କଂଗ୍ରେସର ପଦଯାତ୍ରା ଶୁଭାରମ୍ଭ
ଜଗତସିଂହପୁର : ଜୟ ବାପୁ, ଜୟ ଭୀମ, ଜୟ ସମ୍ବିଧାନ ନାରା ଦେଇ ପ୍ରଦେଶ କଂଗ୍ରେସ ପଦଯାତ୍ରାର ଶୁଭାରମ୍ଭ କରିଛି । ଜଗତସିଂହପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା' ଶାରଳାଙ୍କ ପିଠରୁ ଆଜି ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସଙ୍କ ନେତୃତ୍ୱରେ ମା' ଶାରଳାଙ୍କୁ ପୂଜାର୍ଚ୍ଚନା କରି ଆଶୀର୍ବାଦ ନେଇ ପଦଯାତ୍ରା ଆରମ୍ଭ କରିଥିଲେ । ତିର୍ତ୍ତୋଲ କଂଗ୍ରେସ ନେତା ଇଂ ହିମାଂଶୁ ଭୂଷଣ ମଲ୍ଲିକଙ୍କ ତରଫରୁ ସମ୍ବିଧାନ ଗ୍ରନ୍ଥ ପିସିସି ସଭାପତି ଶ୍ରୀଯୁକ୍ତ ଦାସଙ୍କୁ ପ୍ରଦାନ କରାଯାଇଥିଲା ସେ ଏହି ଗ୍ରନ୍ଥକୁ ଧରି ପଦଯାତ୍ରା ଆରମ୍ଭ କରିଥିଲେ । ଏହି ପଦଯାତ୍ରା ସକାଳ ୮ ଘଟିକା ସମୟରେ ଆରମ୍ଭ ହୋଇ ମା' ସାରଳା ମନ୍ଦିରରୁ ବାହାରି ମୁଳିସିଂ ବଜାର, ବିରତୋଳ, ସଂଅରା ଛକ, ସାଁପୁର, ତରଡାପଡା ଛକ, ପୁରୋହିତପୁର ଦେଇ ଜଗତସିଂହପୁର ସହରର ସ୍ଥିତ ଚର୍ଚ୍ଚିକା ବଜାରରେ ପହଞ୍ଚିଥିଲା । ଚର୍ଚ୍ଚିକା ବଜାରରୁ ସଂଧ୍ୟା ୬ ଘଟିକା ସମୟରୁ ମଶାଲ ଶୋଭାଯାତ୍ରାରେ ଗାନ୍ଧୀ ଛକ ପର୍ଯ୍ୟନ୍ତ ଯିବା ସହ ଗାନ୍ଧୀ ଛକ ଠାରେ ପହଞ୍ଚି ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସ ସମେତ ପଦଯାତ୍ରୀଙ୍କୁ ଉଦବୋଧନ ଦେଉଥିଲେ । ଏହି କାର୍ଯ୍ୟକ୍ରମରେ କଂଗ୍ରେସ ଜିଲ୍ଲା ସଭାପତି ନଟବର ବାରିକ, ପିସିସି ସଦସ୍ୟ ତଥା ଯୁବ ନେତାଦେବ ପ୍ରସାଦ ନାୟକ, ପାରାଦ୍ୱୀପ ନେତା ନିରଞ୍ଜନ ନାୟକ, ଏରସମା ବାଲିକୁଦା ନେତା ନଳିନୀ କାନ୍ତ ସ୍ୱାଇଁ, ତିର୍ତ୍ତୋଲ ନେତା ହିମାଂଶୁ ଭୂଷଣ ମଲ୍ଲିକ, ବରିଷ୍ଠ କଂଗ୍ରେସ ନେତା ପୂର୍ବତନ ବିଧାୟକ ଡ଼ ଲଲାଟେନ୍ଦୁ ମହାପାତ୍ର, କଟକ ଜିଲ୍ଲା କଂଗ୍ରେସ ସଭାପତି ତଥା ପୂର୍ବତନ ବିଧାୟକ ରବିନ୍ଦ୍ର କୁମାର ମଲ୍ଲିକ, ପୂର୍ବତନ ପୌରାଧ୍ୟକ୍ଷ ବିପ୍ଳବ ଚୌଧୁରୀ, ଜିଲ୍ଲା କଂଗ୍ରେସ ମୁଖପାତ୍ର ହେମନ୍ତ କୁମାର ରଥ, ନଗର କଂଗ୍ରେସ ସଭାପତି ଅଭୟ କୁମାର ମହାନ୍ତି, ବ୍ଲକ କଂଗ୍ରେସ ସଭାପତି ମାନସ କୁମାର ରଥ, ରଘୁନାଥପୁର ବ୍ଲକ କଂଗ୍ରେସ ଉପ ସଭାପତି ଆର୍ତ୍ତତ୍ରାଣ ପଣ୍ଡା, ସଂଖ୍ୟାଲଘୁ ସେଲ୍ ଅଧ୍ୟକ୍ଷ ଇମତିୟାଜ ଅହମ୍ମଦ ଖାଁ, ଯୁବ ନେତା ଆର୍ଶୀବାଦ ତ୍ରିପାଠୀ, କଂଗ୍ରେସ ନେତା ଠୁକୁରା ସାହୁ ପ୍ରମୁଖଙ୍କ ସମେତ ସରପଞ୍ଚ, ସମିତି ସଭ୍ୟ, ସଭ୍ୟା, ୱାର୍ଡ ସଭ୍ୟା ସଭ୍ୟ, ଜଗତସିଂହପୁର, ତିର୍ତ୍ତୋଲ, ଏରସମା-ବାଲିକୁଦା, ପାରାଦ୍ୱୀପ ଲୋକସଭା ନିର୍ବାଚନମଣ୍ଡଳୀର ସମସ୍ତ ନେତୃମଣ୍ଡଳୀ ଓ ସହସ୍ରାଧିକ କର୍ମୀମାନେ ଯୋଗଦେଇଥିଲେ ।