କୀଟ କାମୁଡ଼ା ରୋଗ : ସ୍କ୍ରବ ଟାଇଫସ

କୀଟ କାମୁଡ଼ା ରୋଗ : ସ୍କ୍ରବ ଟାଇଫସ

ଡା.ପ୍ରଫୁଲ୍ଲ କୁମାର ଦାସ : ବାତ୍ୟା "ମୋନ୍ଥା'ର ସମସ୍ୟା ଭିତରେ ରାଜ୍ୟରେ ବିଶେଷକରି ସୁନ୍ଦରଗଡ଼ ଜିଲ୍ଲାରେ ସ୍କ୍ରବ ଟାଇଫସ ଉଦବେଗଜନକ ସ୍ଥିତିରେ ପହଞ୍ଚିଛି । ଚଳିତ ବର୍ଷ ଦଶମାସ ମଧ୍ୟରେ ୧୫୬୪ଜଣ ସଂକ୍ରମିତ ଚିହ୍ନଟ ହେଲେଣି । ବିଗତ ମୌସୁମୀ ଲଗାଣ ବର୍ଷା ଭିତରେ ମ୍ୟାଲେରିଆ ଓ ଡେ଼ଙ୍ଗୁ ପରେ ରାଜ୍ୟରେ ସ୍କ୍ରବ ଟାଇଫସରେ ରାଜ୍ୟରେ ଚିନ୍ତା ବଢ଼ାଇବା ଆରମ୍ଭ  କରିଦେଇଛି । ଠିକ୍‌ ଗତ ବର୍ଷ ଏହିପରି ମୌସୁମୀ ଋତୁରେ ହିଁ ଏହି ନୂଆ ରୋଗଟି ରାଜ୍ୟବାସୀଙ୍କୁ ଡରାଇଥିଲା । ଏଯାବତ ରାଜ୍ୟର ସୁନ୍ଦରଗଡ଼ ଜିଲ୍ଲା ବ୍ୟତୀତ ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼ ପରି ଜିଲ୍ଲାରେ ଆକ୍ରାନ୍ତମାନେ ଚିହ୍ନଟ ହେଲେଣି । ରାଉଲକେଲା ସହରାଞ୍ଚଳରେ ସର୍ବାଧିକ ୨୧୫ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଝାରସୁଗୁଡ଼ା, ଦେବଗଡ଼, ସମ୍ବଲପୁର ଜିଲ୍ଲାରେ ୫୭ ଜଣ ରୋଗୀ ଅଛନ୍ତି । ଗତ ବର୍ଷ ଏକ କେନ୍ଦ୍ରୀୟ ପରିଦର୍ଶନକାରୀ ଦଳ ଓଡ଼ିଶାର ତିନୋଟି ଜିଲ୍ଲାକୁ ଗସ୍ତ କରି ଏକ ପ୍ରାଥମିକ ରିପୋର୍ଟ ଦେଇଥିଲେ ସେଥିରେ ସେମାନେ ଏହି ସଂକ୍ରମଣର ବଡ଼ କାରଣ ଦର୍ଶାଇ ଉଲ୍ଲେଖ କରିଥିଲେ ଯେ ବାହାରେ ଖୋଲାମେଲାରେ ମଳମୂତ୍ର ତ୍ୟାଗ କରିବା, ଖାଲି ପାଦରେ ଯିବା ଆସିବା, ଘାସରେ ବସିବା ଓ ଶୋଇବା ହେଉଛି ମୂଳ କାରଣ । ସେହିପରି ମୌସୁମୀ ଋତୁ ଆସିବା ପୂର୍ବରୁ ଲୋକମାନଙ୍କ ଭିତରେ ବିଶେଷ ଭାବେ ଜନସଚେତନତା ବଢ଼ାଇବା ସହ ଅନେକ ଆକ୍ରାନ୍ତଙ୍କ ବିଳମ୍ବରେ ପରୀକ୍ଷା ଓ ଚିକିତ୍ସା ମଧ୍ୟ ଏହି ରୋଗର ସଙ୍ଗୀନ ସ୍ଥିତି