କମିଶନରେଟ ପୁଲିସର ନୁଆଁ ଫଣ୍ଡା ; ଗାଡି ଚେକିଂ ନାଁରେ ପକେଟ ଗରମ!

ଭୁବନେଶ୍ୱର, ୨୬ା୪ : ଅପରାଧ ରୋକିବା ଓ ଦୁର୍ଘଟଣା ହ୍ରାସ କରିବା ଉଦେ୍ଦଶ୍ୟରେ କମିଶନରେଟ ପୁଲିସ ପକ୍ଷରୁ ଗାଡି-ମୋଟର ଚେକିଂକୁ ଜୋରଦାର କରାଯାଉଛି । ପ୍ରତିଦିନ ବିଭିନ୍ନ ଥାନା ପକ୍ଷରୁ ପ୍ରାୟ ୫୦ରୁ ଅଧିକ ଗାଡିକୁ ଜବତ କରାଯାଇ କୋର୍ଟକୁ ପଠାଯାଉଛି । ମାତ୍ର ଏହି ଗାଡି ଚେକିଂ ଏବେ କିଛି ଅସାଧୁ ପୁଲିସ ଅଫିସରଙ୍କ ଲାଗି ଅର୍ଥ ଆଦାୟର ମଉକା ମିଳିଯାଇଛି । କୋର୍ଟରୁ ଜୋରିମାନା ଦେବା ପରେ ମଧ୍ୟ ଗାଡି ରିଲିଜ କରିବାକୁ ଟଙ୍କା ମାଗୁଛନ୍ତି । ସହିଦନଗର ଥାନାର ସବ୍-ଇନ୍ସପେକ୍ଟର ପ୍ରିୟବ୍ରତ ପ୍ରଧାନ ଭିଜିଲାନ୍ସ ହାତରେ ଧରାପଡିବା ପରେ ଏହା ସ୍ପଷ୍ଟ ହୋଇଯାଇଛି ।
ସହରରେ ଦୁର୍ଘଟଣା ରୋକିବା ଲାଗି କମିଶନରେଟ ପୁଲିସ ପକ୍ଷରୁ ବ୍ଲକିଂ ଓ ଚେକିଂକୁ ମଦ୍ୟପ ଗାଡି ଚଳାକଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ଯାହା ଅତ୍ୟନ୍ତ ସ୍ୱାଗତଯୋଗ୍ୟ ପଦକ୍ଷେପ । ମାତ୍ର ଗାଡି ଚେକିଂ ଆଳରେ କିଛି ପୁଲିସ ଅଧିକାରୀଙ୍କ ଯୋଗୁଁ ନିରିହ ଲୋକେ ଜୁଲମର ଶୀକାର ହେଉଛନ୍ତି । କିଏ ମାନସିକ ଭାବେ ତ କିଏ ଆର୍ଥିକ ଭାବେ ପୁଲିସ ଜୁଲମରେ ଅତିଷ୍ଠ ହୋଇପଡୁଛି । ଏଦିଗରେ ବରିଷ୍ଠ ପୁଲିସ ଅଧିକାରୀମାନେ ତଦାରଖ ନକରିବା ଓ ପ୍ରକୃତ ଅମାନିଆଙ୍କୁ ପୁଲିସ ଧରୁଛି କି ନାହିଁ, ସେଦିଗରେ ଦୃଷ୍ଟି ନଦେବା ଯୋଗୁଁ ଆଜି ଭିଜିଲାନ୍ସ ଥାନାରେ ପଶି ଲାଞ୍ଚୁଆ ଅଫିସରଙ୍କୁ ଗିରଫ କରୁଛି । ଫଳରେ ଦେଶ-ବିଦେଶରେ ରୋଲ ମଡେଲ ପାଲଟୁଥିବା କମିଶନରେଟ ପୁଲିସ ଏବେ ବଦନାମ ହେବାରେ ଲାଗିଛି । ନିୟମ ଅନୁସାରେ, ଦୈନିକ ପୁଲିସ କେତେ ଗାଡି ଜବତ କରୁଛି, ତାହାର ହିସାବ ରହିବା ଆବଶ୍ୟକ । ଏଥି ସହିତ ପୁଲିସ ହାତରେ ଧରାପଡୁଥିବା ଗାଡି ଚାଳକ ପ୍ରକୃତରେ ନିୟମ ଉଲଂଘନ କରିଛି କି ନାହିଁ, ତାର ମଧ୍ୟ ତଦନ୍ତ ହେବା ଆବଶ୍ୟକ । ଜବତ ହେଉଥିବା ଗାଡି ମଧ୍ୟରୁ କେତେ ଗାଡିକୁ ପିଆର କଟାଯାଇ କୋର୍ଟ ପଠାଯାଉଛି । କୋର୍ଟରୁ କେତେ ଗାଡି ବେଲ୍ରେ ଆସୁଛି ଓ କେତେ ରିଲିଜ ହେଉଛି? ପୁଲିସ ପାଖରେ ଏବେ କେତେ ଜବତ ଗାଡି ରହିଛି? ଏହାର ତଥ୍ୟ କୋର୍ଟକୁ ପ୍ରଦାନ କରାଯିବାର ଆବଶ୍ୟକତା ରହିଛି । ହେଲେ ଏସବୁ ଉପରେ କେହି ଦୃଷ୍ଟି ଦେଉ ନାହାନ୍ତି । ଫଳରେ ଗାଡି ରିଲିଜ ଓ ଧରାପଡିବା ବେଳେ ଲାଞ୍ଚ କାରବାର ହେଉଛି । ଏଦିଗରେ ଏବେଠାରୁ ଯଦି ପୁଲିସ କମିଶନର ଓ ଡିସିପି ଦୃଷ୍ଟି ନଦିଅନ୍ତି, ଆଗାମୀ ଦିନରେ କମିଶନରେଟ ପୁଲିସର ଆହୁରି ଅନେକ ପୁଲିସ ଅଧିକାରୀ ଭିଜିଲାନ୍ସ ହାତରେ ଧରାପଡିବେ, ଏଥିରେ ସନେ୍ଦହ ନାହିଁ ।
ଉଲ୍ଲେଖଥାଉ କି, ଜଣେ ବ୍ୟକ୍ତିଙ୍କଠାରୁ ଜବତ ହୋଇଥିବା ଡ୍ରାଇଭିଂ ଲାଇସେନ୍ସ (ଡିଏଲ)କୁ ଫେରାଇବା ପାଇଁ ଲାଞ୍ଚ ନେଉଥିବା ବେଳେ ସହିଦନଗର ଥାନାର ସବ୍-ଇନ୍ସପେକ୍ଟର ପ୍ରିୟବ୍ରତ ପ୍ରଧାନ ଭିଜିଲାନ୍ସ ହାତରେ ଧରାପଡିଥିଲେ । ଅଭିଯୋଗକାରୀଙ୍କୁ ଡିଏଲ୍ ଫେରାଇବାକୁ ସେ ୫ ହଜାର ଟଙ୍କା ମାଗିଥିଲେ । ଅଭିଯୋଗକାରୀ ଗତ ୨୧ ତାରିଖରେ ତାଙ୍କୁ ୩ ହଜାର ଟଙ୍କା ଦେଇଥିଲେ । କିନ୍ତୁ ଆଉ ୨ ହଜାର ଟଙ୍କା ନ ଦେଲେ ଡିଏଲ ଦେବେ ନାହିଁ ବୋଲି ସେ ତାଙ୍କୁ କହିଥିଲେ । ଏହା ପରେ ଅଭିଯୋଗକାରୀ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ । ଯୋଜନା ମୁତାବକ ଗତକାଲି ପ୍ରିୟବ୍ରତ ବାକି ୨ ହଜାର ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଧରିଥିଲେ । ପରେ ତାଙ୍କୁ ଗିରଫ କରାଯାଇଛି ।