ନାବାଳକଙ୍କୁ ଆକ୍ରମଣ ଘଟଣା :ଅଭିଯୁକ୍ତଙ୍କୁ ୭ବର୍ଷ ସଶ୍ରମ କାରାଦଣ୍ଡ
ଯାଜପୁର ଟାଉନ: ମଙ୍ଗଳବାର ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ତଥା ସହାୟକ ଦୌରାଜଜ୍ ସର୍ବେଶ୍ୱର ଦାସ ଦୁଇ ନାବାଳକଙ୍କୁ ଆକ୍ରମଣ ଘଟଣାରେ ୩ଅଭିଯୁକ୍ତଙ୍କୁ ୭ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରି ଏକ ରାୟ ପ୍ରକାଶ କରିଛନ୍ତି । ବିବରଣୀରୁ ପ୍ରକାଶ ୨୦୧୫ ମସିହା ମେ ମାସ ୨୨ ତାରିଖ ବରୀ ଥାନା ଅନ୍ତର୍ଗତ ରଜାପୁର ଗ୍ରାମର ନଳିନୀ କାନ୍ତ ମହାନ୍ତି ତାଙ୍କ ବାଉଁଶ ବାଡ଼ିରୁ ସେହି ଗ୍ରାମର ଗ୍ରାମଦେବତୀଙ୍କ ଘର ନିର୍ମାଣ ପାଇଁ ଦାନ କରିବା ଉଦେ୍ଦଶ୍ୟରେ ବାଉଁଶ କାଟି ରଖିଥିଲେ । ପରଦିନ ଅର୍ଥାତ୍ ତା୨୩ା୫ା୧୫ ରିଖ ଦିନ ଗ୍ରାମଲୋକ ଯେତେ ବେଳେ ବାଉଁଶ ଉଠାଇବା ପାଇଁ ଯାଇଛନ୍ତି, ସେହି ସମୟରେ ଅଭିଯୁକ୍ତ ଗଣିନାଥ ଜେନାଙ୍କ ପୁଅ ଧୃବଚରଣ ଜେନା (୭୫), ନୃସିଂହ ଚରଣ ଜେନା (୬୮) ଓ ଧୃବ ଚରଣ ଜେନାଙ୍କ ପୁଅ ସୁବାଷ ଜେନା (୪୨)ଗ୍ରାମବାସୀମାନଙ୍କୁ ଫେରାଇ ହେଇ ମାଲିକଙ୍କୁ ଡାକିବାକୁ କହିଲେ ଏବଂ ମାଲିକ ନ ଆସିଲେ ବାଉଁଶ ଦେବେ ନାହିଁ ବୋଲି କହିଥିଲେ । ବାଧ୍ୟ ହୋଇ ଗାଁ ଲୋକ ନଳିନୀ ମହାନ୍ତି ଙ୍କ ଘରକୁ ଯାଇ ତାଙ୍କୁ ଡାକିବାରୁ ସେ ଘରେ ନ ଥିଲେ । ତାଙ୍କର ୨ଜଣ ନାବାଳକ ପୁତ୍ର ଶୁଭେନ୍ଦୁ ମହାନ୍ତି (୧୪) ଓ ସୁଜିତ୍ କୁମାର ମହାନ୍ତି (୧୨) ଘଟଣା ସ୍ଥଳକୁ ଗ୍ରାମବାସୀମାନଙ୍କ ସହିତ ଆସି ପହଂଚିବା କ୍ଷଣି ଅଭିଯୁକ୍ତମାନେ ପୂର୍ବ ଯୋଜନା ମୁତାବକ ୨ ଜଣ ନାବାଳକଙ୍କୁ ଠେଙ୍ଗା ଓ କଟୁରୀରେ ଆକ୍ରମଣ କରି ରକ୍ତାକ୍ତ କରିଦେଇଥିଲେ । ଗ୍ରାମବାସୀମାନଙ୍କ ଦ୍ୱାରା ବରୀ ରାମଚନ୍ଦ୍ରପୁର ଡାକ୍ତର ଖାନାରେ ଭର୍ତି ହୋଇଥିଲେ । ସେମାନଙ୍କର ଅବସ୍ଥା ଗୁରୁତର ହେବାରୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ନାବାଳକମାନଙ୍କ ବାପା ନଳିନୀ ମହାନ୍ତି ବରୀ ଥାନାରେ ଏତଲା ଦାଏର କରିଥିଲେ । ଅଭିଯୋଗ ଅନୁଯାଇ ବରୀ ଥାନା ଅଧିକାରୀ ଥାନା କେସ୍ ନଂ୮୯/୨୦୧୫ ରୁଜୁକରି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ପୁଲିସ । ମାମଲାର ଚୁଡାନ୍ତ ଶୁଣାଣି କରି ମଙ୍ଗଳବାର ୧୧ଜଣ ସାକ୍ଷୀଙ୍କ ସାକ୍ଷ୍ୟ ଓ ପ୍ରମାଣକୁ ଭିତିକରି ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ ତଥା ସହାୟକ ଦୌରାଜଜ୍ ସର୍ବେଶ୍ୱର ଦାସ ୩ଜଣ ଅଭିଯୁକ୍ତଙ୍କୁ ୭ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରି ଏକ ରାୟ ପ୍ରକାଶ କରିଛନ୍ତି । ମାମଲାକୁ ସରକାରୀ ଓକିଲ ବିରଜା ପ୍ରସାଦ ପରିଡ଼ା ପରିଚାଳନା କରୁଥିଲେ ।