କମଳାକାନ୍ତ ଦାସ ନୂତନ ଥାନାଧିକାରୀ: ଟେଲିଫୋନ ଆଦେଶରେ ଯୋଗଦେଲେ
ଭଣ୍ଡାରିପୋଖରୀ: ରବିବାର ରାତ୍ର ୧୦ଟାରେ ଜିଲ୍ଲା ପୁଲିସ ଅଧିକ୍ଷକଙ୍କ ଠାରୁ ମିଳିଲା ଟେଲିଫୋନ ଆଦେଶ । ବାଲେଶ୍ୱର ଜିଲ୍ଲାରୁ ବଦଳି ହୋଇଆସି ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଅବସ୍ଥାନ କରୁଥିବା ଇନସପେକ୍ଟର କମଳାକାନ୍ତ ଦାସ ରାତ୍ର ୧୧.୧୫ମି.ରେ ଭଣ୍ଡାରିପୋଖରୀ ଥାନାରେ ଯୋଗଦେଲେ । ଏହାଦ୍ୱାରା ଦୀର୍ଘ ୩ ମାସ ଧରି ଥାନାରେ ଖାଲି ପଡିଥିବା ଇନିସପେକ୍ଟର ପଦବୀ ପୂରଣ ହେଲା । ମାତ୍ର ଅତ୍ୟନ୍ତ ବିଶୃଙ୍ଖଳିତ ଢଙ୍ଗରେ ପରିଚାଳିତ ହେଉଥିବା ଏହି ରାଜପଥ ପାଶ୍ୱର୍ ଥାନାକୁ ଲୋକାଭିମୁଖି କରିବା ନୂତନ ଇନିସପେକ୍ଟରଙ୍କ ପାଇଁ ସହଜ ହେବନାହିଁ । ଥାନାର ଅଧିକାଂଶ କର୍ମଚାରୀ ଅପରାଧିମାନଙ୍କ ପୃଷ୍ଠପୋଷକ ସାଜି ୩ ବର୍ଷରୁ ଅଧିକ ସମୟ ଏହି ଥାନାରେ କାର୍ଯ୍ୟ କରୁଛନ୍ତି । ପ୍ରଦୀପ ଜେନା, ସୁଦାମ ମଲ୍ଲିକ, ସନମୟ ପାତ୍ର, ପପୁ ସେଠୀ, ସନ୍ତୋଷ ସେଠୀ, ଇଭାରାଣୀ ପରିଡା, ସବିତା ଧଳ, ଲକ୍ଷ୍ମୀଣ ରାଉତ, ଅକ୍ଷୟ ଦାସ, ଇଶାଖ ଖାଁ ପ୍ରମୁଖ କର୍ମଚାରୀ ବଦଳି ୩ ବର୍ଷ ପୂରଣ କରିସାରିଛନ୍ତି । କେତେକ କର୍ମଚାରୀଙ୍କ ବଦଳି ଆଦେଶ ସତ୍ତ୍ୱେ ଅର୍ଥ ରୋଜଗାର ଲାଳସାରେ ଥାନା ଛାଡୁନାହାନ୍ତି । ଚାକିରିକାଳ ମଧ୍ୟରେ ପଦୋନ୍ନତି ମନା ହୋଇଥିବା ବରିଷ୍ଠ ସବଇନସପେକ୍ଟର ମହାପ୍ରସାଦ ନାୟକଙ୍କୁ ନିୟନ୍ତ୍ରଣ କରିବା ନୂତନ ଥାନାଧିକାରୀଙ୍କ ପାଇଁ ସବୁଠୁ କଷ୍ଟକର ବ୍ୟାପାର ହେବ । ନମ୍ବରବିହୀନ ୩ଟି ଗାଡି ଚଳାଇ ଥାନାକୁ ନିର୍ଭୟରେ ଯାତାୟତ କରୁଥିବା ଏହି ସବଇନିସପେକ୍ଟର ଆଇନ ଠାରୁ ଉର୍ଦ୍ଧରେ ବୋଲି ନିଜକୁ ସାବ୍ୟସ୍ତ କରିବାରେ ସମର୍ଥ ହୋଇପାରିଛନ୍ତି ।
ବିଶୃଙ୍ଖଳିତ କାର୍ଯ୍ୟ ପାଇଁ ଥାନାରୁ ତଡା ଖାଇଥିବା ଗାଡିଚାଳକ ପୂନର୍ବାର ଥାନାକୁ ଫେରି ଅପରାଧିମାନଙ୍କ ମୁଖ୍ୟ ଯୋଗସୂତ୍ରଧର କାର୍ଯ୍ୟ ଚଳାଇଥିବାରୁ ଥାନାରୁ ସାଧାରଣ ଲୋକଙ୍କୁ ନ୍ୟାୟ ପ୍ରଦାନ କରିବା ଅନ୍ୟତମ ପ୍ରମୁଖ କାର୍ଯ୍ୟ ହେବ । ସେହିପରି ଥାନାରେ ଥିବା ଗୋରୁମାଫିଆ, କୋଇଲାମାଫିଆ, ବାଲିମାଫିଆ, ବେଆଇନ ମଦବେପାରୀ, ଚୋରା ଡିଜେଲ ବେପାରୀଙ୍କ ଠାରୁ ବିପୁଳ ପରିମାରଣ ମାସିକ ଅର୍ଥ ଆଦାୟ ଦାୟିତ୍ୱ ଜଣେ ଜଣେ କର୍ମଚାରୀ ବହନ କରି ଉଚ୍ଚ କର୍ତ୍ତୃପକ୍ଷଙ୍କୁ ପାରିତୋଷିକ ପ୍ରଦାନ ମାଧ୍ୟମରେ ଥାନାରେ କାର୍ଯ୍ୟ କରିବା ସୁଯୋଗ ପାଉଥିବା ଜଣାଯାଇଛି । ଏଭଳି ପରିସ୍ଥିତିରେ ଥାନାକୁ କଭଳି ପରିଚାଳିତ କରି ଲୋକଙ୍କ ଆସ୍ତାଭାଜନ ହେବେ ତାହାକୁ ଅଞ୍ଚଳବାସୀ ଅପେକ୍ଷା କରିଛନ୍ତି ।