ଓଡ଼ିଶାରେ ବାଂଲାଦେଶୀ ଝଡ଼


ଭାରତ ସହିତ ବାଂଲାଦେଶର ସମ୍ପର୍କ ଦିନକୁ ଦିନ ଖରାପ ହେଉଥିବା ବେଳେ ଓଡ଼ିଶାରେ ସର୍ବାଧିକ ସଂଖ୍ୟାରେ ବାଂଲାଦେଶୀ ଅନୁପ୍ରବେଶ କରିଥିବା ଘଟଣା ରାଜ୍ୟରେ ବର୍ତ୍ତମାନ ଏକ ରାଜନୀତିକ ଝଡ଼ ସୃଷ୍ଟି କରିଛି । ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହାସିନାଙ୍କୁ ଭାରତ ରାଜନୀତିକ ଆଶ୍ରୟ ଦେଇଥିବାରୁ ବାଂଲାଦେଶ ସହିତ ଭାରତର ବୈଦେଶିକ ତଥା ରାଜନୀତିକ ସମ୍ପର୍କ ସଂପୂର୍ଣ୍ଣ ଭାବେ ବିଗିଡ଼ିଯାଇଛି । ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ୍ ହାସିନା ଦେଶ ଛାଡ଼ିବା ପରେ ମହମ୍ମଦ୍ ୟୁନୁସ୍ ବାଂଲାଦେଶର କାମଚଳା ସରକାରରେ ରାଷ୍ଟ୍ରମୁଖ୍ୟ ଭାବେ ଦାୟିତ୍ୱ ତୁଲାଉଛନ୍ତି । ଅନ୍ୟପକ୍ଷରେ ଦୀର୍ଘ ବର୍ଷ ହେଲା ବାଂଲାଦେଶୀମାନେ ଭାରତରେ ଅନୁପ୍ରବେଶ କରି ଭାରତର ସ୍ଥାୟୀ ବାସିନ୍ଦା ହୋଇ ଗଲେଣି । ଆମ ରାଜ୍ୟର କଥା ତ ନକହିବା ଭଲ । ରାଜ୍ୟର ରାଜଧାନୀ ଭୁବନେଶ୍ୱର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ମାଲକାନଗିରି, ନବରଙ୍ଗପୁର ଆଦି ବିଭିନ୍ନ ସ୍ଥାନରେ ବାଂଲାଦେଶ ଅନୁପ୍ରବେଶକାରୀମାନେ ବହୁ ସଂଖ୍ୟାରେ ସ୍ଥାୟୀ ଭାବରେ ବସବାସ କରିଗଲେଣି । ସେମାନଙ୍କ ମଧ୍ୟରୁ ଅଧିକାଂଶ ନିର୍ମାଣ ଶ୍ରମିକ ଭାବେ କାମ କରୁଥିବା ବେଳେ ଆଉ କିଛି ବ୍ୟକ୍ତି ଛୋଟମୋଟ ବ୍ୟବସାୟ କରି ଏଠାରେ ଗୁଜୁରାଣ ମେଣ୍ଟାଉଛନ୍ତି । ଭାରତରେ ସେମାନଙ୍କୁ ଯେତିକି ରୋଜଗାର ସୁଯୋଗ ମିଳୁଛି ବାଂଲାଦେଶରେ ସେତିକି ସୁଯୋଗ ମିଳୁନାହିଁ । ସେପଟେ ବାଂଲାଦେଶରେ ରୋହିଙ୍ଗ୍ୟା ଶରଣାର୍ଥୀମାନେ ଜାତିଗତ ତଥା ରାଜନିତୀକ ସମସ୍ୟା ସୃଷ୍ଟି କରୁଥିବାରୁ ବର୍ତ୍ତମାନ ବାଂଲାଦେଶର ସାମାଜିକ ଜୀବନ ଅଶାନ୍ତ ହୋଇଉଠିଛି । ବାଂଲାଦେଶର ନାଗରିକ ଏବଂ ସରକାର ରୋହିଙ୍ଗ୍ୟାମାନଙ୍କୁ ଦେଶରୁ ତଡୁଥିବା ବେଳେ ସେମାନଙ୍କ ମଧ୍ୟରୁ କିଛି ଭାରତରେ ମଧ୍ୟ ପ୍ରବେଶ କରିସାରିଛନ୍ତି । ତେଣୁ ବର୍ତ୍ତମାନ ଉଭୟ ରୋହିଙ୍ଗ୍ୟା ଏବଂ ଅନୁପ୍ରବେଶକାରୀ ବାଲାଂଦେଶୀ ଭାରତ ପାଇଁ ଏକ ବଡ଼ ରାଜନୀତିକ ଏବଂ ସାମାଜିକ ସମସ୍ୟା । ଆଉ ଏଭଳି ସମସ୍ୟା ଓଡ଼ିଶାରେ ଉକ୍ରଟ ରୂପ ଧାରଣ କରିଛି । କେନ୍ଦ୍ରାପଡ଼ା ଜିଲ୍ଲା ଉପକୂଳ ଅଞ୍ଚଳରେ ରହିଥିବା ୫୦ଟି ମାନବବିହୀନ ଦ୍ୱୀପରେ ଏହି ଅନୁପ୍ରବେଶକାରୀମାନେ ବସତି ସ୍ଥାପନ କରିଲେଣି । ସେମାନେ ସମୁଦ୍ରରୁ ମାଛ ମାରି ପଟେ ପୋଷୁଥିବା ବେଳେ ଓଡ଼ିଶା ଉପକୂଳରେ କେନ୍ଦ୍ରାପଡ଼ା ଜିଲ୍ଲାର ମତ୍ସଜୀବୀମାନେ ମାଛ ଧରିବା କ୍ଷେତ୍ରରେ ସେମାନଙ୍କ ସହିତ ପ୍ରତିଦ୍ୱନ୍ଦ୍ୱିତ କରିପାରୁନାହାନ୍ତି । ଏଣେ ଭାରତୀୟ ଜଳସୀମା ଭିତରେ ରହିଥିବା ୫୦ଟି ମାନବବିହୀନ ଦ୍ୱୀପ ପ୍ରତିରକ୍ଷା ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଥିବା ବେଳେ ବାଂଲାଦେଶୀ ଅନୁପ୍ରବେଶକାରୀମାନେ ତାକୁ କବଜା କରି ନେଲେଣି । ଏପଟେ ଖୋଦ୍ ରାଜଧାନୀର ଶିଶୁପାଳଗଡ଼ ନିକଟରେ ସେମାନଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଲାଣି । ୟାରି ଭିତରେ ବର୍ଷେ ତଳେ ଓଡ଼ିଶାରେ ବିଜେଡ଼ି ସରକାର ଯାଇ ବିଜେପି ସରକାର ଆସିଥିବା ବେଳେ ବାଂଲାଦେଶୀ ଅନୁପ୍ରବେଶକାରୀ ସମସ୍ୟାକୁ ନେଇ ରାଜ୍ୟ ବିଜେପି, ବିଜେଡ଼ି ସରକାରକୁ ଏହି ସମସ୍ୟା ପାଇଁ ଦାୟୀ କରୁଛନ୍ତି । 
ଅଳ୍ପଦିନ ତଳେ ମେୟର୍ ଗୋଟିଏ ସଭାରେ ଅନୁପ୍ରବେଶକାରୀ ବାଂଲାଦେଶୀଙ୍କୁ ସୁରକ୍ଷା ଦିଆଯିବ ବୋଲି କହିବାରୁ ଏକ ରାଜନୀତିକ ଝଡ଼ ସୃଷ୍ଟି ହୋଇଛି । ଏଣେ ଆଇନ ମନ୍ତ୍ରୀ ମଧ୍ୟ ଆଉ ଏକ ବକ୍ତବ୍ୟରେ ସମସ୍ତ ଅନୁପ୍ରବେଶକାରୀଙ୍କୁ ତଡ଼ାଯିବ ବୋଲି କହି ସାରିଲେଣି । ବିଜେପି ବିଧାୟକ ଜୟନାରାୟଣ ମିଶ୍ର ମଧ୍ୟ କହିଲେଣି ଯେ ଓଡ଼ିଶାରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ବିଜେଡ଼ି ଆଶ୍ରୟ ଦେଇଥିଲା । ଏସବୁକୁ ନେଇ ବର୍ତ୍ତମାନ ଏକ ଝଡ଼ ସୃଷ୍ଟି ହୋଇଛି । 
ଦେଶର ଅନ୍ୟ ରାଜ୍ୟ ଗୁଡ଼ିକ ତୁଳନାରେ ଓଡ଼ିଶାରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ସମସ୍ୟା ଉକ୍ରଟ ଏବଂ ଜଟିଳ ହୋଇପଡ଼ିଛି । ଭୋଟ୍ ରାଜନୀତିକୁ ନେଇ ଅନୁପ୍ରବେଶକାରୀମାନଙ୍କୁ ଆଧାର କାର୍ଡ ଦିଆଯିବା ହେତୁ ତାହାରି ଭିତ୍ତିରେ ସେମାନେ ବ୍ୟାଙ୍କ୍ରେ ଏକାଉଣ୍ଟ୍ ଖୋଲିଛନ୍ତି । ବ୍ୟାଙ୍କ୍ ଏକାଉଣ୍ଟ୍ ଏବଂ ଆଧାରକାର୍ଡକୁ ଭିତ୍ତି କରି ଭୋଟର୍ ପରିଚୟପତ୍ର, ରାସନ୍ କାର୍ଡ୍ ଏବଂ ଭାରତୀୟ ନାଗରିକମାନଙ୍କ ଅନ୍ୟାନ୍ୟ ଆଇନଗତ ଅଧିକାରକୁ ହାତେଇ ନେଇନନ୍ତି । ତେଣୁ ବସ୍ତୁତଃ ସେମାନଙ୍କ ମଧ୍ୟରୁ ଅନେକଙ୍କୁ ଭାରତୀୟ ନାଗରିକ ନୁହଁନ୍ତି ବୋଲି ପ୍ରମାଣ କରି ଅତ୍ୟନ୍ତ ଜଟିଳ କଷ୍ଟକର ହୋଇପଡ଼ିବ । କିଛି ରାଜନୀତିକ ଲୋକଙ୍କର ସ୍ୱାର୍ଥକୁ ନେଇ ଓଡ଼ିଶାରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ସମସ୍ୟା ଯେଭଳି ଜଟିଳ ହୋଇପଡ଼ିଛି ତାହାର ସମାଧାନ ରାଜନୀତିକ ପ୍ରକ୍ରିୟାରେ ଏତେ ସହଜ ମନେ ହୁଏ ନାହିଁ । ତେବେ ଯାହାବି ହେଉ ଏହା ଏକ ସାମାଜିକ ସମସ୍ୟା ଏବଂ ସଂଘର୍ଷରେ ପରିଣତ ହେବା ପୂର୍ବରୁ ରାଜ୍ୟ ଓ କେନ୍ଦ୍ର ସରକାର କଠୋର ପଦକ୍ଷେପ ନେବା ଆବଶ୍ୟକ ।