ଆମ ଗଣତନ୍ତ୍ର ଓ ସମ୍ବିଧାନ
ଅଲେଖ ଚନ୍ଦ୍ର ସାମଲ : ଆଜି ସମସ୍ତ ଭାରତବାସୀଙ୍କ ପାଇଁ ଏକ ପବିତ୍ର ଓ ସ୍ମରଣୀୟ ଦିବସ । ୧୯୪୭ ଅଗଷ୍ଟ ୧୫ ତାରିଖରେ ଭାରତ ସିନା ସ୍ୱାଧୀନତା ଲାଭ କଲା କିନ୍ତୁ ଆଜିର ଦିନରେ ସ୍ୱାଧୀନତା ଭାରତ ବିଧିବଦ୍ଧ ଭାବେ ତା'ର ପ୍ରଣୀତ ସମ୍ବିଧାନକୁ ଦାପ୍ତରିକ ସ୍ୱୀକୃତି ପ୍ରଦାନ କଲା । ଏହି ପବିତ୍ର ସମ୍ବିଧାନ ହିଁ ଦେଶ ଶାସନର ସର୍ବଶ୍ରେଷ୍ଠ ଓ ସର୍ବୋଚ୍ଚ ନିୟାମକ ଗ୍ରନ୍ଥ । ଏହା ଦେଶର ଦର୍ପଣ ସଦୃଶ, ଯେଉଁଠି ଆଇନ ପ୍ରଣୟନକାରୀ, ଆଇନ କାର୍ଯ୍ୟକାରୀ ଓ ଆଇନ ସୁରକ୍ଷାକାରୀ ଏହି ତିନି ବର୍ଗର ପ୍ରତିନିଧିମାନେ ନିଜ ନିଜର କାର୍ଯ୍ୟ ସଂପାଦନରେ ପ୍ରତିଦିନ ମୁହଁ ଦେଖିଥାନ୍ତି । ଦେଶର ସାର୍ବଭୌମତ୍ୱ ରକ୍ଷା ଦିଗରେ ଏହା ବେଦ ବା ଗୀତା ସଦୃଶ । ଏଭଳି ଏକ ପବିତ୍ର ଗ୍ରନ୍ଥ ରଚନାରେ ଦେଶର ବିଭିନ୍ନ ବର୍ଗର ବହୁ ବୁଦ୍ଧିଜୀବୀ, ଚିନ୍ତାନାୟକ କେତେ ନା କେତେ ପରାମର୍ଶ ଓ ଶ୍ରମଦାନ କରିଛନ୍ତି ତାହା ଇତିହାସର ଏକ ଅମର ଅଧ୍ୟାୟ ହୋଇ ରହିଛି ।
୧୯୪୯ ନଭେମ୍ବର ୨୬ ତାରିଖରେ ସମ୍ବିଧାନ ସଭାରେ ଭାରତୀୟ ସମ୍ବିଧାନ ଗୃହୀତ ହୋଇଥିଲା । ସମ୍ବିଧାନ ପ୍ରଣେତା ବି.ଆର ଆମ୍ବେଦକର ସମ୍ବିଧାନ ସଭାରେ ଏହି ଚିଠା ଆଗତ କରିଥିଲେ । ସେପ୍ଟେମ୍ବର ୨ରେ ଅନ୍ତରୀଣ ସରକାର ଗଠନ କରାଯାଇଥିଲା । ଡିସେମ୍ବର ୯ରେ ସମ୍ବିଧାନ ସଭାର ପ୍ରଥମ ଅଧିବେଶନ ବସିଥିଲା । ଏଥିରେ ୨୦୭ ସଦସ୍ୟ ଯୋଗଦେଇଥିଲେ । ୧୯୪୭ ପ୍ରାରମ୍ଭରେ ସମ୍ବିଧାନ ସଭାରେ ମୁସଲିମ୍ ଲିଗ୍ ଓ ଅନ୍ୟ ସ୍ୱାଧୀନ ରାଜ୍ୟର ପ୍ରତିିନିଧିମାନେ ଯୋଗ ଦେଇଥିଲେ । ୧୯୫୦ ଜାନୁଆରୀ ୨୬ରେ ସମ୍ବିଧାନ କାର୍ଯ୍ୟକାରୀ ହୋଇଥିଲା । ଏହି ଦିନକୁ ସାଧାରଣତନ୍ତ୍ର ଦିବସ ଭାବେ ଦେଶରେ ପାଳନ କରାଯାଉଛି । ସେହି ସମ୍ବିଧାନ ସଭା ପରବର୍ତ୍ତୀ ସମୟରେ ପାର୍ଲାମେଣ୍ଟର ରୂପ ନେଇଥିଲା । ସମ୍ବିଧାନ ଅନୁସାରେ ୧୯୫୨ରେ ପ୍ରଥମ ନିର୍ବାଚନ ପରଠାରୁ ପାର୍ଲାମେଣ୍ଟାରୀ ବ୍ୟବସ୍ଥା କାର୍ଯ୍ୟକାରୀ ହେଇଛି । ୯ ଡିସେମ୍ବର ୧୯୪୬ ମସିହାରେ ଶ୍ରୀଯୁକ୍ତ ସଚ୍ଚିଦାନନ୍ଦ ସିହ୍ନାଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀ ଠାରେ ସମ୍ବିଧାନ ସଭାର ପ୍ରଥମ ଅଧିବେଶନ ୨୦୭ ଜଣ ସଦସ୍ୟଙ୍କୁ ନେଇ ଅନୁଷ୍ଠିତ ହୋଇଥିଲା । ଏବଂ ଡକ୍ଟର ରାଜେନ୍ଦ୍ର ପ୍ରସାଦ ଯିଏ କି ପରବର୍ତ୍ତୀ ସମୟରେ ସ୍ୱାଧୀନ ଭାରତର ରାଷ୍ଟ୍ରପତି ଭାବେ ନିଯୁକ୍ତି ପାଇଥିଲେ ସେ ହିଁ ଏହି ସମ୍ବିଧାନ ପ୍ରଣୟନ ସଭାର ସ୍ଥାୟୀ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ । ବିଖ୍ୟାତ ବୁଦ୍ଧିଜୀବୀ ତଥା ଆଇନଜ୍ଞ ଡକ୍ଟର ବି.ଆର୍. ଆମ୍ବେଦକର ଏହି ସମ୍ବିଧାନ ଚିଠା ପ୍ରସ୍ତୁତ କମିଟିର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ । ଇଂଲଣ୍ଡ, ଆମେରିକା, ସ୍ୱିଜରଲ୍ୟାଣ୍ଡ ଇତ୍ୟାଦି ବିଶ୍ୱର ଅନେକ ଗଣତାନ୍ତ୍ରିକ ରାଷ୍ଟ୍ରର ସମ୍ବିଧାନକୁ ତନ୍ନ ତନ୍ନ କରି ଅନୁଧ୍ୟାନ କରିବା ସହ ଭାରତର ପରମ୍ପରା, ଐତିହ୍ୟ, ଆଧ୍ୟାତ୍ମିକତା, ସଂସ୍କୃତି ଆଦି ବିଭିନ୍ନ ବିଭାଗକୁ ଦୃଷ୍ଟିରେ ରଖି ଆଇନ ପ୍ରଣୟନ କରାଯାଇଥିଲା । ୧୯୪୮ ମସିହା ନଭେମ୍ବର ୧୫ ତାରିଖରୁ ୧୯୪୯ ମସିହା ଅକ୍ଟୋବର ୧୭ ତାରିଖ ପର୍ଯ୍ୟନ୍ତ ସମ୍ବିଧାନର ବିଭିନ୍ନ ଧାରା ଓ ଉପଧାରାକୁ ନେଇ ତର୍କ ବିତର୍କ ମାଧ୍ୟମରେ ବିଶ୍ଳେଷଣ କରାଯାଇଥିଲା । ଏହାପରେ ଏହି ଚିଠା ପ୍ରସ୍ତାବର ଦ୍ୱିତୀୟ ପଠନ ୧୯୪୯ ମସିହା ନଭେମ୍ବର ୧୬ ତାରିଖରେ ସମାପ୍ତ ହୋଇଥିଲା । ଏହାର ୧୦ ଦିନ ପରେ ୨୬ ନଭେମ୍ବରରେ ବିଧିବଦ୍ଧ ଭାବେ ସମ୍ବିଧାନ ପ୍ରଣୟନ କାର୍ଯ୍ୟ ସମାପ୍ତ ହୋଇ ୩୮୯ ଜଣ ସଦସ୍ୟଙ୍କ ସ୍ୱାକ୍ଷର ସହ ଦେଶର ନୂତନ ସମ୍ବିଧାନ ଆତ୍ମପ୍ରକାଶ କଲା । ଏଥିପାଇଁ ପ୍ରାୟତଃ ୨ବର୍ଷ ୧୧ ମାସ ୧୭ ଦିନ ସମୟ ଲାଗିଯାଇଥିଲା ।