ପାଇଁ ବଡ଼ କାରଣ ଭାବେ ଉଲ୍ଲେଖ କରି ଗୁରୁତର ମାନଙ୍କୁ ଆଇସିୟୁ ଚିକିତ୍ସା ପାଇଁ ପରାମର୍ଶ ଦେଇଥିଲେ । ପୂର୍ବରୁ ଓଡ଼ିଶାବାସୀ ସ୍କ୍ରବ ଟାଇଫସରେ ସମ୍ବନ୍ଧରେ ଏକ ପ୍ରକାର ଅଜଣା ରହିଥିଲେ ଲୋକମାନଙ୍କ ଭିତରେ ସେତେଟା ନା ଜଣାଶୁଣା ଥିଲା ନା ସଚେତନତା । ସାଧାରଣତଃ ଜୁଲାଇରୁ ନଭେମ୍ବର ମାସରେ ସ୍କ୍ରବ ଟାଇଫସ ସଂକ୍ରମଣ ଦେଖିବାକୁ ମିଳିଥାଏ । ସ୍ଥଳ ବିଶେଷରେ ଡିସେମ୍ବର ପର୍ଯ୍ୟନ୍ତ ମାଡ଼ିଥାଏ । ଚିଗର୍ସ ନାମକ ଏକ କୀଟ କାମୁଡ଼ିବା ଦ୍ୱାରା ଲୋକଙ୍କ ଶରୀରରେ ସଂକ୍ରମଣ ଆରମ୍ଭ ହୋଇଥାଏ । ସର୍ବସାଧାରଣ ପୋଖରୀ, ବିଲ ଜଙ୍ଗଲକୁ ଯାଉଥିବା ଲୋକ ଏଥିରେ ଆକ୍ରାନ୍ତ ହୋଇଥାନ୍ତି । ପୂର୍ବରୁ ଓଡ଼ିଶାରେ ସ୍କ୍ରବ ଟାଇଫସ ଦେଖିବାକୁ ମିଳୁ ନଥିବାବେଳେ ବିଗତ କିଛି ବର୍ଷ ହେବ ଏଥିରେ ବହୁ ସଂଖ୍ୟାରେ ଲୋକ ଆକ୍ରାନ୍ତ ହେଉଛନ୍ତି । ବୟସ୍କଙ୍କ ତୁଳନାରେ ଛୋଟ ପିଲା ଏଥିରେ ଅଧିକ ଆକ୍ରାନ୍ତ ହେଉଛନ୍ତି । କେବଳ ଯେ ଗ୍ରାମାଞ୍ଚଳରେ ଏହି ସଂକ୍ରମଣ ହେଉଛି ତା ନୁହେଁ । ବରଂ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଏହାର ସଂକ୍ରମଣର ମାତ୍ରା ଦେଖାଦେଉଛି । 


       ସ୍କ୍ରବ ଟାଇଫସରେ ଆକ୍ରାନ୍ତତ ବ୍ୟକ୍ତିଙ୍କ ଶରୀରରେ ତୀବ୍ର ଜ୍ୱର ସାଙ୍ଗକୁ ତଳିପେଟରେ ଯନ୍ତ୍ରଣା, ନିଶ୍ୱାସ ପ୍ରଶ୍ୱାସରେ ସମସ୍ୟା ଦେଖାଦେଇଥାଏ । ଯେଉଁ ସ୍ଥାନକୁ ଏହି କୀଟ କାମୁଡ଼ିଥାଏ ସେହି ସ୍ଥାନର ଚର୍ମ ମୃତ ହୋଇଯାଏ । ଯାହାକୁ ଏସ୍ଟର ଭାବେ ବିବେଚନା କରାଯାଉଛି । ଏଠାରେ ଉଲ୍ଲେଖ କରାଯାଇପାରେ ୨୦୨୨ ମସିହାରେ ଜର୍ଣ୍ଣାଲ ଅଫ ଆପ୍ଲାଏଡ଼ ବାୟୋଲୋଜି ଓ ବାୟୋଟେକନୋଲୋଜିରେ ଓଡ଼ିଶା ସମେତ ଦେଶରେ ହୋଇଥିବା ସ୍କ୍ରବ ଟାଇଫସ ସଂପର୍କିତ ଏକ ସନ୍ଦର୍ଭ ପ୍ରକାଶ ପାଇଥିଲା ।