କାହା ଇଙ୍ଗିତରେ ପର୍ଯ୍ୟଟକ ଥାନା ସମ୍ମୁଖରେ ଟିକେଟ କାଉଣ୍ଟର?
ବାଲିଅନ୍ତା : ଐତିହାସିକ ପର୍ଯ୍ୟଟନ ସ୍ଥଳୀ ଶାନ୍ତିସ୍ତୁପ ଧଉଳିକୁ ବୁଲିବାକୁ ଆସୁଥିବା ପର୍ଯ୍ୟଟକଙ୍କ ସୁରକ୍ଷା ନିମନ୍ତେ ଶୌଚାଳୟ ନିକଟରେ ଦୀର୍ଘବର୍ଷ ତଳେ ପର୍ଯ୍ୟଟକ ଥାନା ନିର୍ମାଣ କରାଯାଇଥିଲା । ଏଠାରେ ଜଣେ ଉପ-ଆରକ୍ଷୀ ସମେତ ୩ ରୁ ୪ ଜଣ ହୋମଗାର୍ଡ ନିଯୁକ୍ତି ପାଇବା ନିମନ୍ତେ ବ୍ୟବସ୍ଥା କରାଯାଇଥିଲା । ଏଥିପାଇଁ ଆବଶ୍ୟକୀୟ ଉପକରଣ ମଧ୍ୟ ଯୋଗାଇ ଦିଆଯିବା ସହ ଫଳକ ମଧ୍ୟ ଲଗାଯାଇଥିଲା । ମାତ୍ର କମିସନରେଟ ପୁଲିସ ଓ ପର୍ଯ୍ୟଟନ ବିଭାଗର ଆନ୍ତରିକତା ଅଭାବରୁ ଏହା ଆଜି ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇପାରିଲା ନାହିଁ । କାର୍ଯ୍ୟକ୍ଷମ ନ ହେବାରୁ ଏହାର ସୁଯୋଗ ନେଇ ଉକ୍ତ ଥାନା ସମ୍ମୁଖରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ଧଉଳି ଲାଇଟ ଆଣ୍ଡ ସାଉଣ୍ଡ କାର୍ଯ୍ୟକ୍ରମର ଟିକେଟ କାଉଣ୍ଟର ଖୋଲାଯାଇଛି । ଏଥିପାଇଁ ଏକ କଣ୍ଟେନର (ଅସ୍ଥାୟୀ ଗୃହ) ଥାନା ଆଗରେ ରଖାଯାଇଛି । ଥାନା ଆଗରେ ଲାଗିଥିବା ସୂଚନାଫଳକକୁ ହଟାଇ ସେଠାରେ ଏହି କଣ୍ଟେନର ରଖିଛନ୍ତି । ଯାହାକି ପର୍ଯ୍ୟଟକଙ୍କ ନିମନ୍ତେ ଉଦ୍ଧିଷ୍ଟ ଥାନାକୁ ଅସୁନ୍ଦର କରୁଛି । ପର୍ଯ୍ୟଟନ ବିଭାଗର ଏହି ମନମୁଖୀ କାର୍ଯ୍ୟକୁ ନେଇ ପର୍ଯ୍ୟଟକଙ୍କ ମଧ୍ୟରେ ଗଭୀର ଅସନ୍ତୋଷ ଦେଖାଦେଇଛି । କାହା ନିଦେ୍ର୍ଦଶରେ ଏଭଳି କରାଯାଉଛି ତାହା ସବୁଠାରୁ ବଡ଼ ପ୍ରଶ୍ନ । ଅପରପକ୍ଷରେ ଆଜି ଧଉଳି ଥାନା ପୁଲିସ ଲୋକଙ୍କୁ ଠାରୁ ଖବରପାଇ ଏହି ଘଟଣା ଦେଖିବା ପରେ ଅସନ୍ତୋଷ ପ୍ରକାଶ କରିବାସହ ପର୍ଯ୍ୟଟନ ଅଧିକାରୀଙ୍କୁ ଅବଗତ କରାଇଥିଲେ । ମାତ୍ର ପର୍ଯ୍ୟଟନ ଅଧିକାରି ଏହାକୁ କର୍ଣ୍ଣପାତ କରିନଥିଲେ । ଏହାକୁ ନେଇ ଥାନା ପୁଲିସ କ୍ଷୁବ୍ଧ ହୋଇଥିଲେ । ଏନେଇ ପର୍ଯ୍ୟଟନ ଅଧିକାରୀଙ୍କ ସହ ଯୋଗାଯୋଗ କରିଥିଲେ ମଧ୍ୟ କୌଣସି ଉତ୍ତର ମିଳିନଥିଲା ।