କୁଢକୁଢ ଅଳିଆ, ଗୁରୁତ୍ୱ ଦେଉନାହାନ୍ତି ତହସିଲଦାର
ବିଞ୍ଝାରପୁର: ଡାଇରିଆ ପାଇଁ ଯାଜପୁର ଜିଲ୍ଲା ରେଡ୍ ଜୋନ୍ରେ ରହିଛି । ଏହି କାରଣରୁ ପରିମଳ ବ୍ୟବସ୍ଥାକୁ ବିଶେଷ ଧ୍ୟାନ ଦିଆଯାଉଛି ପାଣି ଉତ୍ସକୁ ବିଶୋଧନ କରାଯାଉଥିବା ବେଳେ ବ୍ଲିଚିଂ ମଧ୍ୟ କରାଯାଉଛି । ତହସିଲ ପକ୍ଷରୁ ବିଭିନ୍ନ ହୋଟେଲ, ମିଠା ଦୋକାନରେ ଚଢାଉ କରି ବାସି ଖାଦ୍ୟ ପାଇଁଫାଇନ କରାଯାଉଥିବା ବେଳେ ବିଞ୍ଝାରପୁର ଅଞ୍ଚଳରେ ଥିବା ବିଭିନ୍ନ ଫଳ ଦୋକାନ ପାଇଁ ହଇଜା ସଂକ୍ରମଣର ଆଶଙ୍କା ଏବେ ଘନୀଭୂତ ହେବାରେ ଲାଗିଛି । ବିଞ୍ଝାରପୁର ଅଞ୍ଚଳର ବିଭିନ୍ନ ସ୍ଥାନରେ କୁଢ଼ ହୋଇଥିବା ଅଳିଆ ସଫା କରାଯାଉଥିବା ବେଳେ, ବାଳମୁକୁଳୀ ବଜାରରେ ଅଳିଆ କୁଢ଼ ବଢ଼ିବାରେ ଲାଗିଛି । ଆଉ ଏହି କୁଢ଼ ପାଇଁ ସ୍ଥାନୀୟ ଫଳ ଦୋକାନୀ ଦାୟୀ କୁହାଯାଉଥିବା ବେଳେ ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ନେଉନି । ଅଭିଯୋଗ ଅନୁଯାୟୀ ବାଳମୁକୁଳୀ ହାଟ ନିକଟସ୍ଥ ନାଳ ପାଖରେ ସ୍ଥାନୀୟ ଫଳ ଦୋକାନୀ ମାନେ ଏଠି ପଚା ସଢ଼ା ଫଳ ଗଦା କରୁଛନ୍ତି । ପଚା ଫଳ ଗଦା ହୋଇ ରହିବା ଫଳରେ ଦୁର୍ଗନ୍ଧ ବ୍ୟାପୁଛି । ଖାଲି ସେତିକି ନୁହଁ ଏହି କୁଢ଼ ଅଳିଆ ଉପରେ ମାଛି ବସୁଥିବା ବେଳେ ହଇଜା ବ୍ୟାପୁଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା । ହଇଜା ପାଇଁ ଯେତେ ବେଳେ ପରିବେଶ ସ୍ୱଚ୍ଛ ରଖିବାକୁ ନିର୍ଦେଶ ଅଛି ସ୍ଥାନୀୟ ପ୍ରଶାସନ ଏହି ନିଦେ୍ର୍ଦଶକୁ କେତେ ମାନୁଛି ତାହା ସ୍ପଷ୍ଟ ଜଣାପଡ଼ୁଛି । ଏସଂପର୍କରେ ସ୍ଥାନୀୟ ତହସିଲଦାରଙ୍କୁ ପଚାରିବାରୁ ବିଷୟଟିକୁ ଏତେଟା ଗୁରୁତ୍ୱ ନନେଇ ବିଡିଓଙ୍କୁ କହିବି ସେ ଦେଖିବେ କ’ଣ ହୋଇଛି ଭଳି ଖାମଖିଆଲି ଉତ୍ତର ରଖିଥିଲେ ।