କଣ୍ଠଶିଳ୍ପୀ ସୁନନ୍ଦା ପଟ୍ଟନାୟକଙ୍କ ଜମି ହଡପ

 ସୁପ୍ରସିଦ୍ଧ କଣ୍ଠଶିଳ୍ପୀ ସୁନନ୍ଦା ପଟ୍ଟନାୟକଙ୍କ ଶେଷ ସନ୍ତକ ପୁରୀରୁ ବିଲୀନ ହେବାକୁ ଯାଉଛି  ।   ତାଙ୍କୁ ମିଳିଥିବା ପ୍ରାୟ ୨ ଏକର ଜାଗାକୁ ପ୍ରଶାସନ ସୁରକ୍ଷା ଦେଇ ନପାରିବାରୁ ତାହା ଏବେ ପ୍ଲଟିଂ ହେବାକୁ ଯାଉଛି ।   ଜମି ମାଫିଆ ଏହି ପ୍ଲଟ୍‌କୁ ରାସ୍ତା ତିଆରି କରି ପ୍ଲଟିଂ କରିବାକୁ ଯୋଜନା କରିଛନ୍ତି । ପ୍ରଶାସନିକ ଅବହେଳା କେବଳ ତାଙ୍କ ଶେଷ ସନ୍ତକକୁ ହଜାଇ ଦେବାକୁ ବସିନି ବରଂ ସେହି ପ୍ରସିଦ୍ଧ କଣ୍ଠଶିଳ୍ପୀଙ୍କର ସମ୍ମାନହାନୀ କରିଛି । ଏହି ପ୍ଲଟିଂ କାରବାରରେ ରାଜସ୍ବ ବିଭାଗର ଖୋଦ୍‌ ସରକାରୀ ଅଧିକାରୀ ସାହାଯ୍ୟ କରୁଥିବା ଅଭିଯୋଗ ହୋଇଛି  ।  ପ୍ରାୟ ଦୁଇ ବର୍ଷ ତଳେ ଅଭିଯୋଗ ହେବା ପରେ ତତ୍କାଳୀନ ସଂସ୍କୃତି ଅଧିକାରୀ ଓ ତହସିଲଦାର କ୍ଷେତ୍ର ପରିଦର୍ଶନ କରି ଏହି ଜମିର ଚିହ୍ନଟୀକରଣ କରିବାକୁ ଉଦ୍ୟମ କରିଥିଲେ  ।  ଏହି ଦୁଇ ଅଧିକାରୀଙ୍କ ସହ ଜିଲ୍ଲାପାଳଙ୍କର ବଦଳି ହେବାରୁ ଏହି ଉଦ୍ୟମ ଅଧାରେ ଅଟକି ଯାଇଛି  । ଏବେ ଦୁଇ ନୂଆ ଅଧିକାରୀ ଏ ବାବଦରେ ସମ୍ପୂର୍ଣ୍ଣ ଅଜ୍ଞ । ବେଆଇନ ଭାବରେ ଚାଲିଥିବା ପ୍ଲଟିଂ ବାରବାରରେ ମଧ୍ୟ ରୋକ୍‌ ଲଗାଇ ପାରି ନାହାନ୍ତି। ଫଳରେ ଖୁବ୍‌ଶୀଘ୍ର ଏହି ଜମି ବେଆଇନ ଭାବରେ ବିକ୍ରି ହେବା ଥୟ ହୋଇଛି।  କେବଳ ଓଡ଼ିଶା ନୁହେଁ, ଓଡ଼ିଶା ବାହାରେ ମଧ୍ୟ ଏହି ପ୍ରଥିତଯଶା କଣ୍ଠଶିଳ୍ପୀ ବେଶ୍‌ ପ୍ରତିଷ୍ଠା ଲାଭ କରିଥିଲେ। ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ତାଙ୍କ ସମ୍ମାନ ରକ୍ଷା କରିବା ପାଇଁ ବଳିଆପଣ୍ଡା ଦାମୋଦର ରୋଡ୍‌ରେ ତାଙ୍କୁ ୨ ଏକର ଜମି ଦେଇଥିଲେ। ଏଠାରେ ସେ ଏକ ସଙ୍ଗୀତ ମହାବିଦ୍ୟାଳୟ ପ୍ରତିଷ୍ଠା କରିବାକୁ ଯୋଜନା କରିଥିଲେ । ଏଠାରେ ଥିବା ତାଙ୍କ ଘରେ ସେ ନିୟମିତ ସଂଗୀତ ଶିକ୍ଷା ଦେଉଥିଲେ ।

୧୯୮୩ ମସିହା ପର୍ଯ୍ୟନ୍ତ ଏହା ଚଳଚଞ୍ଚଳ ଥିଲା ।  ପ୍ରସିଦ୍ଧ କଣ୍ଠଶିଳ୍ପୀଙ୍କ ଠାରୁ ସଙ୍ଗୀତ ଶିକ୍ଷା ଲାଭ କରିବା ପାଇଁ କେବଳ ନବୀନ ନୁହନ୍ତି, ବରଂ ପ୍ରବୀଣ କଣ୍ଠଶିଳ୍ପୀଙ୍କର ମଧ୍ୟ ଭିଡ଼ ଜମୁଥିଲା । ୧୯୮୩ ମସିହା ବେଳକୁ ସେ କୋଲକାତା ଚାଲି ଯାଇଥିଲେ  । ମଝିରେ ମଝିରେ ପୁରୀ ଆସି ସଂଗୀତ ଶିକ୍ଷା ଦେଉଥିଲେ ।  କିନ୍ତୁ ସେତେବେଳକୁ ସେ ଦାନ ସୂତ୍ରରେ ପାଇଥିବା ଜମି ଜବରଦଖଲ ହେବାରେ ଲାଗିଥିଲା  ।
 ଜବରଦଖଲମୁକ୍ତ କରିବା ପାଇଁ ସେ ଏକାଧିକ ବାର ପ୍ରଶାସନକୁ ବ୍ୟକ୍ତିଗତ ଭାବରେ ଚିଠି ଲେଖିଥିଲେ । ହେଲେ କେହି ଶୁଣି ନଥିଲେ । ଏଣୁ ୨୦୦୩ ପରଠାରୁ ସେ ଆଉ ଏଠାକୁ ଆସିଲେ ନାହିଁ  । ଫଳରେ ତାଙ୍କର ଘର ମଧ୍ୟ ଜବରଦଖଲ ହୋଇଗଲା। ତାଲା ଭାଙ୍ଗି କେତେକ ପରିବାର ଏଠାରେ ରହିବାକୁ ଲାଗିଲେ  । କିଛି ମାସ ପରେ ମାଫିଆଙ୍କ ନଜର ପଡ଼ିଲା। ସମ୍ପୃକ୍ତ ପରିବାରକୁ ଜବରଦସ୍ତ ହଟାଇ ସୁନନ୍ଦାଙ୍କ ଘରକୁ ମାଫିଆ ତାଙ୍କ କବ୍‌ଜାକୁ ନେଇଗଲେ  । ଏବେ ଏହି ଘର ମାଫିଆମାନଙ୍କର ଆଉଟ୍‌ ହାଉସ୍‌ ପାଲଟିଛି ।  ରାତି ହେଲେ ମଦମାଂସର ଆସର ଜମୁଛି  ।   ଘରକଡ଼କୁ ଲାଗି ରହିଥିବା ଜମିରେ ବା ସରକାରଙ୍କ ତରଫରୁ ଦାନସୂତ୍ରରେ ମିଳିଥିବା ଜମି ଏବେ ପ୍ଲଟିଂ ହେବାକୁ ଯାଉଛି   ।  ଏହି ଜମିକୁ ଯିବା ପାଇଁ ମାଫିଆ ମାଟି ପକାଇ ରାସ୍ତା ତିଆରି କରୁଛନ୍ତି । ସମସ୍ତଙ୍କ ଆଖି ସାମନାରେ ସରକାରୀ ଜମିରେ ମାଟି ପଡ଼ି ରାସ୍ତା ହେଉଥିଲେ ମଧ୍ୟ କାହାରିକୁ ଦେଖା ଯାଉନାହିଁ । ବାସ୍ତବରେ ଏହା ପଛରେ କୋଟି କୋଟି ଟଙ୍କା କାରବାର ହେବାକୁ ଥିବାରୁ ସରକାରୀ କର୍ମଚାରୀ ମଧ୍ୟ ସହାୟତା କରୁଥିବା ଅଭି‌ଯୋଗ ହୋଇଛି । 
୨୦୨୦ ମସିହାରେ ସୁନନ୍ଦା ପଟ୍ଟନାୟକଙ୍କ ମୃତ୍ୟୁ ପରେ ପୁରୀସ୍ଥିତ ଏହି ବାସଭବନକୁ ‘ସୁନନ୍ଦା ସ୍ମୃତି ସଦନ’ ଭାବରେ ବିକଶିତ କରିବାକୁ ତତ୍କାଳୀନ ସରକାର ନିଷ୍ପତ୍ତି ନେଇଥିଲେ। ଓଡ଼ିଶା ସାହିତ୍ୟ ଏକାଡେମୀ ତତ୍କାଳୀନ ସଚିବ ଶୁଚିସ୍ମିତା ମନ୍ତ୍ରୀ, ଉତ୍କଳ ସଂଗୀତ ମହାବିଦ୍ୟାଳୟର ତତ୍କାଳୀନ ଭାରପ୍ରାପ୍ତ ଅଧ୍ୟକ୍ଷ ପ୍ରଦୀପ ଦାଶ, ସଂଗ୍ରହାଳୟ ପକ୍ଷରୁ ଏମ୍‌. ସଂଜୀବ କୁମାର, ଦଇତାପତି ସେବକ ମନୋଜ କୁମାର ଦାସ ମହାପାତ୍ର ଓ ‘ଅଭିନନ୍ଦନିକା’ ସମ୍ପାଦକ ଶ୍ୟାମ ପ୍ରକାଶ ସେନାପତି ଘଟଣାସ୍ଥଳ ପରିଦର୍ଶନ କରିଥିଲେ  ।
 ଏ ବାବଦରେ ଏକ ରିପୋର୍ଟ ମଧ୍ୟ ସରକାରଙ୍କୁ ଦିଆଯାଇଥିଲା ।  ରିପୋର୍ଟ ଆଧାରରେ ସରକାର ଏହି ଜାଗାର ସବିଶେଷ ବିବରଣୀ ପାଇଁ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କୁ ଚିଠି ଲେଖିଥିଲେ ।  ତତ୍କାଳୀନ ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ ସମ୍ପୃକ୍ତ ଜାଗା ଡିମାର୍କେସନ କରିବାକୁ ତହସିଲଦାରଙ୍କୁ ଚିଠି ଲେଖିଥି‌ଲେ ମଧ୍ୟ ଡିମାର୍କେସନ ହୋଇନାହିଁ। ଏହି ଘଟଣାକୁ ୨ ବର୍ଷ ବିତିଗଲାଣି । ଏ ନେଇ ତହସିଲଦାର ଅଭିଷେକ ଦାଶ କହିଛନ୍ତି, ଏ ବାବଦରେ ମୁଁ ଅବଗତ ନାହିଁ  ।  ଏଭଳି ଯଦି ଚିଠି ହୋଇଥାଏ ତେବେ କାହିଁକି ମାପଚୁପ ହୋଇ ନାହିଁ, ତାହା ମୁଁ ଅନୁଧ୍ୟାନ କରିବି  ।