ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ଜିଲ୍ଲାପାଳ; ବିଶୃଙ୍ଖଳାକୁ ବରଦାସ୍ତ କରାଯିବନି

ଢେଙ୍କାନାଳ : ଜିଲ୍ଲାପାଳ  ସୋମେଶ କୁମାର ଉପାଧ୍ୟାୟ ଜିଲ୍ଲାର କଙ୍କଡ଼ାହାଡ଼ ବ୍ଲକ ସ୍ଥିତ ଅପହଞ୍ଚ ଅଞ୍ଚଳରେ ପହଞ୍ôଚ ସେଠାକାର ଗ୍ରାଉଣ୍ଡ ଜିରୋର ସ୍ଥିତି ସମୀକ୍ଷା କରିଛନ୍ତି । ବାସ୍ତବରେ ସରକାରଙ୍କ ଦ୍ୱାରା ପ୍ରଦତ୍ତ ସୁବିଧା ସୁଯୋଗ ଓ ଯୋଜନାମାନ ଅପହଞ୍ଚ ଅଞ୍ଚଳରେ କାର୍ଯ୍ୟକାରୀ ହେଉଛି କି ନାହିଁ ତାହା ଅନୁଧ୍ୟାନ କରିଥିଲେ । ଶ୍ରୀ ଉପାଧ୍ୟାୟ ପ୍ରଥମେ ବ୍ଲକର କରଗୋଳା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡଙ୍ଗପାଳ ଗ୍ରାମକୁ ଯାଇଥିଲେ । ସେଠାରେ ସେ କସ୍ତୁରିବା ଗାନ୍ଧୀ ବାଳିକା ବିଦ୍ୟାଳୟ ପରିଦର୍ଶନ କରି ସେଠାରେ ରୋଷେଇ ପାଇଁ ବ୍ୟବହାର ହେଉଥିବା ବାସନ ନିମ୍ନମାନର ଥିବାରୁ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ଏହାକୁ ପରିବର୍ତ୍ତନ କରିବାକୁ ନିର୍ଦ୍ଦେଶ ଦେବା ସହିତ ବିଦ୍ୟାଳୟ ଓ ଛାତ୍ରୀବାସର ଚାରିପାଖ ସଫାସୁତୁରା ରଖିବାକୁ ନିର୍ଦ୍ଦେଶ ଦେଇଥିଲେ । ଏଥିସହିତ ବିଦ୍ୟାଳୟର ମେଟ୍ରୋନ ଅନୁପସ୍ଥିତ ଥିବାରୁ ସେ ସମ୍ପର୍କରେ ରିପୋର୍ଟ ଦେବାକୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ପରେ ସେ ବ୍ଲକର ନୂତନ ବସ୍‌ଷ୍ଟାଣ୍ଡ ନିର୍ମାଣ ନିମିତ୍ତ ପ୍ରସ୍ତାବିତ ସ୍ଥାନକୁ ଯାଇ ଏହାର ନିର୍ମାଣ କାର୍ଯ୍ୟର ଅଗ୍ରଗତି ନେଇ ସମୀକ୍ଷା କରିଥିଲେ । ସେହିପରି ଜିଲ୍ଲାପାଳ କରଗୋଳ ପଞ୍ଚାୟତର ଶାସପଷି ଗ୍ରାମରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରି ଏହାର ପରିଚାଳନା ସମ୍ପର୍କରେ ଡାକ୍ତର ଓ ନର୍ସଙ୍କ ସହ ଆଲୋଚନା କରିଥିଲେ । ଏବଂ ସ୍ୱାସ୍ଥ୍ୟ କେନ୍ଦ୍ରର ସର୍ବାଙ୍ଗୀନ ଉନ୍ନତି ପାଇଁ ଯୋଜନା ପ୍ରସ୍ତୁତି ପାଇଁ ବ୍ଲକ ଉନ୍ନୟନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ଜିଲ୍ଲାପାଳ କାନ୍ତୋଲ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କୋଟେ ଗ୍ରାମକୁ ଯାଇ ସେଠାକାର ଅଧିବାସୀମାନଙ୍କ ସହ ଆଲୋଚନା କରିଥିଲେ । ସରକାରୀ ସୁବିଧା ସୁଯୋଗ ସଠିକ୍‌ ଭାବେ ଲୋକମାନେ ପାଉଛନ୍ତି ନା ନାହିଁ ତାହା ଅନୁଧ୍ୟାନ କରିଥିଲେ । ଏହା ସହିତ ବ୍ଲକ ପ୍ରାଣୀସମ୍ପଦ ଅଧିକାରୀଙ୍କୁ ଛେଳି ପାଳନ ଯୋଜନାରେ ସ୍ଥାନୀୟ ଲୋକଙ୍କୁ ସହାୟତା ପ୍ରଦାନ କରିବାକୁ କହିଥିଲେ । ଏଥିସହିତ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ପିଏମ ଜନମନ ଯୋଜନାରେ ସମସ୍ତ ହିତାଧିକାରୀ ଗୃହ ପାଇଛନ୍ତି ନା ନାହିଁ ତାକୁ ସୁନିଶ୍ଚିତ କରିବା ପାଇଁ ବ୍ଲକ ଉନ୍ନୟନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ।