ଅନିଶ୍ଚିତତାରେ ଆରଆଇ ଅଫିସ ନିର୍ମାଣ କାର୍ଯ୍ୟ

ନିଶ୍ଚିନ୍ତକୋଇଲି :  ପୂର୍ବ ସରକାର ସମୟରେ ନିଶ୍ଚିନ୍ତକୋଇଲି ତହସିଲ ଅଧିନସ୍ଥ ଅସୁରେଶ୍ୱର ସ୍ଥିତ ବିଷ୍ଣୁପୁର ଆରଆଇ ଅଫିସ ଓ କ୍ୱାଟର ନିର୍ମାଣ ପାଇଁ ୭୮ ଲକ୍ଷ ଟଙ୍କାର ଟେଣ୍ଡର କରାଯାଇଥିଲା । ଟେଣ୍ଡର ହେବାର ଏକ ବର୍ଷ ବିତି ଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହେଉନାହିଁ । ଏହାକୁ ଓଡିଶା ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନରେ ଯାଉଥିବାରୁ ଗ୍ରାମ ଉନ୍ନୟନ ବିଭାଗ ତୁରନ୍ତ କାର୍ଯ୍ୟ କରିବା ପାଇଁ ପଦକ୍ଷେପ ନେଉନାହିଁ । ଠିକାଦାରଙ୍କ କହିବା ଅନୁଯାୟୀ ସହକାରୀ ଯନ୍ତ୍ରୀ ଚିହ୍ନଟ କଲେ କାର୍ଯ୍ୟ ଆରମ୍ଭ ହେବ । କିନ୍ତୁ ବାରମ୍ବାର ଠିକାଦାର ବିଭାଗୀୟ ଅଧିକାରୀଙ୍କୁ କହିଲେ ମଧ୍ୟ ଠିକାଦାରଙ୍କ କଥାକୁ ବିଭାଗୀୟ ଅଧିକାରୀ କର୍ଣ୍ଣପାତ କରୁନାହାଁନ୍ତି ।

  • ଟେଣ୍ଡରକୁ ବିତିଲାଣି ବର୍ଷେ, ପାଦେ ଆଗେଇନି କାର୍ଯ୍ୟ
  • ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବାକୁ ଦାବି 

ଓଡିଶାରେ ଡବଲ ଇଞ୍ଜିନ ସରକାର ଚାଲିଥିଲେ ମଧ୍ୟ ନିଶ୍ଚିନ୍ତକୋଇଲି ତହସିଲ ଅଧିନସ୍ଥ ଅସୁରେଶ୍ୱର ଆରଆଇ ଅଫିସ କାର୍ଯ୍ୟ ହୋଇ ପାରୁନାହିଁ କ’ଣ ପାଇଁ ? ଏବଂ ଏଥିପାଇଁ ପ୍ରଶାସନ ଦାୟୀ  ନା ଆଉ କିଏ ? ଏହାକୁ ନେଇ ସାଧାରଣରେ ନାନାଦି ପ୍ରଶ୍ନ ଉଠିଛି । କେତେକ କୁଜି ନେତା କହୁଛନ୍ତି ଯେ ଶୁଭ ଦିଆଗଲେ ଯାଇ କାର୍ଯ୍ୟ ଆରମ୍ଭ ହେବ । ଆଉ କେତେକ କହୁଛନ୍ତି ଆମେ କାମ ନ କଲେ ଠିକାଦାରଙ୍କୁ କରାଇ ଦେବୁ ନାହିଁ । ଠିକାଦାର ଯେଉଁ ସମୟରେ ଟେଣ୍ଡର ପାଇଥିଲେ ତାହା ଏକ ବର୍ଷ ଗଡିଯିବାରୁ ଘର କାର୍ଯ୍ୟ ପାଇଁ ବ୍ୟବହୃତ ହେଉଥିବା ଦ୍ରବ୍ୟ ଇଟା, ବାଲି, ଗୋଡି, ସିମେଣ୍ଟ, ରଡ୍‌ ଓ ମଞ୍ଜୁରୀ ଦର ବଢିଥିବାରୁ ଠିକାଦାର କ୍ଷତି ସହିବାର ଆଶଙ୍କା ଦେଖାଦେଇଛି । ମାହାଙ୍ଗାର ପ୍ରଗତୀ ପଥରେ କେହି ବାଧକ ହେବେ ନାହିଁ ବୋଲି ସରକାର କହୁଥିବା ବେଳେ ଏଠି ପ୍ରଗତୀରେ ବାଧକ ସାଜିଛି କିଏ ? ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିକାରୀଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ଖୁବ୍‌ ନିକଟରେ କାର୍ଯ୍ୟ ହେବ, କିନ୍ତୁ ଏମିତି କହି କହି ଏକ ବର୍ଷରୁ ଉଦ୍ଧ୍ୱର୍ ହୋଇଗଲାଣି । ହେଲେ କାମ ହେଉନାହିଁ । ଏଥିପ୍ରତି ବିଭାଗୀୟ ଅଧିକାରୀ ଦୃଷ୍ଟି ଦେଇ ତୁରନ୍ତ କାର୍ଯ୍ୟ କରିବା ପାଇଁ ଦାବି ହୋଇଛି ।