ଓମାନରେ ଦାଦନ ଶ୍ରମିକଙ୍କର ମୃତୁ୍ୟ
ରାଜନଗର: ରାଜନଗର ବ୍ଲକ କୁରୁଣ୍ଟି ପଞ୍ଚାୟତ ଚକ୍ରଧରପୁର ଗ୍ରାମର ସୁକଦେବ ସ୍ୱାଇଁଙ୍କ ପୁଅ ବିପିନବିହାରୀ ସ୍ୱାଇଁ (୩୭) ଓମାନକୁ ଦାଦନ ଶ୍ରମିକ ଭାବେ କାର୍ଯ୍ୟ କରିବାକୁ ଯାଇଥିଲେ । ସେଠାରେ ଦୁଇବର୍ଷରୁ ଉଦ୍ଧ୍ୱର୍ ହେବ କାମ କରୁଛନ୍ତି । ୮ ତାରିଖ ରବିବାର ଦିନ ଗୋଟିଏ ଘରର ଛାତ ପଡୁଥିଲା, ସେ ତଳେ ରହି କାମ ତଦାରଖ କରୁଥିଲେ । ହଠାତ୍ ଛାତ ଭୁଷୁଡି ପଡିବାରୁ ସେ ଛାତ ତଳେ ରହିଯାଇଥିଲେ । ତାଙ୍କୁ ଉଦ୍ଧାର କଲା ବେଳକୁ ସେ ମୃତୁ୍ୟବରଣ କରିସାରିଥିଲେ । ଏଖବର ପ୍ରଚାରିତ ହେବା ପରେ ଘରେ କାନ୍ଦବୋବାଳି ଲାଗିରହିଛି । ତାଙ୍କ ବଡଭାଇ ବହୁ ବର୍ଷରୁ ପୃଥକ ହୋଇଯାଇଛନ୍ତି । ଘରେ ବାପା, ମାଆ, ସ୍ତ୍ରୀଙ୍କ ସହ ନଅବର୍ଷ ଝିଅ ଓ ୫ବର୍ଷର ପୁଅ ଅଛନ୍ତି । ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ବିପିନ । ବିଦେଶରୁ କିପରି ଶବ ଫେରିବ ପରିବାର ଚିନ୍ତାରେ ପଡିଛନ୍ତି । କେନ୍ଦ୍ର ଓ ରାଜ୍ୟ ସରକାର ଓମାନରୁ ଶବ ଘରକୁ ଆଣିବାକୁ ପରିବାର ଲୋକେ ନିବେଦନ କରିବା ସହ ସରକାରୀ ସାହାଯ୍ୟ ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।