ଭାରତର ସହଭାଗୀ ସଂସ୍କୃତି
ରେଶମ ଫାତିମା :
ଭାରତର ସଂସ୍କୃତି ବିବିଧ ପରମ୍ପରା, ଭାଷା, ଧର୍ମ ଏବଂ କଳାର ସମାହାର ଯାହା ହଜାର ହଜାର ବର୍ଷ ଧରି ବିକଶିତ ହୋଇଆସୁଛି । ଅନେକ ପିଢି ଧରି ଚାଲିଆସୁଥିବା ଏହି ସହଭାଗୀ ସାଂସ୍କୃତିକ ଐତିହ୍ୟ ଖାଲି ଗର୍ବର ପ୍ରତୀକ ନୁହେଁ ବରଂ ଭବିଷ୍ୟତ ପାଇଁ ଏକ ମାର୍ଗଦର୍ଶକ ଅଟେ । ବର୍ତ୍ତମାନର ଦ୍ରୁତ ପରିବର୍ତ୍ତିତ ବିଶ୍ୱରେ ଭାରତ ଏକ ସମାବେଶୀ, ସ୍ଥାୟୀ ଏବଂ ସଶକ୍ତ ସମାଜ ଗଠନ ପାଇଁ ଏହାର ଅତୀତର ପ୍ରାସଙ୍ଗିକତାକୁ ପୁନଃଆବିଷ୍କାର କରୁଛି ।
ସହାବସ୍ଥାନ ହେଉଛି ଭାରତୀୟ ଐତିହ୍ୟର ମୂଳଦୁଆ । ଅତୀତରୁ ଭାରତ, ହିନ୍ଦୁ, ବୌଦ୍ଧ, ଖ୍ରୀଷ୍ଟିଆନ, ଶିଖ୍, ଜୈନ ଏବଂ ଆଦିବାସୀ ବିଶ୍ୱାସକୁ ଆପଣେଇ ଆସିଛି । ଭକ୍ତି ଓ ସୁଫୀ ଆନେ୍ଦାଳନ ହେଉଛି ଭାରତର ସହଭାଗୀ ସଂସ୍କୃତିର ମୁଖ୍ୟ ଉଦାହରଣ । କବୀର ଏବଂ ଗୁରୁନାନକଙ୍କ ପରି ସନ୍ଥମାନେ ଧାର୍ମିକ ଓ ଜାତିଗତ ଭେଦଭାବକୁ ଦୂର କରି ଏକତା, କରୁଣା ଏବଂ ସମାନତାର ପ୍ରଭାବ ବିସ୍ତାର କରିଥିଲେ । ଆଜମେର ଶରିଫ୍, ବନାରସ୍ ଘାଟ, ତାମିଲନାଡୁର ମନ୍ଦିର ଏବଂ ପଞ୍ଜାବର ଗୁରୁଦ୍ୱାର ଭଳି ଅନେକ ସ୍ଥାନ ଏହି ସମାବେଶୀ ସଂସ୍କୃତିର ଉଦାହରଣ । ଏହିସ୍ଥାନ ଗୁଡିକ କେବଳ ସ୍ମାରକୀ ନୁହନ୍ତି ବରଂ ସାଂସ୍କୃତିକ ଧରୋହରର ଜୀବନ୍ତ ପ୍ରତୀକ । ଭାରତର ପାରମ୍ପରିକ ଜ୍ଞାନ ଆୟୁର୍ବେଦ, ଯୋଗ, ବାସ୍ତୁଶାସ୍ତ୍ର ଏବଂ କୃଷିକୁ ବର୍ତ୍ତମାନର ପରିପ୍ରେକ୍ଷୀରେ ପୁନଃମୂଲ୍ୟାୟନ କରାଯାଉଛି । ଏକଦା ଗ୍ରାମୀଣ ଏବଂ ଧାର୍ମିକ ପରିବେଶରେ ସୀମିତ ଏହି ଜ୍ଞାନ ଗୁଡିକ ବର୍ତ୍ତମାନ ସାସ୍ଥ୍ୟ, ଜଳବାୟୁ ଏବଂ ସଚେତନତା ଉପରେ ବିଶ୍ୱସ୍ତରୀୟ ଆଲୋଚନାରେ ପରିଣତ ହୋଇଛି । ମିଳିତ ଜାତିସଂଘ ଦ୍ୱାରା ଆନ୍ତର୍ଜାତୀୟ ଯୋଗଦିବସର ବିଶ୍ୱବ୍ୟାପୀ ଗ୍ରହଣ, ଭାରତର ସାମଗ୍ରିକ କଲ୍ୟାଣରେ ପ୍ରାଚୀନ ଐତିହ୍ୟରୁ ପ୍ରେରିତ । ସେହିପରି କୂପ, ପୁଷ୍କରିଣୀ ଦ୍ୱାରା ଜଳସଂରକ୍ଷଣ ଭଳି ପାରମ୍ପରିକ ପ୍ରଣାଳୀ ଗୁଡିକ ଜଳବାୟୁ ପରିବର୍ତ୍ତନ ନିରୋଧୀ ଭିତ୍ତିଭୂମି ମଡେଲ ଭାବରେ ବ୍ୟବହୃତ ହେଉଛି । ମଧୁବନୀ, ୱଲି ଏବଂ ପଟ୍ଟଚିତ୍ର ଭଳି ପାରମ୍ପରିକ ହସ୍ତଶିଳ୍ପ ଏବଂ କଥକ୍, ଭାରତନାଟ୍ୟମ ଏବଂ ବାଉଲ ସଂଙ୍ଗୀତ ପରି ପ୍ରଦର୍ଶନ କଳା, ସାମୂହିକ ସ୍ମୃତି ଏବଂ ଆଂଚଳିକ ପରିଚୟର କାହାଣୀକୁ ସୁଚାଇଥାଏ । ବର୍ତ୍ତମାନ ଲୁପ୍ତ ହେଉଥିବା ଏହି କଳାକୁ ପୁନର୍ଜୀବିତ କରିବା ପାଇଁ ଅନେକ ପ୍ରୟାସ କରାଯାଉଛି । ସରକାରି ଯୋଜନା ଇ-କର୍ମସ ପ୍ଲାଟଫର୍ମ ଏବଂ ଡିଜାଇନ ଦ୍ୱାରା ମୁଖ୍ୟତଃ ଅବହେଳିତ କଳାକାର ସମ୍ପ୍ରଦାୟମାନଙ୍କୁ ସହଯୋଗ ଯୋଗାଇ ଦିଆଯାଉଛି । ଏହି ପୁନର୍ଜୀବନ ପ୍ରୟାସ କେବଳ ସାଂସ୍କୃତିକ ସଂରକ୍ଷଣ ନୁହେଁ ବରଂ ଗ୍ରାମୀଣ ମହିଳା ଏବଂ ଯୁବକଙ୍କ ପାଇଁ ଜୀବିକା ମଧ୍ୟ ସୃଷ୍ଟି କରୁଛି । ସହଭାଗୀ ସାଂସ୍କୃତିକ ଏତିହ୍ୟ ଶାନ୍ତି ଏବଂ ଆନ୍ତର୍ଜାତୀୟ ସହଯୋଗ ପାଇଁ ଏକ ସେତୁ ଭାବରେ କାର୍ଯ୍ୟ କରେ । ନେପାଲ, ଭୁଟାନ୍, ବାଙ୍ଗଲାଦେଶ ଏବଂ ଶ୍ରୀଲଙ୍କା ଭଳି ଦେଶ ସହ ଭାରତର ଐତିହାସିକ ସମ୍ପର୍କ ବୌଦ୍ଧ ଧର୍ମରୁ ଆରମ୍ଭ କରି ଭାଷା ଏବଂ ଖାଦ୍ୟ ପର୍ଯ୍ୟନ୍ତ ଜଡିତ । ନାଳନ୍ଦା ବିଶ୍ୱବିଦ୍ୟାଳୟର ପୁନରୁଦ୍ଧାର ଏବଂ ଦକ୍ଷିଣ ଏସିଆରେ ‘ୟୁନେସ୍କୋ’ ବିଶ୍ୱ ଏତିହ୍ୟ ସ୍ଥଳରେ ସହଯୋଗ କରିବା ଭଳି ପଦକ୍ଷେପ ଗୁଡିକ ଦର୍ଶାଏ ଯେ କିପରି ସହଭାଗୀ ଐତିହ୍ୟ ରାଜନୈତିକ ସୀମା ଅତିକ୍ରମ କରି