କଲବଲ କରୁଛି ବାଲିଗାଡ଼ି 

ରଗଡି : ବୈତରଣୀ ନଦୀରୁ ଅହରହ ବୋଝେଇ ହୋଇଆସୁଥିବା ବାଲିଗାଡ଼ି ବାଇକ ଚାଳକ, ପଦଯାତ୍ରୀ ଓ ରାସ୍ତାକଡ଼ ଗାଁ ଲୋକଙ୍କୁ କଲବଲ କରୁଛି । ବୈତରଣୀ ନଦୀରୁ ବୋଝେଇ ହୋଇଆସୁଥିବା ବାଲିଗାଡ଼ି ଅଧିକାଂଶ ଖଇରା-ନହକା ଏବଂ ରଗଡ଼ି ରାସ୍ତାରେ ଯାତାୟତ କରୁଛି । କୋରେଇ ବ୍ଲକର ବିଭିନ୍ନ ଛକ ଦେଇ କିଛି ଦିନ ହେଲା ଦିନ ରାତି ବହୁଳ ସଂଖ୍ୟାରେ ବାଲି ଗାଡି ଯାତାୟାତ କରୁଛି । ପୂର୍ବରୁ ଡମ୍ଫର ଓ ଟ୍ରାକ୍ଟରରେ ବାଲି ପରିବହନ ହେଉଥିବା ବେଳେ ଏବେ ହାଇବା ଯୋଗେ ବାଲି ପରିବହନ ହେଉଛି । ଲୋକଙ୍କ ଯାତାୟାତରେ ଏହା ସମସ୍ୟା ସୃଷ୍ଟି କରିବା ସହ ଜୀବନ ପ୍ରତି ବିପଦ ସୃଷ୍ଟି କରିଛି । ରଗଡି ଛକ ଉପରେ ସ୍ଥାନୀୟ ଲୋକେ ନିର୍ଭର କରୁଥିବାରୁ ଗହଳି ଲାଗିଥାଏ । ରାସ୍ତା ସଂକୀର୍ଣ୍ଣ ଯୋଗୁ ଦୁଇଟି ଟ୍ରକ ଅତିକ୍ରମ କଲା ବେଳେ ସେହି ସମୟରେ ଅନ୍ୟ ଗାଡିଯିବା ସମ୍ଭବ ହେଉନାହିଁ । କେତେକ ଗାଡ଼ିରେ ପାଲ ବନ୍ଧା ଯାଉ ନଥିବାରୁ ପବନରେ ବାଲି ଉଡି ଲୋକଙ୍କ ଆଖି କାନରେ ପଶି ବିପଦ ସୃଷ୍ଟି କରିଛି । ହେଲେ ପ୍ରଶାସନ ଏଥିପ୍ରତି ଆଖିବୁଝି ଦେଇଛି ।