ଏଠାରେ ମନେପକେଇ ଦିଆଯାଇପାରେ ୨୦୧୪ ମସିହାରେ ହଠାତ୍‌ ରାଜ୍ୟରେ ବହୁ ସଂଖ୍ୟାରେ ସ୍କ୍ରବ ଟାଇଫସରେ ଆକ୍ରାନ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଥିଲା । ଭୁବନେଶ୍ୱର ଅଞ୍ଚଳରୁ ୨୫ ଜଣ ଶିଶୁ କିମ୍‌ସ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ୨୦୧୧-୨୦୨୦ ମସିହା ମଧ୍ୟରେ ଓଡ଼ିଶାରେ କେବଳ ୭୯୮ ଜଣ ଆକ୍ରାନ୍ତ ବାହାରିଛନ୍ତି । ଦେଶରେ ସ୍କ୍ରବ ଟାଇଫସରେ ଭିନ୍ନ ଭିନ୍ନ ବର୍ଷରେ ହୋଇଥିବା ମୃତ୍ୟୁରେ ରାଜସ୍ଥାନ ଶୀର୍ଷରେ ରହୁଥିବା ବେଳେ ଓଡ଼ିଶା ଦ୍ୱିତୀୟ ଓ ତାମିଲନାଡୁ ରହିଛି । ମାତ୍ର ନିୟମିତଭାବେ ଉତ୍ତର-ପୂର୍ବ ଭାରତର ରାଜ୍ୟମାନେ ଆକ୍ରାନ୍ତଙ୍କ ସଂଖ୍ୟା ଓ ମୃତ୍ୟୁରେ ଶୀର୍ଷରେ ରହିଥିବା ଗବେଷକମାନେ ଦର୍ଶାଇଛନ୍ତି । ରାଜ୍ୟରେ ଏଯାବତ୍‌ ମାତ୍ର ତିନି ଜଣଙ୍କର ସ୍କ୍ରବ ଟାଇଫସରେ ଆକ୍ରାନ୍ତ ହୋଇଥିବା ନେଇ ଚିହ୍ନଟ କରାଯାଇଛି । ଗତ ବର୍ଷ ସ୍କ୍ରବ ଟାଇଫସରେ ଆକ୍ରାନ୍ତ କିଛି ବ୍ୟକ୍ତିଙ୍କ ପୁନର୍ବାର ନମୁନା ପରୀକ୍ଷା କରାଯିବା ପରେ ତାହା ନେଗେଟିଭ ରହିଥିଲା । ତେଣୁ ଯେଉଁ ବ୍ୟକ୍ତି ସ୍କ୍ରବ ଟାଇଫସରେ ଆକ୍ରାନ୍ତ ଜଣାପଡ଼ିବେ ତାଙ୍କର ପୁନର୍ବାର ନମୁନା ପରୀକ୍ଷା ପାଇଁ ପରାମର୍ଶ ଦିଆଯାଇଛି ।  ତେବେ ସ୍କ୍ରବ ଟାଇଫସରେ ହୋଇଥିବା ମୃତ୍ୟୁ ପଛର ପ୍ରମୁଖ କାରଣ ରହିଛି ରୋଗକୁ ବିଳମ୍ବରେ ଚିହ୍ନଟ, ଭୁଲ ଡାଏଗ୍ନୋସିସ ଓ ଡ୍ରଗ ରେଜିଷ୍ଟାନ୍‌ସ । ଏହାସହ ଅନେକ ରୋଗୀଙ୍କ ଠାରେ ମୃତ ଚର୍ମ ବା ଏସ୍ଟର ଦେଖିବାକୁ ନ ମିଳିବା ମଧ୍ୟ ରୋଗର ବିଳମ୍ବିତ ଚିହ୍ନଟରର ଅନ୍ୟତମ କାରଣ । ଡକ୍ସିସାଇକ୍ଲିନ ଓ ଆଜିଥ୍ରୋମାଇସିନ ଦ୍ୱାରା ଏହା ଭଲ ହୋଇପାରିବ ବୋଲି ବିଶେଷଜ୍ଞମାନେ ମତ ରଖନ୍ତି । ଓଡ଼ିଶାରେ ସ୍କ୍ରବ ଟାଇଫସକୁ ନେଇ ବିଶେଷ ତଥ୍ୟ ନଥିବାରୁ ଏହା ଉପରେ ଅଧିକ ଗବେଷଣାର ଆବଶ୍ୟକତା ରହିଛି ବୋଲି ସେମାନେ ଉଲ୍ଲେଖ କରିଛନ୍ତି । ବାସ୍ତବ କଥା ହେଉଛି ଓଡ଼ିଶା ଏକ କୃଷି ପ୍ରଧାନ ରାଜ୍ୟ ହୋଇଥିବାରୁ ଏବଂ ଲୋକମାନେ ପ୍ରାୟତଃ କୃଷି କ୍ଷେତ୍ର ସହିତ ଖୋଲାମେଲା ସ୍ଥାନ ଓ ବୃକ୍ଷଲତା ଆଦି ରହିଥିବା କ୍ଷେତ୍ର ସହ ସଂସ୍ପର୍ଶରେ ଆସିବା ପରେ ସେମାନଙ୍କୁ ସଂକ୍ରମଣର ବଡ଼ ସମ୍ଭାବନା ରହିଥାଏ । 


        ବିଶେଷକରି ବର୍ଷା ଦିନରେ ଅନେକ କୃଷି କାର୍ଯ୍ୟ ଜରୁରୀ ଭାବେ ରହିଥିବାରୁ କୌଣସି ପରିସ୍ଥିତିରେ କେବଳ କୀଟ କାମୁଡା ନୁହେଁ କୌଣସି ଗଛଲତାର ଆଘାତରେ ଆପଣଙ୍କର କୌଣସି ସ୍ଥାନ କ୍ଷତାକ୍ତ ହୋଇ ରକ୍ତ ବାହାରିଥିଲେ ଏହାକୁ ଅଣଦେଖା କରନ୍ତୁ ନାହିଁ, ତୁରନ୍ତ କ୍ଷତ ସ୍ଥାନର ଉପଷମ କରନ୍ତୁ । ବିଶେଷକରି କୃଷି କ୍ଷେତ୍ର ବା କୌଣସି ବଗିଚା ବାଡ଼ିରେ ଆପଣ ନିୟୋଜିତ ଥିଲେ ସେଠାରୁ ଫେରିବା ପରେ ବିଶୋଧିତ ଉଷୁମ ପାଣିରେ ସ୍ନାନ କରିବା ଭଲ । ସଂପ୍ରତି ଲଗାଣ ମୌସୁମୀ ବର୍ଷା ଦିନ ଥିବାରୁ ସର୍ବନିମ୍ନ ସଚେତନତା ବଢ଼ାଇବା ଉଚିତ । ବାହାରେ କାର୍ଯ୍ୟ କରୁଥିବା ସମୟରେ କୌଣସି ବଡ଼ ହେଉ ବା ଛୋଟ କୀଟପତଙ୍ଗର ଆଘାତ ପାଇବା ମାତ୍ରେ ସେ ସ୍ଥାନଟିକୁ ଭଲ ଭାବେ ପରିଷ୍କାର କରି ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ଦେହରେ ଉତ୍ତାପ ରହୁଥିଲେ ବା ଲଗାତର ଜ୍ୱର ରହୁଥିଲେ କୌଣସି ପରିସ୍ଥିତିରେ କୌଣସି ପୋକ ବା କୀଟ କାମୁଡ଼ୁଥିଲେ ତୁରନ୍ତ ଏହାର ଡାକ୍ତରୀ ପରାମର୍ଶ ଗ୍ରହଣ କରନ୍ତୁ । ତୁଟୁକା ତୁଟୁକି ବା ଗୁଣୀ ଗାରେଡ଼ି ବ୍ୟବସ୍ଥା ଆଦୌ ଗ୍ରହଣ କରନ୍ତୁନାହିଁ । ସର୍ବପ୍ରଥମେ ଆପଣଙ୍କ ଘରର ପରିବେଶ ଓ ଆପଣଙ୍କ ଘର ସଂଲଗ୍ନ ବାଡ଼ି ବା ବଗିଚାକୁ ପରିଷ୍କାର ପରିଚ୍ଛନ୍ନ ରଖନ୍ତୁ । ସନ୍ଧ୍ୟା ସମୟରେ ଘରେ ଧୂଅାଁ ଦେବାର ଅଭ୍ୟାସ ଭଲ । ଆପଣ ଶୋଉଥିବା କୋଠରୀ ଭିତରକୁ ଯେପରି ଉତ୍ତମ ସୂର୍ଯ୍ୟ କିରଣ ପଡେ଼ ଓ ପର୍ଯ୍ୟାପ୍ତ ଖୋଲା ପବନ ଆତଯାତ ହୁଏ ସେ ଦିଗଟିକୁ ଦେଖନ୍ତୁ । ପରିବାରର କୌଣସି ଜଣେ କିମ୍ବା କୌଣସି ସ୍କ୍ରବ ଟାଇଫସ ସଂକ୍ରମିତର ସଂସ୍ପର୍ଶରେ ଆସିବା ମାତ୍ରେ ନିଜେ ସତର୍କ ରୁହନ୍ତୁ ଓ ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ । ସରକାରଙ୍କ କୌଣସି ତଥ୍ୟ ସଂଗ୍ରହକାରୀ ବା ସ୍ୱାସ୍ଥ୍ୟ ବିଶେଷଜ୍ଞ ଟିମ ଆପଣଙ୍କ ଅଞ୍ଚଳକୁ ଯାଉଥିଲେ ସେମାନଙ୍କୁ ସମସ୍ତ ତଥ୍ୟ ପ୍ରକାଶ କରନ୍ତୁ । କୌଣସି ତଥ୍ୟ ଗୋପନୀୟ ରଖନ୍ତୁ ନାହିଁ । ବର୍ତ୍ତମାନ ବାତ୍ୟା ଓ ବର୍ଷା ଜାରି ରହିଥିବାରୁ ବାହାରେ ତିନ୍ତିବା ଅଭ୍ୟାସ ସ୍ୱାସ୍ଥ୍ୟ ପାଇଁ ଭଲ ନୁହେଁ । ସମସ୍ତ ଖାଦ୍ୟ ପଦାର୍ଥ ଗରମ ରହିବା ଭଲ । ଉଷୁମ ପାଣି ମଧ୍ୟ ସର୍ବୋତ୍ତମ । ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ପାଇଁ ଆପଣ ଚେଷ୍ଟିତ ହୁଅନ୍ତୁ । ସବୁଜ ପନିପରିବା, ସୁଷମ ଓ ନିରାମିଷ ଖାଦ୍ୟ ସବୁଠାରୁ ଭଲ । ସମସ୍ତ ପ୍ରକାର ମାଦକ ଦ୍ରବ୍ୟ ଓ ନିଶା ଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ । ସ୍କ୍ରବ ଟାଇଫସକୁ ନେଇ ସେପରି ଆତଙ୍କିତ ବା ଭୟଭୀତ ହେବାର କୌଣସି କାରଣ ନାହିଁ । ସରକାରୀ ସ୍ୱାସ୍ଥ୍ୟ ଟିମର ସହାୟତା ନିଅନ୍ତୁ ଓ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରର ସହଯୋଗ ଆପଣଙ୍କ ପାଇଁ ଖୁବ ଭଲ । 

କଟକ, 
ମୋ: ୯୪୩୭୦୨୩୪୪୩