ଗନ୍ଧମାର୍ଦ୍ଦନରେ ଫସିିଥିବା ପର୍ଯ୍ୟଟକ ଉଦ୍ଧାର

ବରଗଡ଼ : ପଶ୍ଚିମ ଓଡିଶାର ବରଗଡ଼ ଓ ବଲାଙ୍ଗୀର ଜିଲ୍ଲାର ସୀମାନ୍ତରେ ଅବସ୍ଥିତ ଗନ୍ଧମାର୍ଦ୍ଦନ ପାହାଡ଼ର ଉଭୟ ପାର୍ଶ୍ୱରେ ଥିବା ଦୁଇଟି ପ୍ରସିଦ୍ଧ ତୀର୍ଥସ୍ଥଳ ନୃସିଂହନାଥ ଏବଂ ହରିଶଙ୍କର ପରିଦର୍ଶନ କରିବାକୁ ଆସିଥିବା ଛତିଶଗତ ଓ ଓଡିଶାର ୧୭ ଜଣ ପର୍ଯ୍ୟଟକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି ବରଗଡ଼ ପୋଲିସ  ।
ବୁଧବାର ଦିନ ଛତିଶଗଡ ରାୟଗଡ଼ ଜିଲ୍ଲା ଏବଂ ଓଡିଶାର ଝାରସୁଗୁଡା ଜିଲ୍ଲାର ୧୭ ଜଣ ପର୍ଯ୍ୟଟକ ମହାପ୍ରଭୁ ନୃସିଂହନାଥ ଦର୍ଶନ କରି ଗନ୍ଧମାର୍ଦ୍ଦନ ପାହାଡ ରାସ୍ତା ଦେଇ ହରିଶଙ୍କରକୁ ଯାତ୍ରା ଆରମ୍ଭ କରିଥିଲେ  । ସନ୍ଧ୍ୟା ସାଢେ ୭ଟାରେ ୧୭ ଜଣ ପର୍ଯ୍ୟଟକ ଗନ୍ଧମାର୍ଦ୍ଦନ ପାହାଡ଼ରେ ରାସ୍ତା ଭୁଲି ଯାଇଥିବା ନେଇ ଭୁବନେଶ୍ୱର ପୋଲିସ ମୁଖ୍ୟାଳୟକୁ ଟୋଲ ଫ୍ରି ନମ୍ବର ଯୋଗେ ଫୋନ କରିଥିଲେ  । 
ଭୁବନେଶ୍ୱରରୁ ପାଇକମାଲ ପୋଲିସକୁ ଏ ନେଇ ଖବର ଆସିବା ପରେ ପୋଲିସ ଡିଭିଏଫ୍ ତରଫରୁ ସେମାନଙ୍କୁ ଉଦ୍ଧାର ପାଇଁ ତତ୍ପରତା ପ୍ରକାଶ ପାଇଥିଲା  । ହେଲେ ଝିପି ଝିପି ବର୍ଷା ଲାଗି ରହିଥିବା ତଥା ହାତୀ ଗତିବିଧି ଯୋଗୁଁ ରାତିରେ ଉଦ୍ଧାର ସମ୍ଭବ ହୋଇପାରିନଥିଲା  । ପର୍ଯ୍ୟଟକମାନେ ରାତିସାରା ଗନ୍ଧମାର୍ଦ୍ଦନ ପାହାଡ ଉପରେ ଫସି ରହିଥିଲେ  । ପୋଲିସ, ଡିଭିଏଫ ଟିମ ରାତି ସାରା ସେମାନଙ୍କୁ ଉଦ୍ଧାର ନେଇ ଉଦ୍ୟମ ଜାରି ରଖିଥିଲେ  । ଗୁରୁବାର ସକାଳୁ ଗନ୍ଧମାର୍ଦ୍ଦନର ହିଲଟପରୁ ସମସ୍ତ ୧୭ ଜଣ ପର୍ଯ୍ୟଟକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା  । ଅପରାହ୍ନ ପ୍ରାୟ ସାଢେ ୩ ଟାରେ ସୁରକ୍ଷିତ ଭାବେ ପାହାଡ଼ ତଳକୁ ଅଣାଯାଇ ସମସ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା  । ଉଦ୍ଧାର ହୋଇଥିବା ପର୍ଯ୍ୟଟକଙ୍କ ମଧ୍ୟରେ ୧୩  ମହିଳା ଏବଂ ୪ ପୁରୁଷ ରହିଥିବା ବେଳେ ସେମାନେ ଛତିଶଗଡ ରାଜ୍ୟ ରାୟଗଡ଼ା ଜିଲ୍ଲା ମଚିଦା ଏବଂ ଝାରସୁଗୁଡା ଜିଲ୍ଲା ରେଙ୍ଗାଲି ଥାନା ବାଦିମାଲ ଓ ଚାଟିପାଲିର ବୋଲି ସୂଚନା ମିଳିଛି  । ଉତ୍ତରାଞ୍ଚଳ ପୋଲିସ ମହାନିରୀକ୍ଷକ ହିମାଂଶୁ ଲାଲ ଏବଂ ବରଗଡ଼ ଏସପି ପ୍ରହ୍ଲାଦ ସହାୟ ମୀନା ପାହାଡ଼ ତଳେ ରହି ଉଦ୍ଧାର କାର୍ଯ୍ୟର ତଦାରଖ କରିଥିଲେ  । ଗନ୍ଧମାର୍ଦ୍ଦନ ପାହାଡ ନକ୍ସଲ ପ୍ରଭାବିତ ଏବଂ ଭୌଗୋଳିକ ଭାବରେ ଆହ୍ୱାନପୂର୍ଣ୍ଣ ଥିବା ସତ୍ତ୍ୱେ ବରଗଡ଼ ଡିଭିଏଫ ଟିମ ସାହାସିକତାର ସହ ସମସ୍ତ ପର୍ଯ୍ୟଟକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲେ  ।