କଅଁସ ପଞ୍ଚାୟତର ହାଇସ୍କୁଲ ସ୍ଥାୟିତ୍ୱ ପ୍ରତି ଆଶଙ୍କା : ଅନ୍ଧାରରେ ପିଲାଙ୍କ ଭବିଷ୍ୟତ  

 କାଳିଆପାଣି : କାଳିଆପାଣି ଖଣି ଅଞ୍ଚଳ କଅଁସ ପଞ୍ଚାୟତରେ ଥିବା ଏକମାତ୍ର ହାଇସ୍କୁଲର ସ୍ଥାୟୀତ୍ୱ ପ୍ରତି ବିପଦ ଆଶଙ୍କା ଦେଖାଦେଇଛି । ୨୦୦୨-୩ ମସିହାରେ ସ୍ଥାପିତ ହୋଇଥିବା ଏହି ସ୍କୁଲଟି ନବଘନ ବଳସାମନ୍ତ ମେମୋରିଆଲ ସ୍କୁଲ ନାମରେ ବର୍ତମାନ ରାଜ୍ୟ ସମବାୟ, ହସ୍ତତନ୍ତ, ହସ୍ତଶୀଳ୍ପ ଏବଂ ବୟନଶୀଳ୍ପ ମନ୍ତ୍ରୀ ପ୍ରଦୀପ ବଳସାମନ୍ତଙ୍କ ଦ୍ୱାରା ପ୍ରତିଷ୍ଠା କରାଯାଇଥିଲା । ଉକ୍ତ ସ୍କୁଲଟି ପୂର୍ବରୁ କାଳିଆପାଣି ପଂଚାୟତରେ ଥିଲା ଏବଂ ଏବେ ଏହା କଅଁସ ପଂଚାୟତରେ ଅର୍ନ୍ତଭୁକ୍ତ ହୋଇଛି । ଏହି ସ୍କୁଲଟିରେ ସମଗ୍ର କଅଁସ ପଂଚାୟତର ଆଦିବାସୀ ବର୍ଗର ପିଲାମାନେ ନବମ ଏବଂ ଦଶମ ଶ୍ରେଣୀରେ ଅଧ୍ୟୟନ କରନ୍ତି । ବର୍ତମାନ ନବମ ଓ ଦଶମ ଶ୍ରେଣୀକୁ ମିଶାଇ ୧୫୪ଜଣ ଛାତ୍ରଛାତ୍ରୀ ଏହି ସ୍କୁଲଟିରେ ପାଠ ପଢୁଛନ୍ତି । କିନ୍ତୁ ଦୁର୍ଭାଗ୍ୟର ବିଷୟ ଯେ ବର୍ତମାନ ଏହି ସ୍କୁଲର ଚତୁର୍ପାଶ୍ୱରେ ଏଭଳି ବାତାବରଣ ସୃଷ୍ଟି ହେଇଛି ଯାହା ସ୍କୁଲର ଭବିଷ୍ୟତକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହି ସ୍କୁଲଟି ବର୍ତମାନ ଓଡିଶା ଖଣି ନିଗମ ଅଧିନରେ ଥିବା ଲିଜ ଏରିଆ ମଧ୍ୟରେ ରହିଛି । ଏବଂ କମ୍ପାନୀ ଗତ କିଛିବର୍ଷ ଠାରୁ ଏହି ସ୍କୁଲ ଚତୁର୍ପାର୍ଶ୍ୱରେ ଥିବା ଚାଷଜମି, ସୁକୁରୁଙ୍ଗୀ ଏବଂ ସାରୁଆବିଲି ଗ୍ରାମବାସୀଙ୍କ ଗୋଚର ଜମିକୁ ମାଟି ଡମ୍ପରେ ପରିଣତ କରିସାରିଛି । ସ୍କୁଲର ପୂର୍ବ ଏବଂ ଦକ୍ଷିଣ ଦିଗରେ ଥିବା ସ୍କୁଲ ପାଚେରୀକୁ ଲାଗି ବିଶାଳକାୟ ମାଟି ଡମ୍ପ ଠିଆ ହୋଇଥିବାର ଦେଖିବାକୁ ମିଳିଛି । ବର୍ତମାନ ମଧ୍ୟ ପ୍ରତିଦିନ ହଜାର ହଜାର ଟ୍ରିପ ମାଟି ଏହା ଉପରେ ଢଳା ଚାଲିଛ ।
ଏହାର ପ୍ରଭାବରେ ସ୍କୁଲଗୃହ ଭିତରେ ରହି ପାଠ ପଢିବା ଏକ ରକମ ଅସମ୍ଭବ ହୋଇପଡିଛି । ବଡବଡ଼ ଭାରୀଯାନ ଏବଂ ମେସିନର ଗର୍ଜନରେ ସ୍କୁଲ ପିଲାମାନେ ବେଳେ ବେଳେ ଭୟଭୀତ ହୋଇ ପଡୁଛନ୍ତି । ସ୍କୁଲର ସମ୍ମୁଖ ଭାଗରେ ଓଡିଶା ଖଣି ନିଗମ ଏହାର ଟ୍ରକ ପାର୍କିଂ ୟାର୍ଡÿ ନିର୍ମାଣ କରିଛି ଯେଉଁଠାରେ ପ୍ରତି ମୁହୁର୍ତରେ ଶହଶହ ଟ୍ରକ ଗର୍ଜନ କରି ଚଳାଚଳ କରୁଛନ୍ତି । ତେବେ ଏନେଇ ସ୍ଥାନୀୟ ନିବାସୀ ଧୀରେନ୍ଦ୍ର ଦେହୁରୀ, ରବି ସାହୁ ଏବଂ ଅନ୍ୟ ଗ୍ରାମବାସୀ ଅଭିଯୋଗ କରିଛନ୍ତି ଯେ, କମ୍ପାନୀ ଜାଣିଶୁଣି ସ୍କୁଲଟିକୁ ବନ୍ଦ କରିବାର ବ୍ୟବସ୍ଥା କରିଛି । ଏହା ପୂର୍ବରୁ ଅନେକ ଥର ଓଡିଶା ଖଣି ନିଗମର ବରିଷ୍ଠ ଅଧିକାରୀ ମାନଙ୍କୁ ଏସମ୍ବନ୍ଧରେ ମୌଖିକ ଅଭିଯୋଗ କରିଥିଲେ ଏବଂ ଖଣି ନିଗମର ଅଧିକାରୀ ମାନେ ଏଥିପ୍ରତି ଉପଯୁକ୍ତ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ମଧ୍ୟ୍ୟ ଦେଇ ଆସିଛନ୍ତି । କିନ୍ତୁ ଆଜିଯାଏଁ ଏହାର ସମାଧାନ ପ୍ରତି ଗୁରୁତ୍ୱ ଦିଆଯାଇନାହିଁ । ବରଂ ସ୍କୁଲଟିକୁ ଏଠାରୁ ସମ୍ପୂର୍ଣ ବନ୍ଦ କରିବା ଉଦେଶ୍ୟରେ ଖଣି ନିଗମ ସମସ୍ତ ଉପାୟ ଅବଲମ୍ବନ କରୁଥିବାର ଅଭିଯୋଗ ଆସିଛି କ୍ଷ ସରକାରଙ୍କ ଶିକ୍ଷା ନିୟମ ଅନୁଯାଇ ପ୍ରତି ଗ୍ରାମ ପଞ୍ଚାୟତରେ ଗୋଟିଏ ଉଚ୍ଚ ବିଦ୍ୟାଳୟ ରହିବା ଅନିବାର୍ଯ୍ୟ ଥିବାବେଳେ ଏକ ଆଦିବାସୀ ବହୁଳ ତଥା ଦୁର୍ଗମ ଅଞ୍ଚଳର ପିଲାମାନଙ୍କ ଭରସାକୁ କମ୍ପାନୀ କୁଠାରଘାତ କରୁଥୁବା ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ବାସିନ୍ଦା । ନିକଟ ଅତୀତରେ ଓଡିଶା ଖଣି ନିଗମ ର ଜନଶୁଣାଣୀ ବେଳେ ଏହାର ବରିଷ୍ଠ ଅଧିକାରୀ ମାନଙ୍କ ପ୍ରତିଶୃତି କିଛି ଆଶ୍ୱାସନା ଆଣିଥିଲା କିନ୍ତୁ ପରେ ଏହାର ବିପରୀତ କାର୍ଯ୍ୟ କରୁଥିବା ସାରୁଆବିଲି ଏବଂ ସୁକୁକୁରୁଙ୍ଗୀ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ସେମାନେ ଆହୁରି ମଧ୍ୟ୍ୟ ଅଭିଯୋଗ କରିଛନ୍ତି ଯେ ତକ୍ରାଳୀନ ଓଡିଶା ଖଣି ନିଗମର ବରିଷ୍ଠ ଅଧିକାରୀ ତଥା ବର୍ତ୍ତମାନ ରାଜ୍ୟ ସରକାରଙ୍କ ଚିଫ ସେକ୍ରେଟାରୀ ଶାଶ୍ୱତ ମିଶ୍ର ମଧ୍ୟ ସ୍କୁଲଟିକୁ ଅଗ୍ରାଧିକାର ଆକାରରେ ଖଣି ନିଗମ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେବେ ବୋଲି ପ୍ରତିଶୃତି ଦେଇଥିଲେ ଯାହା ଆଜିବି ପୂରଣ ହୋଇପାରି ନାହିଁ । ପଂଚାୟତର ଏକମାତ୍ର ହାଇସ୍କୁଲଟି ଉପରେ କଅଁସ ପଞ୍ଚାୟତର ଦୁର୍ଗମ ପାହାଡିଆ ଅଂଚଳ ଟିକରପଡା ବାଲିସାହି, କମର୍ଦା ଏବଂ କାଳିଆପାଣି ପଂଚାୟତର ମଧ୍ୟ କିଛି ଛାତ୍ରଛାତ୍ରୀ ନିର୍ଭର କରନ୍ତି । ହେଲେ ଏବେ ଏହାର ସ୍ଥାୟୀତ୍ୱକୁ ବିପଦ ଆସୁଥିବା ଦେଖି ନିଜ ଭବିଷ୍ୟତ ଅନ୍ଧାର ଆଡକୁ ଗତି କରୁଥିବା ଅନୁଭବ କରୁଛନ୍ତି । ତେବେ ସାଧାରଣରେ ଚର୍ଚ୍ଚା ଚାଲିଛି ଯେ ଖଣି ଅଞ୍ଚଳର ଶିକ୍ଷା ବ୍ୟବସ୍ଥାକୁ ସମ୍ପୂର୍ଣ ରୂପେ ଧ୍ୱସ୍ତ କରିବାକୁ କାଳିଆପାଣି ଖଣି ଅଞ୍ଚଳର ସମସ୍ତ ଖଣି କମ୍ପାନୀ, ଶିକ୍ଷା ଅଧିକାରୀ ଏବଂ ଜନପ୍ରତିନିଧି ଏକ ସୁନିୟୋଜିତ ଯୋଜନା ଚଳାଇଛନ୍ତି ।