ବିଭିନ୍ନ ସ୍ଥାନରେ ରାଷ୍ଟ୍ରୀୟ ଲୋକ ଅଦାଲତ

 ଜଗତସିଂହପୁର: ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଜଗତସିଂହପୁର ଜିଲ୍ଲା ଅଦାଲତ ଓ ସ୍ଥାନୀୟ ପୌରପରିଷଦସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଜିଲ୍ଲା ଓ ଦୌରା ଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀନିବାସ ପ୍ରତିହାରୀଙ୍କ ଅଧ୍ୟକ୍ଷତାରେ ଚଳିତ ବର୍ଷର ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ଏହି ଲୋକ ଅଦାଲତରେ ଶ୍ରୀ ଶ୍ରୀନିବାସ ପ୍ରତିହାରୀଙ୍କ ସହ ପରିବାର ଅଦାଲତ ଜଜ୍ ଭଗବାନ ପ୍ରଧାନ, ବିଚାର ବିଭାଗୀୟ ମୁଖ୍ୟ ମାଜିଷ୍ଟ୍ରେଟ ନୀଳିମା ପଣ୍ଡା, ସବ ଜଜ୍ ରାକେଶ ମୁଦୁଲି, ମହିଳା ଅଦାଲତ ବିଚାରପତି ସ୍ୱପ୍ନାଶ୍ରୀ ନାୟକ, ପ୍ରାଧିକରଣର ସଚିବ ବିଡିଡି ଚନ୍ଦନା, ରେଜିଷ୍ଟ୍ରାର ସିଭିଲ୍ କୋର୍ଟ ବିଶ୍ୱକଲ୍ପିତା ମହାନ୍ତି, ସବ୍ ଜଜ୍ ଶର୍ମିଷ୍ଠା ଶୁଭଦର୍ଶିନୀ ମହାନ୍ତି, ଏସ୍ଡିଜେଏମ୍ ନିରଞ୍ଜନ ଦାସ, ମୁନଶିଫ ଅନନ୍ୟା ଦାସ, ଜେଏମ୍ଏଫ୍ସି ସଦକ କାଟଜେ ପ୍ରମୁଖ ଯୋଗଦେଇ ମାମଲାର ପରିଚାଳନା କରିଥିଲେ । ସେହିପରି କୁଜଙ୍ଗ ତାଲୁକ ଆଇନ ସେବା କମିଟି ପକ୍ଷରୁ ଅତିରିକ୍ତ ଜିଲ୍ଲା ଜଜ୍ ଦୀପ୍ତି ପ୍ରକାଶ ବ୍ରହ୍ମାଙ୍କ ଅଧ୍ୟକ୍ଷତାରେ କୁଜଙ୍ଗ ଅଦାଲତରେ ଏବଂ ତିର୍ତ୍ତୋଲ ଆଇନ ସେବା କମିଟି ପକ୍ଷରୁ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ପାରସ ପାଢୀଙ୍କ ଅଧ୍ୟକ୍ଷତାରେ ତିର୍ତ୍ତୋଲ କୋର୍ଟରେ ମଧ୍ୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଛି । ଦୁର୍ଘଟଣା ଜନ୍ନିତ ମୋକଦ୍ଦମାର ବିଚାର ପାଇଁ ଉଦ୍ଦିଷ୍ଟ ବେଞ୍ଚରେ ସ୍ୱଚ୍ଛାସେବୀ ସୁଷମା ପ୍ରଧାନ, ଆଇନଜୀବୀ ପ୍ରମୋଦ ଷଡଙ୍ଗୀ ଏବଂ ଆଇନଜୀବୀ ସଭ୍ୟ ଭାବେ ମୋକଦ୍ଦମା ପରିଚାଳନା କରିଥିଲେ । ଜିଲ୍ଲାରୁ ମୋଟ ୨୯୪୬ ମାମଲାରୁ ୧୭୧୫ ଟି ସଫଳତାର ସହ ଫଇସଲା ହେବା ସହିତ ୩ କୋଟି ୫୨ ଲକ୍ଷ ୩୨ ହଜାର ୯୫୯ ଟଙ୍କା ଆଦାୟ ହୋଇଛି । ସେହିପରି ବ୍ୟାଙ୍କ ଓ ଭାରତ ସଞ୍ଚାର ନିଗମ ଲିମିଟେଡର ମାମଲା ସମ୍ବନ୍ଧିୟ ପ୍ରାକ ମୋକଦ୍ଦମାରେ ୪୩୯୧ ଟି ମାମଲାରୁ ୮୬ ଟି ସଫଳତାର ସହ ଫଇସଲା ହେବା ସହିତ ୧୧ ଲକ୍ଷ ୨୨ ହଜାର ୯୪୭ ଟଙ୍କା ଋଣ ଆଦାୟ କରାଯାଇଛି । ଜଗତସିଂହପୁର ଜିଲ୍ଲା ଅଦାଲତ ସମେତ କୁଜଙ୍ଗ, ତିର୍ତ୍ତୋଲ, ରଘୁନାଥପୁର ଏବଂ ଏରସମା ଅଦାଳତରେ ମଧ୍ୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ବିଚାରପତିଙ୍କ ଦ୍ୱାରା ମୋକଦ୍ଦମା ଗୁଡିକର ଫଇସଲା କରାଯିବା ସହ ଜରିମାନା ଆଦାୟ କରାଯାଇଛି ।
ଭଦ୍ରକ: ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଜାତୀୟ ଆଇନ୍ ସେବା ପ୍ରାଧିକରଣ ଏବଂ ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣଙ୍କ ନିଦେ୍ର୍ଦଶ କ୍ରମେ ଭଦ୍ରକ ଜିଲ୍ଲା କୋର୍ଟ ପରିସରରେ ଅନୁଷ୍ଠିତ ହୋଇଛି । ଆଇନସେବା ପ୍ରାଧିକରଣର ଅଧ୍ୟକ୍ଷ ସଂଗ୍ରାମ କେଶରୀ ପଟ୍ଟନାୟକ ଏଥିରେ ଅଧ୍ୟକ୍ଷତା କରିଥିବା ବେଳେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣର ସଚିବ ନେହା ଅଗରୱାଲ ଏହି ଲୋକ ଅଦାଲତକୁ ପରିଚାଳନା କରିଥିଲେ । ମୋଟ ୫,୫୯,୭୫,୫୪୪ ଟଙ୍କାରେ ୧୬୨୩ଟି ମୋକଦ୍ଧମାର ଆପୋଷ ସମାଧାନ ହୋଇଥିଲା । ସେଗୁଡ଼ିକ ମଧ୍ୟରେ ବିଭିନ୍ନ ମୋଟରଯାନ ଦୁର୍ଘଟଣା ଦାବି, ଟ୍ରିବୁନାଲର ବିଚରାଧିନ ୪୩ଟି ମାମଲାର ୨,୮୨,୯୩,୪୦୦ ଟଙ୍କାରେ, ୨୮ଟି ବୈବାହିକ ବିବାଦ, ପ୍ରାକ୍ ମୋକଦ୍ଦମା ମଧ୍ୟରେ ବିଭିନ୍ନ ବ୍ୟାଙ୍କର ୧୫୪ଟି ବ୍ୟାଙ୍କ ଋଣ ମାମଲା ୨୬,୨୪,୭୮୬ ଟଙ୍କାରେ ଭାରତ ସଂଚାର ନିଗମ ଲିମିଟେଡ୍ର ଟେଲିଫୋନ୍ ବିଲ୍ ସମ୍ବନ୍ଧୀୟ ଏବଂ ବିଦୁ୍ୟତ୍ ମାମଲା ୯୧ଟି ୧୩,୦୩,୮୩୦ ଟଙ୍କାରେ ଆପୋଷ ବୁଝାମଣା ମାଧ୍ୟମରେ ସମାଧାନ କରାଯାଇଛି ।