କାମନା ଓ ଦ୍ୱନ୍ଦ୍ୱ


ଦିନେ ସମସ୍ତଙ୍କ ଅଲକ୍ଷ୍ୟରେ ଶ୍ରୀମନ୍ଦିର ଭିତରେ ଗରୁଡ଼ ସ୍ତମ୍ଭର ବାମ କୋଣରେ ଚୁପକରି ବସିଗଲି । ଆଖି ଖୋଲା ଥିବା ସତ୍ତ୍ୱେ ଠାକୁରଙ୍କର ଦର୍ଶନ ହୋଇପାରୁ ନଥିଲା । ହୁଣ୍ଡିରେ ଲୋକମାନେ ପଇସା ଧନରତ୍ନ ପକାଇ ଠାକୁରଙ୍କର ଦର୍ଶନ ପାଇଁ ଆଗକୁ ମାଡ଼ି ଗଲୁଥିଲେ । ମନରେ ଆସିଲା ଶ୍ରୀଚୈତନ୍ୟ, ଦାସିଆ ବାଉରୀ, ସାଲବେଗ, ଜଗନ୍ନାଥ ଦାସ ପ୍ରଭୃତି ଶ୍ରୀମନ୍ଦିର ହୁଣ୍ଡିରେ କେତେ ପଇସା ଦେଇଥିବେ । ମନ କହିଲା ମୂର୍ଖ । ସେତେବେଳେ ହୁଣ୍ଡି ନଥିବ । କିଛି ସମୟ ଧ୍ୟାନ କରିବାରୁ ଜଗନ୍ନାଥଙ୍କ କୃପାରୁ ହୃଦୟଙ୍ଗମ କଲି ଭଗବାନ + କାମନା ହେଉଛି ମଣିଷ । ମଣିଷ - କାମନା ହେଉଛି ଭଗବାନ । ଭଗବାନ ଯେତେବେଳେ କାମନା, ବାସନାଶୂନ୍ୟ, ମୁଁ କାହିଁକି କାମନା କରୁଛି? ବା ଆମେ କାହିଁକି କାମନା କରୁଛୁ । ତେଣୁ ଭଗବାନଙ୍କୁ କୁହାଯାଏ କାମନା ବିହୀନ ଯୋଗୀ ।
ଆଖି ବନ୍ଦ କଲି । ଜଗନ୍ନାଥଙ୍କୁ ପଚାରିଲି ମୋର ଏ କାମନା ଆସୁଛି କେଉଁଠାରୁ? ହୃଦୟରୁ ଉତ୍ତର ମିଳିଲା ସାଂସାରିକ ବନ୍ଧନରୁ । ମୁଁ ଯେତେ ଯେତେ ସଂସାର ବନ୍ଧନରେ ବାନ୍ଧି ହେଉଛି, ମୋର ସେତେ ସେତେ କାମନା ବଢ଼ୁଛି । ଏବେ ବୁଝି ପାରିଲି ଯେଉଁମାନଙ୍କର ପୃଥିବୀ ସହିତ ବନ୍ଧନ ନାହିଁ ସେହି ମାନଙ୍କୁ ଯୋଗୀ, ଋଷି, ମହାପୁରୁଷ କୁହାଯାଏ । ପୃଥିବୀର ସୁଖ, ସ୍ୱାଚ୍ଛନ୍ଦ୍ୟ, ଆରାମ ସେମାନଙ୍କ ନିକଟରେ ନଥାଏ । ମୁଁ ଭାବିଲି ଏ କୋଣରେ ବସି ଭଗବାନଙ୍କୁ ଦେଖିବାକୁ ଚାହୁଁଛି । କଥା ହେବାକୁ ଚାହୁଁଛି । ହୃଦୟଙ୍ଗମ କରିବାକୁ ଚାହୁଁଛି । ଭିତରୁ ଉତ୍ତର ମିଳିଲା ଏସବୁ ମୂଲ୍ୟହୀନ । କିଛି ନ ଚାହିଁ ବା ହିଁ ଆଧ୍ୟାତ୍ମିକତା । ଜଗନ୍ନାଥ କହିଲେ, ମୁଁ କ୍ଷୁଦ୍ର ଠାରୁ କ୍ଷୁଦ୍ର ବଡ଼ ଠାରୁ ମଧ୍ୟ ବଡ଼ । ମୁଁ ଯେତେବେଳେ ସର୍ବତ୍ର ବିଦ୍ୟମାନ ମତେ ପାଇବାକୁ ଆଶା କରିବା ଏକ ବୃଥା ପ୍ରୟାସ ନୁହେଁ କି? ଭାବିଲି ମଣିଷ କାମନା ସେତେବେଳେ କରେ ଯେତେବେଳେ ତାହା ପାଖରେ ନଥାଏ । ଭଗବାନ କଣ ଏକ ବସ୍ତୁ ଯାହାକୁ ପାଇବାକୁ ମୁଁ କାମନା କରିବି? ମୁଁ ଭଗବାନଙ୍କୁ ଚାହେଁ, ମୁଁ ତାଙ୍କ ଭିତର ରହିବାକୁ ଚାହେଁ । ଏସବୁ ବୃଥା ପ୍ରଯତ୍ନ । କାରଣ ସେ ସର୍ବତ୍ର ସବୁ ସମୟରେ ବିଦ୍ୟମାନ । ଜଗନ୍ନାଥଙ୍କୁ କହିଲି ହଉ ଛାଡ଼ । ଆଜିକାଲି ଏଠି ନୂଆ ନୂଆ କୋଠା ତିଆରି ହେଉଛି । ପେନସନ ଗଣ୍ଡାଏ ପାଉଛି । ଗୋଟିଏ ଭଲ ଘରଟିଏ ତୁମ ପାଖରେ ରହିବା ପାଇଁ କରି ଦିଅନ୍ତି କି? ଜଗନ୍ନାଥ କହିଲେ, ପୁରୀରେ ତୋର ଘର ଅଛି ଆଉ ଗୋଟାଏ ଘର କରିବୁ କଣ? ମୁଁ କହିଲି ମୁଁ ତ ଦେଖିପାରୁନି । ସେ କହିଲେ ମୁଁ ତୋର ହୃଦୟକୋଠରୀରେ ବିଦ୍ୟମାନ । ମୁଁ ପଚାରିଲି ମୁଁ କଣ କଲେ ତୁମକୁ ଉପଲବ୍ଧି କରିବି? ଜଗନ୍ନାଥ କହିଲେ କିଛି ନକଲେ । କରିବା ତୋର ଚିନ୍ତାରୁ ଉତ୍ପନ୍ନ ହେଉଛି । ମନ କେତେକ ଚିନ୍ତାର ସମଷ୍ଟି । ଚିନ୍ତାଶୂନ୍ୟ ମନ ହିଁ ଭଗବତ ଉପଲବ୍ଧିର ଉପାୟ । ଚିନ୍ତା ଶୂନ୍ୟ ମନ ହିଁ ସମାଧିସ୍ଥ ଅବସ୍ଥା । ମନ ସାଂସାରିକ ଜିନିଷକୁ ବର୍ଣ୍ଣନା କରିପାରେ । ମୁଁ ମନରୁ ଊଦ୍ଧ୍ୱର୍ଏବଂ ବର୍ଣ୍ଣନାତୀତ ।
ଧର୍ମର ସଂଜ୍ଞା ହେଉଛି ଆଶ୍ୱସ୍ତତା । ଉଦବେଗ ସାଂସାରିକ କାମନା ବାସନାରୁ ଜାତ । ତେଣୁ କିଛି କାମନା କରିବା ଓ ଉଦବେଗ ଶୂନ୍ୟ ହେବା ହିଁ ଧର୍ମ । ଚିନ୍ତା ଶୂନ୍ୟତା ନାହିଁ ମଣିଷକୁ ଉଦବେଗଶୂନ୍ୟ ସ୍ଥିତିକୁ ନେଇପାରେ । ମନ ସାଂସାରିକ ଜିନିଷ ନେଇ ବିଚଳିତ କରାଏ । ଆମେ ଲୋକମାନଙ୍କୁ ଗମ୍ଭୀର ମୁହଁ, ରାଗ ମୁହଁ ଓ ଲମ୍ବ ମୁହଁ ଦେଖାଉ । ହସ ହସ ମୁହଁ ନଥାଏ । ଉଦବେଗରେ ହସ ମୁହଁ ଆସିବ କେଉଁଠୁ? ଜଗନ୍ନାଥ କହିଲେ ମୁଁ ଆନନ୍ଦ ହିଁ ଆନନ୍ଦ । ତୁମେ କେବେ ଶୁଣିଛ ଜଗନ୍ନାଥ ଦୁଃଖ ହିଁ ଦୁଃଖ । ତୁମେ ଆନନ୍ଦିତ ଅବସ୍ଥାରେ ରୁହ । ମୁଁ ପଚାରିଲି ମୋର କାମନା ବାସନା ଆସୁଛି କେଉଁଠୁ? ଜଗନ୍ନାଥ କହିଲେ ତୋର ଚିନ୍ତାରୁ ତୋର ଚିନ୍ତାରୁ ଉତ୍ପତ୍ତିସ୍ଥଳ ଖୋଜି ବାହାର କର । ଦେଖିବୁ ଚିନ୍ତା ଅପସରି ଯିିବ ।
ଜଗନ୍ନାଥ କହିଲେ କ୍ଷମତା ଓ ପ୍ରତିପତ୍ତି ତୋର ଗର୍ବରୁ ଜାତ । ଏହା ଏକ ଦ୍ୱୀପ ସଦୃଶ ଯାହାକି ଭଗବାନଙ୍କ ଠାରୁ ତତେ ଅଲଗା ରଖେ । ସବୁବେଳେ କହ, ମୁଁ ଆସିଛି ଭଗବାନଙ୍କର ସେବା କରିବା ପାଇଁ ସେବା ନେବା ପାଇଁ ନୁହେଁ । ସମ୍ପତ୍ତି ଠୁଳ କରିବାକୁ ନୁହେଁ । ପ୍ରେମର ବନ୍ଧନରେ ବାନ୍ଧି ହେବା ପାଇଁ ମୁଁ ଆସିଛି । ମୁଁ ପ୍ରସିଦ୍ଧି ଲାଭ କରିବା ପାଇଁ, ନାମ, ଯାଶ, କୀର୍ତ୍ତି ସ୍ଥାପନ କରିବା ପାଇଁ ଆସିନାହିଁ । ମୁଁ ଆସିଛି ହୃଦୟ ମନ୍ଦିରରେ ତୁମକୁ ଉପଲବ୍ଧି କରିବା ପାଇଁ ଅନ୍ୟ ସହିତ ପ୍ରତିଯୋଗିତା ପାଇଁ ନୁହେଁ । ଆଖି ଖୋଲିଲି ମୁଁ ଘରେ ବସିଛି ଏହା ଥିଲା ମୋର କଳ୍ପନା ମାତ୍ର । 
ଅନୀତା ପଟ୍ଟନାୟକ,ମୋ: ୯୬୯୨୯୮୦୦୨୬