ଖଣି ଓ କଳକାରଖାନା ପାଇଁ ଦୁର୍ବିସହ ଜୀବନଜୀବିକା
ତାଳଚେରରୁ ଅକ୍ଷୟ ମହାରଣା : ରାଜାରାଜୁଡ଼ା ଶାସନ କାଳରେ ତାଳଚେର ଏକ ସବୁଜଭରା ପରିବେଶରେ ନିଜକୁ ଗର୍ବିତ ଅନୁଭବ କରୁଥିଲା । ଏହା ବକ୍ଷରେ ବିଭିନ୍ନ ବୃକ୍ଷ ଠାରୁ ଆରମ୍ଭ କରି ଔଷଧୀୟ ବୃକ୍ଷ ମଧ୍ୟ ରହିଥିଲା । ଏଠିକାର ଅଞ୍ଚଳବାସୀ କୌଣସି ରୋଗର ଶୀକାର ହେଉଥିଲେ, ଏହି ସବୁଜଭରା ଜଙ୍ଗଲ ଉପରେ ନିର୍ଭର କରୁଥିଲେ ଏବଂ ଔଷଧୀୟ ବୃକ୍ଷରୁ ଔଷଧ ସଂଗହ କରି ଆରୋଗ୍ୟ ଲାଭ କରୁଥିଲେ । ଏହି ସବୁଜଭରା ପରିବେଶ ବିଭିନ୍ନ ବନ୍ୟଜନ୍ତୁ, ପଶୁପକ୍ଷୀମାନେ ବସବାସ କରୁଥିଲେ । ପରିତାପର ବିଷୟ କାଳକ୍ରମେ ଏହି ଜଙ୍ଗଲର ଅବକ୍ଷୟ ଯୋଗୁଁ ଏଗୁଡ଼ିକର ବଂଶ ଧିରେଧିରେ ଲୋପ ପାଇବାରେ ଲାଗିଲା ଓ ଆଜି ତାଳଚେର ଅଞ୍ଚଳଟି ଏବେ ଧୂଳିଧୂଅାଁରେ ଏକ ବିଷାକ୍ତ ପରିବଶେରେ ପରିଣତ ହୋଇଛି ।
ତାଳଚେର ଉପଖଣ୍ଡରେ ବିଭିନ୍ନ ଗାଁମାନ ଗଢ଼ି ଉଠିଥିଲା, ଯାହାକି ସେହି ଗାଁ ଗୁଡ଼ିକ ଆଜି ନିଶ୍ଚିହ୍ନ ହୋଇପଡ଼ିଛି । ଏଥିପାଇଁ ମହାନଦୀ କୋଇଲା କମ୍ପାନୀ ତଥା କେନ୍ଦ୍ର ଓ ରାଜ୍ୟ ସରକାର ଉଭୟେ ଏଥିପାଇଁ ଦାୟୀ ବୋଲି ବିଭିନ୍ନ ମହଲରେ ଶୁଣିବାକୁ ମିଳେ । ଯେଉଁ ପ୍ରାକୃତିକ ଶୋଭାରାଜିକୁ ବସ୍ତିବାସିନ୍ଦାମାନେ ସଂରକ୍ଷିତ କରି ରଖିଥିଲେ, ତାହା ଆଜି ସମ୍ପୂର୍ଣ୍ଣ ଭାବେ ଲୋପ ପାଇଲାଣି । ସବୁଜ ବଳୟ ଓ ବଡ଼ବଡ଼ ବୃକ୍ଷ ବଦଳରେ ପଇଁତରା ମାରୁଛନ୍ତି ୨୦-୯୦ ଡ୍ରଗଲାଇନ ବଡ ବଡ଼ ଡ଼ମ୍ଫର, ଡ଼ୋଜର, ପେଲୋଟର ଓ ବିଭିନ୍ନ ପ୍ରକାର ଉଚ୍ଚଶକ୍ତି ସମ୍ପର୍ଣ୍ଣ ମାଟିଖୋଳା ଯନ୍ତ୍ର । ଫଳରେ ତାଳଚେର ପାଲଟିଛି ପୃଥିବୀର ଅତ୍ୟନ୍ତ ବିପସଂକୁଳ ଅଞ୍ଚଳ । ସେହିପରି ଖଣି ଓ କଳକାରଖାନା ପାଇଁ ସାଧରଣ ଜନତାଙ୍କ ପାଇଁ ଉଦ୍ଦିଷ୍ଟ ଥିବା ଗ୍ରାମ୍ୟ ରାସ୍ତା, ତାଳଚେର ସଦର ମହୁକୁମାର ରାସ୍ତ, ପୋଖରୀଆ କୂଅ, ଶ୍ମଶାନଘାଟ, ଗୋଚର ଜମି, ମନ୍ଦିର ଏବଂ ଗ୍ରାମ୍ୟ ଜୀବନ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି । ସ୍ଥାନୀୟ ଲୋକ ଜାତୀୟ ସ୍ୱାର୍ଥପାଇଁ ସବୁକିଛି ଉତ୍ସର୍ଗୀକୃତ କରିଥିବା ବେଳେ ପ୍ରତିବଦଳରେ ପାଇଛନ୍ତି ଗଦାଗଦା କୋଇଲା ଗୁଣ୍ଡ, ଉଚ୍ଚତାମାନ ଉତାପ, ଦୂଷିତ ଜଳ, ବାୟୁ ପ୍ରଭୃତି ।
ପୋଖରିଆ କୋଇଲା ଖଣିରୁ କୋଇଲା ଖନନ ପରେ ସେସବୁ ବିସ୍ତୃତ ଅଂଚଳରେ ମାଟି ସମତଳ ନକରାଯାଇ ଗୋଟିଏ ଗୋଟିଏ ବଡ଼ କୃତ୍ରୀମ ପାହାଡ଼ ଓ ହ୍ରଦ ସୃଷ୍ଟି କରାଯାଇଛି । ଫଳରେ ଏହି କୃତି୍ରମ ହ୍ରଦ ଅନେକ ଧନଜୀବନ ନଷ୍ଟ ହେଉଥିବାର ନଜିର ମଧ୍ୟ ରହିଛି । ଅନ୍ୟପକ୍ଷରେ କୋଇଲା ଧୂଳିଧୂଅାଁ ଖାଇ ତାଳଚେର ଅଂଚଳରେ ୯୦% ଲୋକଙ୍କୁ ଥଣ୍ଡା, କାଶ, ଜ୍ୱର, ଛାତୀଯନ୍ତ୍ରଣା ତଥା ଫୁସ୍ଫୁସ୍ ଜନିତ ରୋଗ ଏବଂ ବିଭିନ୍ନ ମାରାତ୍ମକ ରୋଗରେ ଆକ୍ରାନ୍ତ ହେଲେଣି । ଏଥିପାଇଁ କୋଇଲା ଖଣି କର୍ତ୍ତୃପକ୍ଷ ମାନବିକତା ଦୃଷ୍ଟିରୁ ମାଗଣା ସ୍ୱାସ୍ଥ୍ୟସେବା ଯୋଗାଇବା ତ ଦୂରର କଥା ଆହା ଟିକେ କରିବାକୁ କାହା ପାଖରେ ଟିକେ ନିଘା ନାହିଁ । ଅପରପକ୍ଷେ ତାଳଚେର କୋଇଲାକୁ ଆଖିଆଗରେ ରଖି ବିଭିନ୍ନ ଘରୋଇ ବଡ଼ବଡ଼ ବିଦୁ୍ୟତ୍ କମ୍ପାନୀ ହଜାର ହଜାର ଏକର ଜମିରେ ପ୍ରକଳ୍ପମାନ ପ୍ରତିଷ୍ଠା କରି ତାଳଚେର ପରିବେଶକୁ ବିକୃତ କରିପକାଇଲେଣି । ଏ ସମସ୍ତ ଖଣି ଏବଂ କଳକାରଖାନା ଯୋଗୁଁ ସମଗ୍ର ତାଳଚେର ଆଜି ପଦାରେ ପରିଣତ ହେଲାଣି । ଯେତିକି ପରିମାଣରେ ଜଙ୍ଗଲ ନଷ୍ଟ କରାଯାଉଛି ସେହି ଅନୁପାତରେ ନୂତନ ଜଙ୍ଗଲ ସୃଷ୍ଟି ପାଇଁ କାହାର ନଜର ନାହିଁ କିମ୍ବା ଆଗ୍ରହ ପ୍ରକାଶ ମଧ୍ୟ ପାଉନାହିଁ । ବ୍ରାହ୍ମଣୀ ନଦୀର ଜଳ ବିଷାକ୍ତ କୋଇଲା ଗୁଣ୍ଡ, ରାସାୟନିକ ଦ୍ରବ୍ୟ ଏବଂ ବର୍ଜ୍ୟବସ୍ତୁ ଚାଡ଼ିଦେଉଥିବାରୁ ଏହାକୁ ଏକ ଦୂଷିତ ନଦୀରେ ପରିଣତ ହେଲାଣି ।