ଗଣ୍ଡାନାଳ ଜଳରେ ବୁଡିଲା ଚାଷଜମି
ଟମକା : ଦାନଗଦୀ ତହସିଲ ଅନ୍ତର୍ଗତ ଦେଉଳକଣ ପାଟବାଲି ମୌଜାରେ ହେକ୍ଟର ହେକ୍ଟର ଚାଷଜମି ଗଣ୍ଡାନାଳ ଜଳରେ ବୁଡି ଯାଇଛି । ବୁଧବାର ହୋଇଥିବା ଅବିଶ୍ରାନ୍ତ ବର୍ଷାରେ ଡଙ୍କାରିସାହି ଗ୍ରାମ ସଲଗ୍ନ ଗଣ୍ଡାନାଳ ଉପରେ ନିର୍ମିତ ଆଡିବନ୍ଦ ଡେଇଁ ଜଳ ବିଲରେ ପଶିଥିବା ବେଳେ ଏଠାରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଦେଖିବାକୁ ମିଳିଛି । କ୍ଷେତ ଗୁଡିକ ଆଣ୍ଡୁଏରୁ ଅଧିକ ପାଣି ସମେତ ବାଲି ମାଟିରେ ପୋତି ହୋଇଯିବା କାରଣରୁ ଏହା ଚାଷିଙ୍କ ପାଇଁ ଦୁଃଖର କାରଣ ସାଜିଛି । ଖବର ପାଇ ସ୍ଥାନୀୟ ସରପଂଚ ବିଜୟ କୁମାର ଜେନା ଚାଷି ମାନଙ୍କ ସହ ଘଟଣା ସ୍ଥଳକୁ ଯାଇ ଏହାର ଅନୁଧ୍ୟାନ କରିବା ସହ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରିଛନ୍ତି । ତେବେ ଗରୀବ ଶ୍ରେଣୀୟ ଏହି ଚାଷି ମାନଙ୍କ ବିଲରେ ପାଣି ପଶିଯିବାରୁ ତାଙ୍କ ମୁଣ୍ଡରେ ଚଡକ ପଡିଥିବା ବେଳେ ପ୍ରଶାସନ ଏହାକୁ ଗୁରୁତର ସହ ନେଇ ଏଭଳି ଘଟଣାର ପୁନରାବୃତି ରୋକିବା ସହ ଚାଷି ମାନଙ୍କୁ କ୍ଷତିପୂରଣ ପ୍ରଦାନ କରିବାକୁ ଦାବି ହୋଇଛି ।