ଉକ୍ରର୍ଷ ନିମାପଡ଼ା ୨୦୨୫ ଉଦ୍ଘାଟିତ; ଏହା ଉତ୍ସବ ନୁହେଁ, ଜାଗରଣ : ରାଜ୍ୟପାଳ

 ନିମାପଡା  : ଇଣ୍ଡୋର ଷ୍ଟାଡିୟମ ନିକଟସ୍ଥ ନୂଆ ବାରବାଟି ପଡିଆଠାରେ ଉକ୍ରର୍ଷ ନିମାପଡା ୨୦୨୫ ଦୁଇ ଦିନିଆ ସମ୍ମିଳନୀରେ ରାଜ୍ୟପାଳ ହରିବାବୁ କମ୍ଭମପତି ଯୋଗଦେଇ ଉଦଘାଟନ୍ କରି ଏହା ଏକ ସ୍ୱତନ୍ତ୍ର ଏବଂ ଦୂର ଦୃଷ୍ଟି ପୂର୍ଣ୍ଣ ଯୋଜନା ବୋଲି କହିଛନ୍ତି । ଏଥିରେ ସମସ୍ତେ ମିଳିମିଶି କାମକଲେ ଏବଂ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ଉଦ୍ୟମରେ ସଫଳ ରୂପାୟନ ହୋଇପାରିବ । ନିମାପଡା ଏକ ସଂସ୍କୃତି ସମ୍ପର୍ଣ୍ଣ ଓ ଉତ୍ତମ ସ୍ଥାନ । ଏହାର ସଦୁପଯୋଗ କରାଗଲେ ନିମାପଡ଼ାର ଉନ୍ନତି ହୋଇପାରିବ । ଯେଉଁ ଉକ୍ରର୍ଷ ନିମାପଡ଼ା ୨୦୨୫ ହେଉଛି ଏହା ଉତ୍ସବ ନୁହେଁ, ଏହା ଏକ ଜାଗରଣ । ଏହା ମାଧ୍ୟମରେ ପର୍ଯ୍ୟଟନ ଓ ଅନ୍ୟାନ୍ୟ ଦିଗରେ ବିକାଶ ହେବ । ଆମ ଦେଶର ସବୁଠାରୁ ଶକ୍ତିଶାଳୀ ହେଉଛନ୍ତି କୃଷକ, ଯୁବକ ଓ ମହିଳା ଗୋଷ୍ଠୀ । ଏମାନଙ୍କୁ ପ୍ରାଧାନ୍ୟ ଦେଇ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶକୁ ବିକଶିତ ପଥରେ ଆଗେଇ ନେଉଛନ୍ତି । ଆମ ରାଜ୍ୟ ମୁଖ୍ୟମନ୍ତ୍ରୀ ଏଥିରେ ମଧ୍ୟ ସାମିଲ ଅଛନ୍ତି । ଆମ ରାଜ୍ୟ ଚିର ଋଣି ରହିବ ସେହି ମହିଳାଙ୍କ ପାଇଁ ଯିଏ ପ୍ରଥମ ଥର ପାଇଁ ମହିଳା ଭାବେ ଉପମୁଖ୍ୟମନ୍ତ୍ରୀ ହୋଇଛନ୍ତି । ଏହା ଶେଷ ନୁହେଁ ଆରମ୍ଭ ମାତ୍ର ବୋଲି ରାଜ୍ୟପାଳ କହିଥିଲେ । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଏହି ସମ୍ମିଳନୀରେ ଅଧ୍ୟକ୍ଷତା କରିଥିଲେ । ଜଗତସିଂହପୁର ସାଂସଦ ବିଭୁପ୍ରସାଦ ତରାଇ, ସତ୍ୟବାଦୀ ବିଧାୟକ ଓମ୍ ପ୍ରକାଶ ମିଶ୍ର, ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର, ପୁରୀ ବିଧାୟକ ସୁନିଲ ମହାନ୍ତି ଓ ମିଶନ ଶକ୍ତି ନିଦେ୍ର୍ଦଶିକା ମୋନିକା ପ୍ରିୟଦର୍ଶିନୀ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ମୁଖ୍ୟ ଅତିଥି ପୁରସ୍କୃତ କରିଥିଲେ । ବିକଶିତ ନିମାପଡ଼ା ଗଠନ ନିମନ୍ତେ ଏହାହିଁ ପ୍ରଥମ ପାହାଚ ବୋଲି ଉପମୁଖ୍ୟମନ୍ତ୍ରୀ କହିଥିଲେ । ଉକ୍ରର୍ଷ ନିମାପଡାରେ ଜନପ୍ରତିନିଧି, ବୁଦ୍ଧିଜୀବୀ, ସ୍ଥାନୀୟ ଜନସାଧାରଣ, ଇଣ୍ଡଷ୍ଟ୍ରି ଏକ୍ସପର୍ଟଙ୍କ ମତାମତକୁ ନେଇ ଏକ ସେମିନାର ହୋଇଥିଲା । ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ଆରକ୍ଷୀ ଅଧିକ୍ଷକ ବିନୀତ ଅଗ୍ରୱାଲ ଓ ମଣ୍ଡଳ ଉନ୍ନୟନ ଅଧିକାରୀ ଅଭିଜିତ ଷଡ଼ଙ୍ଗୀ ଦାୟିତ୍ୱ ନିର୍ବାହ କରିଥିଲେ ।