ଆରମ୍ଭ ହେଲା ବାଲ୍ୟବିବାହ ମୁକ୍ତ ଭାରତ ଅଭିଯାନ
ଭୁବନେଶ୍ୱର, ୨୭ା୧୧ : ରାଜଧାନୀ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ବାଲ୍ୟବିବାହ ମୁକ୍ତ ଭାରତ ଅଭିଯାନ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ଅନୁପମା ଦେବୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ବେଳେ, ଏପଟେ ଓଡ଼ିଶା ରାଜଧାନୀ ଭୁବନେଶ୍ୱର ଠାରେ ଏହି ଅଭିଯାନ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ, ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଓ ରୁଚିକା ସମାଜ ମଙ୍ଗଳ ସଂଗଠନର ମିଳିତ ଆନୁକୂଲ୍ୟରେ ଆରମ୍ଭ ହୋଇଛି । ନିକଟରେ ଭାରତ ସରକାରଙ୍କ ପରିବାର ଓ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା କରାଯାଇଥିବା ସର୍ଭେ ଅନୁସାରେ ଭାରତ ବର୍ଷରେ ୨୩ ଭାଗ ଶିଶୁ ବିବାହ ବୟସ ପୂର୍ବରୁ ବିବାହ କରିଥାନ୍ତି । ଓଡ଼ିଶାରେ ମଧ୍ୟ ଏହି ସଂଖ୍ୟା ଶତକଡା ୨୦ ଭାଗରୁ ଅଧିକ । ବାଲ୍ୟବିବାହ ଅର୍ଥ ପିଲାମାନଙ୍କ ସହ କୁକର୍ମ । ତେଣୁ ବାଲ୍ୟବିବାହ କୁ ଭାରତ ବର୍ଷରୁ ୨୦୩୦ ବର୍ଷ ମଧ୍ୟରେ ସମ୍ପୃର୍ଣ୍ଣ ଉଚ୍ଛେଦ କରିବା ପାଇଁ ସରକାର ସ୍ଥିର କରିଛନ୍ତି । ଏଥିନିମନ୍ତେ ଭାରତ ସରକାରଙ୍କ ତରଫରୁ ବାଲ୍ୟବିବାହ ମୁକ୍ତ ଭାରତ ଅଭିଯାନ ଆରମ୍ଭ କରାଯାଇଛି ଓ ଏଥିରେ ସମସ୍ତ ସରକାରୀ ପଦାଧିକାରୀ, ସ୍ୱେଚ୍ଛାସେବୀ ଅନୁଷ୍ଠାନ, ଗ୍ରାମପଞ୍ଚାୟତ ଓ ସାଧାରଣ ଲୋକ ସାମିଲ ହେବା ପାଇଁ ସରକାର ଆହ୍ୱାନ ଦେଇଛନ୍ତି । ରୁଚିକା ମଙ୍ଗଳ ସଂଗଠନ ଭାରତରେ ଗଢ଼ାଯାଇଥିବା ପିଲାମାନଙ୍କ ପାଇଁ ନ୍ୟାୟ ଅଧିକାର ମହାସଂଘର ଜାତୀୟ ନେଟୱର୍କ ଅଂଶଦାର ଭାବେ ଗତ ୩ ବର୍ଷ ହେବ କାର୍ଯ୍ୟକରି ପ୍ରାୟ ୧୦ ଲକ୍ଷରୁ ଉର୍ଦ୍ଧ ଲୋକଙ୍କୁ ବାଲ୍ୟବିବାହ ମୁକ୍ତ ଭାରତ ପାଇଁ ଶପଥ ପାଠ କରାଇ ସାରିଛି ଓ ପ୍ରାୟ ୧ ହଜାରୁ ଅଧିକ ବାଲ୍ୟବିବାହ ରୋକିପାରିଛି ।