ପାରସ୍ପରିକ ସମ୍ମାନକୁ ବୃଦ୍ଧି କରାଏ । ଏହି ପ୍ରୟାସ ଗୁଡିକ ଏକ ସାଂସ୍କୃତିକ ଧ୍ୱଜବାହକ ଭାବେ ଭାରତର ପ୍ରତିଛବିକୁ ସୁଦୃଢ କରେ । ଭାରତୀୟ ଶିକ୍ଷା ସର୍ବଦା ସଂସ୍କୃତି ପ୍ରସାରଣର ଏକ ମାଧ୍ୟମ ହୋଇ ଆସିଛି । ୨୦୨୦ ମସିହାରେ ଜାତୀୟ ଶିକ୍ଷା ନୀତି ସ୍ୱଦେଶୀ ଜ୍ଞାନ କୌଶଳ, ଆଂଚଳିକ ଇତିହାସ ଏବଂ ସ୍ଥାନୀୟ ଭାଷା ଗୁଡିକୁ ଶିକ୍ଷାର ମୁଖ୍ୟ ଧାରାରେ ଯୋଗ କରିବାପାଇଁ ଗୁରୁତ୍ୱାରୋପ କରିଛି । ଏହି ପ୍ରଚେଷ୍ଟା ସୁନିଶ୍ଚିତ କରେ ଯେ ଯୁବ ଭାରତୀୟ ମାନେ କେବଳ ସେମାନଙ୍କ ଏତିହ୍ୟକୁ ପ୍ରଶଂସା କରନ୍ତି ନାହିଁ ବରଂ ଭବିଷ୍ୟତ ପାଇଁ ଏହାକୁ ପୁନର୍ଜୀବିତ ଏବଂ ଗ୍ରହଣ କରିବାକୁ ମଧ୍ୟ ଆଗ୍ରହୀ । ଶ୍ରେଣୀଗୃହରେ କାହାଣୀ ପାଠ ଠାରୁ ଆରମ୍ଭକରି ସହର ଗୁଡିକରେ ଐତିହ୍ୟ ପଦଯାତ୍ରା, ସାଂସ୍କୃତିକ ଶିକ୍ଷାକୁ ସମାବେଶୀ କରିବାପାଇଁ ବଢୁଥିବା ପ୍ରୟାସର ଉଦାହରଣ । ଯେତେବେଳେ ପିଲାମାନେ ନିଜର ଐତିହ୍ୟ ବିଷୟରେ ଏପରି ଭାବେ ଶିଖନ୍ତି ଯାହା ସେମାନଙ୍କର ଦୈନନ୍ଦିନ ଜୀବନ ସହ ଜଡିତ, ଏହା ସେମାନଙ୍କ ପରିଚୟ ଏବଂ ସମ୍ପୃକ୍ତିକୁ ଗଭୀର ଭାବେ ପ୍ରୋସôାହିତ କରେ । ଭାରତର ସହଭାଗୀ ସାଂସ୍କୃତିକ ଐତିହ୍ୟ ନୁହେଁ ବରଂ ଜୀବନ୍ତ ଶକ୍ତି ଯାହା ସର୍ବଦା ଭବିଷ୍ୟତର ବିକାଶ ପାଇଁ ପ୍ରେରଣା ଦେଇ ଆସିଛି । ତେଣୁ ବର୍ତ୍ତମାନ ଆଧ୍ୟାତ୍ମିକ ଶିକ୍ଷା ଏବଂ ପ୍ରାଚୀନ ବିଜ୍ଞାନ ଠାରୁ ଆରମ୍ଭ କରି କଳା ଏବଂ ସ୍ଥାପତ୍ୟ ପର୍ଯ୍ୟନ୍ତ ଏକ ଉଜ୍ୱଳ ଅଧିକ କରୁଣାପୂର୍ଣ୍ଣ ଭବିଷ୍ୟତ ଗଠନ ପାଇଁ ଅତୀତର ଜ୍ଞାନକୁ ପୁନର୍ବ୍ୟାଖ୍ୟା କରାଯାଉଛି ।
ସ୍ନାତକୋତ୍ତର ଅନ୍ତର୍ଜାତୀୟ ସମ୍ପର୍କ ବିଭାଗ
ଜୱାହାରଲାଲ ନେହରୁ ବିଶ୍ୱବିଦ୍ୟାଳୟ,ନୂଆଦିଲ୍ଲୀ