କାମରେ ଆସୁନି ଶୌଚାଳୟ, ଅସୁବିଧା ଭୋଗୁଛନ୍ତି ଲୋକେ 

ଖୋର୍ଦ୍ଧା: ଉପ-ନିବନ୍ଧକଙ୍କ କାର୍ଯ୍ୟାଳୟ ପରିସର ଅଳିଆ ଆବର୍ଜନାରେ ଭର୍ତ୍ତି ହୋଇ ଏକ ଗନ୍ଧମୟ ପରିବେଶ ସୃଷ୍ଟି କରୁଛି । ଜନ ସାଧାରଣ ଜମି ଜମା ପଞ୍ଜିକରଣ ଏବଂ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ଏହି କାର୍ଯ୍ୟାଳୟକୁ ଆସୁଥିବାବେଳେ ପିଇବା ପାଣି, ପୁରୁଷ ଓ ମହିଳାଙ୍କ ନିମନ୍ତେ ଶୌଚାଳୟ ଏବଂ କୌଣସି ବିଶ୍ରାମଗାରାର ସୁବିଧା ନାହିଁ । ଫଳରେ ସେମାନେ ବାଧ୍ୟହୋଇ ଉପ-ନିବନ୍ଧକ କାର୍ଯ୍ୟାଳୟ ପରିସର ମଧ୍ୟରେ ପରିଶ୍ରା ଏବଂ ମଳ ତ୍ୟାଗ କରୁଛନ୍ତି । ଏହାସହ ସେମାନଙ୍କ ବସିବା ପାଇଁ କୌଣସି ବିଶ୍ରାମଗାର ମଧ୍ୟ ନାହିଁ । ଶୌଚାଳୟ ନଥିବାରୁ ବିଶେଷ କରି ମହିଳାମାନେ ବହୁ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ଏତଦ୍ବ୍ୟତୀତ ଉପ-ନିବନ୍ଧକଙ୍କ କାର୍ଯ୍ୟାଳୟ ପରିସର ପ୍ରତ୍ୟେକ ଦିନ ସଫାସୁତୁରା ହେଉନଥିବାରୁ କାର୍ଯ୍ୟାଳୟ ପରିସରରେ ଅଳିଆ ଆବର୍ଜନା ପଡ଼ିରହିଛି । ଫଳରେ ଏକ ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହୋଇଛି । ଦୈନିକ ଲକ୍ଷ ଲକ୍ଷ ଟଙ୍କାର ରାଜସ୍ୱ ଆଦାୟ ହେଉଥିବା ଏହି କାର୍ଯ୍ୟାଳୟରେ ସାଧାରଣ ଲୋକଙ୍କ ପାଇଁ କୌଣସି ସୁବିଧା ନାହିଁ । ଏଥିପ୍ରତି ଉପ-ନିବନ୍ଧକ ଏବଂ ତାଙ୍କ କାର୍ଯ୍ୟାଳୟର କୌଣସି କର୍ମଚାରୀ ଧ୍ୟାନ ଦେଉନାହାନ୍ତି । ଏନେଇ ଖୋର୍ଦ୍ଧାର ଜନସାଧାରଣ ଓ ବୁଦ୍ଧିଜୀବୀ ମହଲରେ ଅସନ୍ତୁଷ୍ଟ ଦେଖାଦେଇଛି । ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।