତିନିଧିମାନେ ପାକିସ୍ତାନରେ ପହଞ୍ଚିବା ପାକିସ୍ତାନକୁ ଅକଳରେ ପକାଇ ଦେଇଛି । ଆମେରିକୀୟ ପ୍ରତିନିଧି ମାନେ କିରାନା ହିଲ୍ସ ସମେତ ପାକିସ୍ତାନର ଅନ୍ୟ ଅସ୍ତ୍ରଭଣ୍ଡାରକୁ ମଧ୍ୟ ସମୀକ୍ଷାର ପରିସରକୁ ଆଣିବେ ବୋଲି ଶୁଣାଯାଉଛି । ଏହା ଫଳରେ ଆମେରିକା ପାକିସ୍ତାନର ପରମାଣୁ ଅସ୍ତ୍ର ସମ୍ପର୍କିତ ସମସ୍ତ ଗୁପ୍ତ ତଥ୍ୟ ପାଇଯିବ । ଏହାପରେ ପାକିସ୍ତାନର ପରମାଣୁ ଅସ୍ତ୍ର କ୍ଷମତାକୁ ନିଜ ନିୟନ୍ତ୍ରଣକୁ ନେଇଯିବ ବୋଲି ଚର୍ଚ୍ଚା ଜୋର୍ ଧରିଲାଣି । ଏପରି ହେଲେ ପାକିସ୍ତାନ୍କୁ ଆମେରିକା ଅଣୁ ଅସ୍ତ୍ର ନିରୋଧୀ ଚୁକ୍ତିରେ ଅନ୍ତର୍ଭୁକ୍ତ କରିବା ପାଇଁ ବାଧ୍ୟ କରିପାରେ । ଏଭଳି ଏକ ପରିସ୍ଥିତି ଭାରତ ପାଇଁ ପ୍ରତିରକ୍ଷା କ୍ଷେତ୍ରରେ ଏକ ଅନୁକୂଳ ପରିବେଶ ସୃଷ୍ଟି ହୋଇଯିବ । ପାକିସ୍ତାନ୍ ପ୍ରତି କଥାରେ ଭାରତ ଉପରେ ଅଣୁ ଅସ୍ତ୍ର ପ୍ରୟୋଗର ଧମକ ଆଉ ଦେଇପାରିବ ନାହିଁ । ଏହାର ଅଣୁ ଅସ୍ତ୍ର ଉପରେ ଆମେରିକା ନିୟନ୍ତ୍ରଣ ରଖି ଏହାର ସାମରିକ କ୍ଷମତାକୁ ମଧ୍ୟ କମାଇ ଦେବ ।