କାଗଜ କଲମରେ ଚାଲିଛି ଧାନମଣ୍ଡି
ରାଜନଗର: ମଣ୍ଡି ବ୍ୟବସ୍ଥା ସଂପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି । ଚାଷୀମାନେ ହା ହୁତାଶରେ ଦିନ କାଟୁଛନ୍ତି । କାଗଜକଲମରେ ମଣ୍ଡି ବ୍ୟବସ୍ଥା ଚାଲିବା ଘଟଣା ସରକାରଙ୍କ ଆନ୍ତରିକତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛିା ରାଜନଗର ବ୍ଲକରେ ଥିବା ତିନୋଟି ରାଇସ ମିଲର ସମ୍ମୁଖ ରାସ୍ତା । ପ୍ରତି ମିଲ ଆଗରେ ପ୍ରତ୍ୟେହ ଶତାଧିକ ଟ୍ରାକ୍ଟର, ପିକଅପ, ମିନିଟ୍ରକ ଓ ଟ୍ରକ ଧାଡିବାନ୍ଧି ଏକ କିଲୋମିଟରରୁ ଦୁଇ କିଲୋମିଟର ଯାଏଁ ଲମ୍ବିଯାଉଛି । ରାଇସମିଲ ଆଗରେ ଧାନଗାଡି ରଖି ୨/୩ ଦିନ ପର୍ଯ୍ୟନ୍ତ ଶୀତକାକର ଭୋକ ଓପାସରେ ଜଗି ରହୁଛନ୍ତି ଚାଷୀ । ଯୋଗାଣ ବିଭାଗ ଅଧିକାରୀ ସବୁ ଜାଣି ନିରବ ରହୁଥିବା ଅଭିଯୋଗ ହେଉଛି । ଟାର୍ଗେଟ ଆସିବା ପରେ ମଣ୍ଡି ଦାୟିତ୍ୱରେ ଥିବା ନୋଡାଲ ଅଫିସରଙ୍କଠାରୁ ଚାଷୀମାନେ ଟୋକନ ନେବା ପରେ ସମିତି ସମ୍ପାଦକଙ୍କ ଉପରେ ଚାପ ଦେଉଛନ୍ତି । ମଣ୍ଡିରେ ନେଇ ଧାନ ଥୋଉଛନ୍ତି । ସପ୍ତାହ ସପ୍ତାହ ଧରି ମିଲରମାନେ ମଣ୍ଡିକୁ ଧାନ ଆଣିବା ପାଇଁ ଗାଡି ପଠାଉନାହାନ୍ତି । ସମିତି ସମ୍ପାଦକ ଚାଷୀମାନଙ୍କ ଆଗରେ ମିଲ ମାଲିକମାନଙ୍କୁ ଗାଡି ପାଇଁ ଫୋନ କଲେ ଆଜି ଯିବ, କାଲି ଯିବ କହି ଗାଡି ପଠାଉନାହାନ୍ତି । ଫଳରେ ସମ୍ପାଦକମାନେ ଚାଷୀମାନଙ୍କ ଆକ୍ରୋଶର ଶିକାର ହେଉଛନ୍ତି । ବାଧ୍ୟହୋଇ ଚାଷୀମାନେ ନିଜ ପକେଟରୁ ଅଖା କିଣିବା ସହ ଗାଡିରେ ପ୍ରାୟ ୪ହଜାର ଟଙ୍କା ଲେଖାଏଁ ଗାଡି ଭଡା ଦେଇ ମିଲକୁ ଧାନ ନେଉଛନ୍ତି । ସରକାରଙ୍କ ଦୋମୁହାଁ ନୀତି ଯୋଗୁଁ ରାଜନଗର ବ୍ଲକର ଚାଷୀମାନେ ହନ୍ତସନ୍ତ ହେଉଛନ୍ତି । ଚାଷୀମାନଙ୍କ ଅଭିଯୋଗ ଅନୁଯାୟୀ, ବର୍ଷା, ଖରା, ଶୀତ ଓ କାକରରେ ପଡି କ୍ଷେତ ହଳ କରିବାଠାରୁ ଆରମ୍ଭ କରି ରୋଇବା, ବେଉଷଣ କରିବା, ଧାନ କାଟି ଅମଳ କରିବା ପର୍ଯ୍ୟନ୍ତ ଯେତିକି ବାଧିନଥିଲା, ଦୁଇଦିନ ହେଲା ମଣ୍ଡିକୁ ଧାନଗାଡି ଆଣି ତାଠାରୁ ଅଧିକ ଯନ୍ତ୍ରଣା ପାଉଛୁ । ସରକାର ବଦଳୁଛି, ମାତ୍ର ମଣ୍ଡି ବ୍ୟବସ୍ଥାର ସୁଧାର ଆସୁନି । ସମସ୍ତଙ୍କୁ ଘାରିଛି ଚାଷୀଙ୍କୁ ଶୋଷଣ ନୀତି । ପୂର୍ବ ସରକାରରେ ଅଫିସରମାନେ ଟିକେ ଭୟ କରୁଥିଲେ । ମାତ୍ର ନୂଆ ସରକାର ଆସିବା ପରେ ଚାଷୀଙ୍କ କଥା ବୁଝିବାକୁ କେହି ନାହାନ୍ତି ବୋଲି ପ୍ରକାଶ କରିଛନ୍ତି । ଏ ସମ୍ପର୍କରେ ଜିଲ୍ଲା ଯୋଗାଣ ଅଧିକାରୀ ଶ୍ରୀନିବାସ ସାହୁଙ୍କୁ ପଚାରିବାକୁ ଉଦ୍ୟମ କରାଯାଇଥିଲେ ମଧ୍ୟ ସେ ଫୋନ ଉଠାଇନଥିଲେ । ଏନେଇ ବ୍ଲକ ଯୋଗାଣ ଅଧିକାରୀ ରବିନ୍ଦ୍ର କୁମାର ସେଠୀଙ୍କ ସହିତ ଯୋଗାଯୋଗ କରିବାରୁ ମିଲ ମାଲିକମାନେ ଆବଶ୍ୟକ ସଂଖ୍ୟକ ଗାଡି ଧାନମଣ୍ଡିକୁ ପଠାଉନାହାନ୍ତି, ଅଖା ଦେଉନାହାନ୍ତି । ଏ ସମ୍ପର୍କରେ ମୁଁ କେନ୍ଦ୍ରାପଡା ଜିଲ୍ଲାପାଳଙ୍କୁ ପ୍ରତିକାର ପାଇଁ ଜଣାଇଛି ବୋଲି କହିଛନ୍ତି । ଅପରପକ୍ଷରେ ରାଜନଗର ବ୍ଲକର ମଣ୍ଡି ଦାୟିତ୍ୱରେ ଥିବା ଆଡିସନାଲ ମଣ୍ଡି ସୁପରଭାଇଜର ଆଦ୍ୟାଶା ତ୍ରିପାଠିଙ୍କୁ ପଚାରିବାରୁ ମୁଁ କାଲି ଯାଇ ତଦନ୍ତ କରିବା ପରେ ଯାହାକିଛି ପଦକ୍ଷେପ ନେବି ବୋଲି କହିଛନ୍ତି । ଧାନମଣ୍ଡି କାଗଜକଲମରେ ଚାଲିଥିବା ଘଟଣାରେ ସରକାର ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି ।