କାଦୁଅ ପଚପଚ ନରପଦା ରାସ୍ତା ଠିକାଦାର ପାଇଁ ଗ୍ରାମବାସୀ ହନ୍ତସନ୍ତ
ପାଣିକୋଇଲି,: ସାମାନ୍ୟ ବର୍ଷାରେ ରାସ୍ତା ଅବସ୍ଥା ଶୋଚନୀୟ । ଠିକାଦାରଙ୍କ ମନମାନିରୁ ଶହଶହ ପରିବାର କାଦୁଅ ପଚପଚରେ ଯିବା ଆସିବା କରୁଛନ୍ତି । ୧୬ ନମ୍ବର ଜାତୀୟ ରାଜପଥର ଦାମୋଦରପୁର ଗ୍ରାମ ଦେଇ ନରପଦାକୁ ପଡ଼ିଥିବା ନୂତନ ରାସ୍ତାର ନିର୍ମାଣ ସହିତ ପୁରୁଣା ରାସ୍ତାର ସମ୍ପ୍ରସାରଣ କାର୍ଯ୍ୟ ପୂର୍ତ୍ତ ବିଭାଗ ପକ୍ଷରୁ ଚାଲୁଛି । ଉକ୍ତ ରାସ୍ତା କାର୍ଯ୍ୟ ନିମନ୍ତେ ଠିକା ନେଇଥିବା ଜଣେ ଠିକାଦାର ରାସ୍ତା ସମ୍ପ୍ରସାରଣ କରିବା ଲାଗି କେଲୁଅ ମାଟି ଆଣି ପକାଇଥିଲେ । ବର୍ତ୍ତମାନ ବର୍ଷା ଫଳରେ ରାଜପଥରୁ ଯାଇଥିବା ରାସ୍ତାଟି କାଦୁଅରେ ପଚପଚ ହୋଇଅଛି । ଉକ୍ତ ରାସ୍ତାଟିକୁ ମରାମତି କରିବା ଲାଗି ଗ୍ରାମର କିଛି ବ୍ୟକ୍ତିଙ୍କ ଉଦ୍ୟମରେ ବିଭାଗ ତରଫରୁ ମୋରମ ଓ ଡ଼ଷ୍ଟ ପକାଯାଇ ସମତୁଲ କରାଯାଇଥିଲା । ମାତ୍ର ବର୍ଷା ଋତୁ ଆସିବା ପୂର୍ବରୁ କାର୍ଯ୍ୟ ନ ସାରି ଦ୍ୱାରା ସ୍ଥାନୀୟ ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ବିଶେଷ କରି ସ୍କୁଲ କଲେଜକୁ ଯାଉଥିବା ଛାତ୍ରଛାତ୍ରୀ, ସ୍କୁଟି ଆରୋହୀ ରାସ୍ତାରେ ଯିବା ସମୟରେ ଚକା ସ୍ଲିପ କରିଯିବାରୁ ଖସି ପଡ଼ି ଆହତ ହେଉଛନ୍ତି । ମାଟି ପକାଇବା ବେଳେ ବର୍ଷା ହେବାରୁ ଠିକାଦାର କାମକୁ ସଂପୂର୍ଣ୍ଣ କରିବା ପରିବେର୍ତ୍ତେ ଅଧାରୁ ଛାଡ଼ି ଛୁ’ ମାରିଥିବା ଅଭିଯୋଗ ହେଉଛି । ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।