ଜାତୀୟ ସମ୍ବିଧାନ ପ୍ରତି ସମ୍ମାନ ଓ ଆନୁଗତ୍ୟ ପ୍ରକାଶ କରିବା ପ୍ରତ୍ୟେକ ଭାରତୀୟଙ୍କ ପ୍ରଥମ ଅଧିକାର ଓ କର୍ତ୍ତବ୍ୟ । ଏହାକୁ ଅବମାନନା କରିବା ଅର୍ଥ ଦେଶ ପ୍ରତି ଦ୍ରୋହ କରିବା ସହ ସମାନ । ଧର୍ମ, ଭାଷା, ଆଞ୍ଚଳିକତା ତଥା ଗୋଷ୍ଠୀଗତ ବିବିଧତାକୁ ଊଦ୍ଧ୍ୱର୍ରେ ରହି ଦେଶର ସାର୍ବଭୌମତ୍ୱ, ଏକତା ଓ ସଂହତିକୁ ଅକ୍ଷୁଣ୍ଣ ରଖିବା ପ୍ରତ୍ୟେକ ଭାରତୀୟଙ୍କ ପ୍ରଥମ ଓ ପ୍ରଧାନ କର୍ତ୍ତବ୍ୟ । ସମ୍ବିଧାନ ପ୍ରସ୍ତୁତି ବେଳେ ସର୍ବମୋଟ ୩୯୫ଟି ଧାରା ଓ ୯ଟି ତଫସିଲକୁ ରଖାଯାଇଥିଲା । କାଳକ୍ରମେ ସାମାଜିକ, ରାଜନୈତିକ ପରିବର୍ତ୍ତନକୁ ଦୃଷ୍ଟିରେ ରଖାଯାଇ ସମ୍ବିଧାନକୁ ସଂଶୋଧନ କରାଯାଇଛି । ଏପର୍ଯ୍ୟନ୍ତ ୧୦୧ ଟି ସାମ୍ବିଧାନିକ ସଂଶୋଧନ ହୋଇସାରିଲାଣି । ସମ୍ବିଧାନ ପ୍ରଣୟନ ବେଳେ ଅତି ଆବଶ୍ୟକ ନପଡ଼ିଲେ ସଂଶୋଧନ ନ କରିବା ପାଇଁ ପ୍ରଣେତାମାନେ ସତର୍କ କରାଇ ଦେଇଥିଲେ ସୁଦ୍ଧା ପରବର୍ତ୍ତୀ ସମୟରେ ଆମର କ୍ଷମତାସୀନ ରାଜନେତାମାନେ ଦେଶର ସ୍ୱାର୍ଥ ପରିବର୍ତ୍ତେ ଦଳର ସଂକୀର୍ଣ୍ଣ ସ୍ୱାର୍ଥକୁ ଆଖି ଆଗରେ ରଖି ସମ୍ବିଧାନକୁ ବାରମ୍ବାର ସଂଶୋଧନ କରିବାରେ ଲାଗିଛନ୍ତି । ହୁଏତ ଏପରି ସମୟ ନ ଆସୁ ଯେ ଆସନ୍ତା କେତେ ଦଶନ୍ଧି ମଧ୍ୟରେ ଭାରତର ସମ୍ବିଧାନ ସଂପୂର୍ଣ୍ଣ ରୂପେ ବଦଳି ଯାଇଥିବ । ଆଜି ଏତେ ବର୍ଷ ପରେ ଆମେ ଯଦି ଗଭୀର ଅନୁଶୀଳ କରିବା ତେବେ ସମ୍ବିଧାନ ପ୍ରଦତ୍ତ କେତେ ଜନହିତକାରୀ କର୍ତ୍ତବ୍ୟ ଦେଶ ପାଳନ କରିପାରୁଛି । ଏବେ ମଧ୍ୟ ଦେଶରେ ଅଶିକ୍ଷା, କୁଶିକ୍ଷା ଓ ଅନ୍ଧବିଶ୍ୱାସ ଭରି ରହିଛି ।
ଜାତି, ଧର୍ମ, ବର୍ଣ୍ଣ ଭାଷାଗତ ଅସହିଷ୍ଣୁତା ଯାହା ସମ୍ବିଧାନର ବିରୁଧାଚରଣ କରୁଛି ତାହା ବଢ଼ିବାରେ ଲାଗିଛି । ନାରୀ ଜାତି ପ୍ରତି ସମ୍ମାନ ଏକ ସାମ୍ବିଧାନିକ ଅଧିକାର ହୋଇଥିଲେ ମଧ୍ୟ ତାହା ବଢ଼ିବା ପରିବର୍ତ୍ତେ ବରଂ ଦୁଷ୍କର୍ମ ବଢ଼ି ବଢ଼ି ଚାଲିଛି । ଏବେ ସୁଦ୍ଧା ଦେଶରେ ମୁକ୍ତ ଓ ଅବାଧରେ ନିର୍ବାଚନଟିଏ ହୋଇପାରିଲା ନାହିଁ । କଳାଧନ ବିନା ନିର୍ବାଚନ ବୈତରଣୀ ପାରିହେବା କଷ୍ଟକର ହୋଇପଡ଼ୁଛି । ସମ୍ବେଦନଶୀଳତା ଓ ମାନବିକତା ମରି ମରି ଯାଉଛି । ପ୍ରାକୃତିକ ପରିବେଶ ଓ ବନ୍ୟପ୍ରାଣୀ ସଂରକ୍ଷଣ ଧ୍ୱଂସ ହୋଇ ଚାଲିଛି । ଅହିଂସା ଯାହା ଗାନ୍ଧିଜୀଙ୍କର ପରମ ପ୍ରିୟ ଥିଲା ତାହା ବଦଳରେ କଥା କଥାକେ ହିଂସା ଉଗ୍ରରୂପ ନେଉଛି । ସାଧାରଣ ବର୍ଗଙ୍କୁ ଶିକ୍ଷା ଓ ସ୍ୱାସ୍ଥ୍ୟ ଯେଭଳି ଭାବେ ପ୍ରଦାନ କରାଯିବା କଥା ତାହା ସ୍ୱପ୍ନ ହୋଇ ରହିଛି । ଗାନ୍ଧିଜୀଙ୍କ ଦୁର୍ନୀତି ମୁକ୍ତ ଭାରତର ସ୍ୱପ୍ନ କେବଳ ଦୁର୍ନୀତିରେ ଭରି ରହିଛି । ରାମ ରାଜ୍ୟ ପରିବର୍ତ୍ତେ ରାବଣ ରାଜ୍ୟର ବିସ୍ତାର ହୋଇ ଚାଲିଛି । ଗୁଲଜାରୀ ଲାଲ ନନ୍ଦା ଓ ଶାସ୍ତ୍ରୀଜୀଙ୍କୁ ଛାଡ଼ିଦେଲେ ଦେଶରେ ଏପରି କୌଣସି ପ୍ରଧାନମନ୍ତ୍ରୀ ନଥିଲେ କି ନାହାନ୍ତି ଯେଉଁମାନଙ୍କ ଆଡ଼କୁ ଦୁର୍ନୀତି ଓ ପ୍ରିୟାପ୍ରୀତିର ଆଙ୍ଗୁଠି ନିର୍ଦ୍ଦେଶ କରାଯାଇପାରିବ ନାହିଁ । ସେଠି ପିଅନଟିଏ ଦୁର୍ନୀତି କଲା ବୋଲି ଅନୁସନ୍ଧାନକାରୀ ସଂସ୍ଥା ତାକୁ ଦଣ୍ଡ ଦେବାରେ କି ନୈତିକ ଅଧିକାର ରହିଛି ? ଏବେ ମଧ୍ୟ ଅଧିକାଂଶ ଆଦିବାସୀ ଅଞ୍ଚଳରେ ରାସ୍ତାଟିଏ ନାହିଁ କି ବିଜୁଳି ନାହିଁ । ଦେଶରେ ଭୋଟ ପାଇବା ପାଇଁ ବିଭିନ୍ନ ରାଜ୍ୟର ସରକାରଙ୍କ ମଧ୍ୟରେ ପ୍ରତିଯୋଗିତା ଚାଲିଛି । ଲୋକମାନଙ୍କୁ ଭିକ ଦେଇ କାଙ୍ଗାଳ କରିଦେବାର ପ୍ରତିଯୋଗିତା ଚାଲିଛି । କ'ଣ କଲେ ଭୋଟ ମିଳିବ ସେ କଳା କୌଶଳ ଆମ ରାଜନୈତିକ ଦଳମାନେ ଯେପରି ଶିଖିଛନ୍ତି ପୃଥିବୀରେ ଅନ୍ୟ କୌଣସି ଗଣତନ୍ତ୍ରରେ ତାହା ବିରଳ । ଆଜି ନିଶ୍ଚୟ ବିଭିନ୍ନ ସ୍ଥାନରେ ଜାତୀୟ ସଂଗୀତ ଗାନ ସହ ଜାତୀୟ ପତାକା ଫର ଫର ଉଡାଯାଉଥିବ । ଆମ ନେତାମାନେ ଓଜସ୍ୱିନୀ ଭାଷଣରେ କେତେ ପ୍ରତିଶ୍ରୁତି ଓ ସ୍ୱପ୍ନରେ ଦେଶକୁ ପୋତି ପକଉଥିବେ ? ଏସବୁର କି ମାନେ ଥାଏ ଉପାସରେ ଫାଙ୍କା ଆକାଶକୁ ଅନଉଥିବା ସପନି ବୁଢ଼ି ପାଇଁ ? ସତରେ କ'ଣ ଭାରତମାତା ଏସବୁ ଅନ୍ୟାୟ ଓ ଅତ୍ୟାଚାରକୁ ସହିବା ପାଇଁ ଆହୁରି ଧୈର୍ଯ୍ୟଶୀଳା ?
ମୋ : ୬୩୭୦୦୩୩୫୬୪