କେନାଲ ବନ୍ଧ ରାସ୍ତା ମରାମତି ଦାବି
ାା ପ୍ରଭାନୁ୍ୟଜ ।ା ଜାରକା: ଧର୍ମଶାଳା ବ୍ଲକ ଅନ୍ତର୍ଗତ ଜାରକାରୁ-ବ୍ରାହ୍ମଣଦାସ୍ଥିତ ହାଇଲେବୁଲ କେନାଲ ରାସ୍ତାକୁ ସଂଯୋଗ କରୁଥିବା ଦୀର୍ଘ ୩ କିଲୋମିଟର ରାସ୍ତା ଅବସ୍ଥା ଏବେ ଶୋଚନୀୟ ହୋଇପଡିଛି । ଏହି ରାସ୍ତାରେ ଦୀର୍ଘ ବର୍ଷ ହେଲା ଖାଲଖମା ସୃଷ୍ଟି ହୋଇ ଯାତାୟତ ବାଧାପ୍ରାପ୍ତ ହେଉଛି ।
ଫଳରେ ଏହି ରାସ୍ତା ଉପରେ ନିର୍ଭର କରୁଥିବା ୫ଖଣ୍ଡ ଗାଁର ଗ୍ରାମବାସୀ ଯାତାୟାତରେ ନାନା ଅସୁବିଧା ଭୋଗୁଛନ୍ତି । ୧୪ନଂ କେନାଲର ଜାରକା ପୁରୁଣା ସିନେମା ହଲ ନିକଟରୁ ପ୍ରାୟ ୩କିମି ଲମ୍ବିଥିବା ଜାରକା ଆରଡି ଡିଭିଜନ ଅଧିନରେ ରହିଥିବା ପିଚୁ ରାସ୍ତା ମରାମତି ଅଭାବରୁ ଏବେ ଶୋଚନୀୟ ହୋଇପଡିଛି । ଫଳରେ ସ୍ଥାନୀୟ ଅଞ୍ଚଳବାସୀଙ୍କ ଯାତାୟତରେ ବାଧା ଉପୁଜିଛି । ଏମିତି ଦୁର୍ଦ୍ଦଶା ମଧ୍ୟରେ ପ୍ରତ୍ୟହ ଜାଲସୁଖା, ଟିକରସାହି, ଶାଳୁଆ ପତରିଆ, ଭାତୃପଶି ଗ୍ରାମବାସୀଙ୍କ ସମେତ ନିକଟସ୍ଥ ବସ୍ତି ବାସିନ୍ଦା ଯାତାୟାତ କରୁଛନ୍ତି । ଏହି କେନାଲ ରାସ୍ତାର ସୁଦୃଢ଼ୀକରଣ ପାଇଁ ବାରମ୍ବାର ଦାବି ସତ୍ତ୍ୱେ କେହି ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି । ଜାରକା ଜଳସେଚନ ବିଭାଗ ପକ୍ଷରୁ ପ୍ରାୟ ୭ବର୍ଷ ପୂର୍ବେ ଦେଢ଼ କୋଟି ଟଙ୍କା ବ୍ୟୟରେ ଏହି କେନାଲ ରାସ୍ତାକୁ ସୁଦୃଢ଼ୀକରଣ କରାଯାଇଥିଲା । ରାସ୍ତା ନିର୍ମାଣ ପରେ ଏହି କେନାଲ ବନ୍ଧ ରାସ୍ତାରେ ପ୍ରତ୍ୟହ ଶହ ଶହ ଭାରିଯାନ ଯାତାୟାତ କରିବାରୁ ରାସ୍ତା ଦବିଯିବା ସହ ବହୁ ସ୍ଥାନରେ ଖାଲ ଖମା ସୃଷ୍ଟି ହୋଇଛି । ଗତ ଏକ ବର୍ଷ ହେଲା ଏହି ରାସ୍ତାକୁ ଯାଜପୁର ୨ ଜାରକା ଅରଡି ଡିଭିଜନକୁ ହସ୍ତାନ୍ତର କରାଯାଇଥିବା ଜାରକା ଜଳସେଚନ ଡିଭିଜନ ଅଧିକ୍ଷଣ ଯନ୍ତ୍ରୀ କାମଦେବ ଦାସ ସୂଚନା ଦେଇଛନ୍ତି । ଏବେ ବର୍ଷା ଲାଗିରହୁଥିବାରୁ ରାସ୍ତାଟି ପାଣି କାଦୁଅରେ ଭର୍ତ୍ତି ହୋଇ ଯାଇଥିବାରୁ ଯାତାୟାତ କରିବା କଷ୍ଟକର ହେଉଛି । ବଡ଼ ବଡ଼ ଖାଲ ସୃଷ୍ଟି ହେବା ଫଳରେ ଗାଡି ମୋଟର ଚଳାଚଳରେ ବାଧା ସୃଷ୍ଟି କରୁଛି । ଏପରି ଅନେକ ସମୟରେ ଏହି ଖାଲ ଖମା ରାସ୍ତାରେ ପଡି ଲୋକେ ଆହତ ହେଉଥିବା ନଜିର ରହିଛି । ଏଣୁ ରାସ୍ତାକୁ ତୁରନ୍ତ ମରାମତି କରିବାକୁ ସ୍ଥାନୀୟ ଅଞ୍ଚଳର କେଦାର ବେହେରା, ଦେବବ୍ରତ ପ୍ରଧାନ ଦାବି କରିଛନ୍ତି ।