ଏସ୍ବିଆଇର ଗ୍ରାହକ ସଚେତନତା ସେବା

 ଢେଙ୍କାନାଳ : ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଢେଙ୍କାନାଳ ମୁଖ୍ୟ ଶାଖା ପକ୍ଷରୁ ଏକ ଗ୍ରାହକ ସଚେତନତା ଓ ବିତୀୟ ସାକ୍ଷରତା କାର୍ଯ୍ୟକ୍ରମ ସ୍ଥାନୀୟ ହୋଟେଲ୍ ଆର୍କେରିଜେନ୍ସୀ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଏକ ସାର୍ବଜନୀନ ରାଷ୍ଟ୍ରାୟତ ବ୍ୟାଙ୍କ ଓ ଆର୍ଥôକ ସେବା ପ୍ରଦାନ କରୁଥିବା ଏକ ବୈଧାନିକ ସଂସ୍ଥା, ଯାହା ବିଶ୍ୱର ୪୩ତମ ବୃହତମ ବ୍ୟାଙ୍କ ଓ ବିଶ୍ୱର ସବୁଠାରୁ ବଡ ନିଗମମାନଙ୍କ ର୍ୟାଙ୍କିଙ୍ଗ୍ ଲିଷ୍ଟ-୨୦୨୦ ଫର୍ଟୁନ ଗ୍ଲୋବାଲ୍ ତାଲିକାରେ ୨୨୧ତମ ସ୍ଥାନରେ ଆସୀନ, ଏକମାତ୍ର ଭାରତୀୟ ବ୍ୟାଙ୍କିଙ୍ଗ୍ ସଂସ୍ଥା । ଗ୍ରାହକମାନଙ୍କ ଦ୍ୱାରା ଦେଶରେ ସେବା ପହଞ୍ଚାଇବା ଓ ଗ୍ରାହକମାନଙ୍କୁ ବ୍ୟାଙ୍କିଙ୍ଗ୍ କ୍ଷେତ୍ରରେ ନୂତନ ଉପଲବ୍ଧି ଦେବା ଆମର ମୂଳ ଲକ୍ଷ୍ୟ ବୋଲି ଢେଙ୍କାନାଳ ମୁଖ୍ୟ ଶାଖାର ମୁଖ୍ୟ କ୍ଷେତ୍ର  ପ୍ରବନ୍ଧକ ସନ୍ଦୀପ୍ କୁମାର ତ୍ରିପାଠୀ ପ୍ରାରମ୍ଭିକ ସୂଚନାକ୍ରମରେ ଉପସ୍ଥାପନ କରିଥିଲେ । ଢେଙ୍କାନାଳ ବାଣିଜ୍ୟ ଓ ଶିଳ୍ପ ପ୍ରତିଷ୍ଠାନର ସଭାପତି ରାଜେନ୍ଦ୍ର କୁମାର ଦାସ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଷ୍ଟେଟ୍ ବ୍ୟାଙ୍କ୍ର ଏହି ଉଦ୍ୟମକୁ ପ୍ରଶଂସା କରିଥିଲେ । ଷ୍ଟେଟ୍ ବ୍ୟାଙ୍କ କଷ୍ଟମର ରିଲେସନ୍ସିପ୍ ମ୍ୟାନେଜର ଦିବ୍ୟ ରଂଜନ ପାଣିଗ୍ରାହୀ ଚଳନ୍ତି ଖାତା (କରେଣ୍ଟ ଆକାଉଣ୍ଟ) ପରିଚାଳନା, ସେ ସଂପର୍କିତ ନୂତନ ସୁବିଧା ସୁଯୋଗ, ଗ୍ରାହକମାନଙ୍କୁ ତ୍ୱରିତ ଋଣ ପ୍ରଦାନ, ସତ୍ତ୍ୱାଧିକାରୀଙ୍କୁ ଜୀବନ ବୀମା ସୁବିଧା ଇତ୍ୟାଦି ସଂପର୍କରେ ଆଲୋକପାତ କରିଥିଲେ । ଷ୍ଟେଟ୍ ବ୍ୟାଙ୍କ କ୍ରେଡିଟ ସପୋର୍ଟ ମ୍ୟାନେଜର ହିମାଂଶୁ ଷଡଙ୍ଗୀ କ୍ଷୁଦ୍ର ବ୍ୟବସାୟୀ ବନ୍ଧୁମାନଙ୍କୁ ମୁଦ୍ରାଋଣର ସଦୁପଯୋଗ କରି ଆତ୍ମନିର୍ଭରଶୀଳ ହେବାକୁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବାଣିଜ୍ୟ ଓ ଶିଳ୍ପ ପ୍ରତିଷ୍ଠାନର ସଦସ୍ୟ, କର୍ମକର୍ତ୍ତା, ଷ୍ଟେଟ୍ ବ୍ୟାଙ୍କର ପ୍ରମୁଖ ଗ୍ରାହକଗଣ, ସହରର ବିଶିଷ୍ଟ ବ୍ୟବସାୟୀମାନେ ଯୋଗଦାନ କରି ପ୍ରଶ୍ନୋତ୍ତର ମାଧ୍ୟମରେ ବିଭିନ୍ନ ସମସ୍ୟାର ସରଳ ସମାଧାନ ଓ ବ୍ୟାଙ୍କିଙ୍ଗ୍ ସେବା ସଂପର୍କରେ ଅବଗତ ହୋଇଥିଲେ । ଶେଷରେ ବାଣିଜ୍ୟ ଓ ଶିଳ୍ପ ପ୍ରତିଷ୍ଠାନର ଉପସଭାପତି ରୋଟାରିଆନ୍ ରାଜ୍ କିଶୋର ବେହେରା ଧନ୍ୟବାଦ୍ ଅର୍ପଣ କରିଥିଲେ ।