କୃଷକ ପରିବାର ଛାତ୍ରଛାତ୍ରୀଙ୍କ ପାଇଁ ବରଦାନ କୃଷି ବିଦ୍ୟାନିଧି ଯୋଜନା

 ଭୁବନେଶ୍ୱର  : ଓଡିଶା ସରକାର ସର୍ବଦା କୃଷି ଓ କୃଷକଙ୍କୁ ପ୍ରାଧାନ୍ୟ ଦେଇ ଆସିଛନ୍ତି । କେବଳ କୃଷକ ନୁହଁନ୍ତି, ସେମାନଙ୍କ ପୁଅଝିଅଙ୍କ ଶିକ୍ଷାକୁ ଅଗ୍ରାଧିକାର ଦେଇଆସିଛନ୍ତି । ଓଡିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅଧୀନରେ ସିଏମ୍ କିସାନ ଯୋଜନା ଏକ ଯୁଗାନ୍ତକାରୀ ପଦକ୍ଷେପ । ଏହି ଯୋଜନା ଅଧୀନରେ ରାଜ୍ୟର ଚାଷୀମାନଙ୍କୁ ସଶକ୍ତ କରିବା ପାଇଁ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି ଏବଂ ସେମାନଙ୍କ ପୁଅ ଝିଅଙ୍କ ଉଚ୍ଚଶିକ୍ଷା ପାଇଁ ମଧ୍ୟ ସରକାର ଅତ୍ୟନ୍ତ କଲ୍ୟାଣକାରୀ "କୃଷି ବିଦ୍ୟା ନିଧି' ଯୋଜନା ପ୍ରଣୟନ କରିଛନ୍ତି । ଏହି ଯୋଜନା ଅନ୍ତର୍ଗତ ବୈଷୟିକ ଓ ବୃତ୍ତିଗତ ବିଷୟରେ ଉଚ୍ଚଶିକ୍ଷା ପାଇଁ ସିଏମ୍ କିସାନ ହିତାଧିକାରୀ କ୍ଷୁଦ୍ର, ନାମମାତ୍ର ଓ ଭୂମିହୀନ ଚାଷୀ ଭାଇ ଭଉଣୀଙ୍କ ପୁଅ ଝିଅଙ୍କୁ ବାର୍ଷିକ ଟୁ୍ୟସନ ଫିସ୍ ବା ପଢା ଖର୍ଚ୍ଚ ଓଡିଶା ସରକାରଙ୍କ କୃଷି ବିଭାଗ ତରଫରୁ ଯୋଗାଇ ଦିଆଯାଉଛି । କେବଳ ପଢା ଖର୍ଚ୍ଚ ନୁହେଁ ହଷ୍ଟେଲ ଖର୍ଚ୍ଚ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ । ଏହି ଯୋଜନା ଅନୁଯାୟୀ ସରକାରୀ, ବେସରକାରୀ ତଥା ଜାତୀୟସ୍ତରର ଶିକ୍ଷାନୁଷ୍ଠାନମାନଙ୍କରେ ଡାକ୍ତରୀ, ଇଞ୍ଜିନିୟରିଂ, ନର୍ସିଂ, ଡିପ୍ଲୋମା ଇଞ୍ଜିନିୟରିଂ, ବିବିଏ, ବିସିଏ ଭଳି ବୃତ୍ତିଗତ ଶିକ୍ଷା ପାଇଁ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି । ପାଠ୍ୟକ୍ରମ ଶେଷ ପର୍ଯ୍ୟନ୍ତ ଜଣେ ଶିକ୍ଷାର୍ଥୀ ଏହାର ସୁବିଧା ପାଉଛନ୍ତି ।
ଚଳିତ ବର୍ଷ କୃଷି ବିଦ୍ୟାନିଧି ଯୋଜନାରେ ସମୁଦାୟ ୧୩୯୨୩ ଜଣ ଛାତ୍ରଛାତ୍ରୀ ଉପକୃତ ହୋଇଥିବାବେଳେ ଏଥିରେ ୫୯୨ ଜଣ ମେଡିକାଲ, ୪୫୯୨ ଜଣ ଇଞ୍ଜିନିୟରିଂ, ୪୫୭୪ ଜଣ ପଲିଟେକନିକ, ୧୪୧୭ ଜଣ ନର୍ସିଙ୍ଗ,  ୫୧୦ ଜଣ ଏମସିଏ, ୧୭୪ ଜଣ କୃଷି ଓ ଆନୁସଙ୍ଗିକ ଶିକ୍ଷାର୍ଥୀ ସାମିଲ୍ ଅଛନ୍ତି ଓ  ଏଥି ମଧ୍ୟରୁ ୫୫ ଜଣ ଏନ୍ଆଇଟି ଓ ଆଇଆଇଏମ ଭଳି ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ଅଟନ୍ତି ଓ ଏଥିନିମନ୍ତେ ରାଜ୍ୟ ସରକାର ଚଳିତବର୍ଷ ୫୩୫୭୯୪୪୦୫ ଟଙ୍କାର ଆର୍ଥିକ ଅନୁଦାନ ପ୍ରଦାନ କରିଛନ୍ତି ଓ ଏହି ଛାତ୍ରବୃତ୍ତି ରାଶି ଛାତ୍ରଛାତ୍ରୀଙ୍କ ଆଧାର ସଂଯୋଜିତ ବ୍ୟାଙ୍କ ଆକାଉଣ୍ଟକୁ ସିଧା ସଳଖ ପ୍ରଦାନ କରାଯାଉଛି ।