କ୍ଷତିପୂରଣ ନ ଦେବାରୁ ଶବ ଉଠାଇଲେନି ପରିବାର

 ନୂଆପଡା: ରାନିମୁଣ୍ଡା ଗ୍ରାମରେ ଏକ ଟ୍ରାକ୍ଟର ଦୁର୍ଘଟଣା ଘଟି ଡ୍ରାଇଭରଙ୍କ ମୃତୁ୍ୟ ଘଟିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଶବ ଉଦ୍ଧାର ପାଇଁ ଦେଉନାହାନ୍ତି ପରିବାର ଲୋକେ । ଟ୍ରାକ୍ଟର ମାଲିକ ପଚାଶ ଲକ୍ଷ ଟଙ୍କା କ୍ଷତିପୂରଣ ନଦେବା ପର୍ଯ୍ୟନ୍ତ ଶବ ଉଠାଇବାକୁ ଦେବେ ନାହିଁ ବୋଲି ସେମାନେ କହିଛନ୍ତି । ଖବର ମୁତାବକ ରାନିମୁଣ୍ଡା ଗ୍ରାମର ସୋମିନନ୍ଦ ସୁନାନୀଙ୍କ ଟ୍ରାକ୍ଟରରେ ଏକ ମାସ ହେଲା ନିକଟସ୍ଥ କୋଟାମାଲ ଗ୍ରାମର ପବିତ୍ର ଶବର (ତୀର୍ଥ) ଡ୍ରାଇଭର ରହି ଆସୁଥିଲେ । ଗତକାଲି ରାଣୀମୁଣ୍ଡା ଗ୍ରାମର ଏକ ଜମିରୁ ଅମଳ ହୋଇଥିବା ଧାନ ବସ୍ତା ଧରି ଆସୁଥିବା ବେଳେ ଟ୍ରାକ୍ଟର ଓଲଟି ପଡ଼ିବାରୁ ଚାପି ହୋଇ ପବିତ୍ରଙ୍କ ମୃତୁ୍ୟ ହୋଇଥିଲା । ଖବର ପାଇ ଖଡିଆଳ ପୁଲିସ ପହଞ୍ଚି ଶବ ଉଦ୍ଧାର ପାଇଁ ଚେଷ୍ଟା କରିଥିଲେ ମଧ୍ୟ ପରିବାର ଲୋକେ ଉଠାଇବାକୁ ଦେଉ ନାହାନ୍ତି । ରାତି ସାରା ସେଠାରେ ଜଗି ରହିବା ସହ ଟ୍ରାକ୍ଟର ମାଲିକଙ୍କ ଠାରୁ ପଚାଶ ଲକ୍ଷ କ୍ଷତିପୂରଣ ଦାବି କରୁଛନ୍ତି । ଅନ୍ୟ ପକ୍ଷରେ ଟ୍ରାକ୍ଟର ମାଲିକ ଫେରାର ମାରିବା ସହ ଫୋନ୍ ସ୍ୱିଚ୍ଅଫ୍ କରି ଦେଇଥିବା ଅଭିଯୋଗ ହୋଇଛି । ମୃତ ପବିତ୍ରଙ୍କ ସ୍ତ୍ରୀ ସହ ତିନି ବର୍ଷର ପୁଅ ଓ ଦେଢ ବର୍ଷର ପୁଅ ଅଛନ୍ତି । ସେମାନେ ଏବେ ଅସହାୟ ହୋଇ ପଡିଛନ୍ତି । ସେମାନଙ୍କୁ ସରକାରୀ ସାହାର୍ଯ୍ୟ ପାଇଁ ସରପଞ୍ଚ ତୁକାରାମ ହିଆଲ ଓ ଗ୍ରାମବାସୀ ଦାବି କରିଛନ୍ତି ।