ଗୁଇନ୍ଦା ସ୍କାନର୍ରେ ପି୍ରୟଙ୍କା ‘ଆଗ ଦେଶ ପଛେ ଝିଅ’
ପୁରୀ: ପାକିସ୍ତାନକୁ ଗୋପନରେ ଭାରତ ସଂପର୍କରେ ତଥ୍ୟ ଦେଇଥିବା ସନେ୍ଦହ ପ୍ରକାଶ କରି ହରିୟାଣାର ୟୁଟୁ୍ୟବର ଜ୍ୟୋତି ମାଲହୋତ୍ରାଙ୍କୁ ଗିରଫ କରାଯାଇଛି । ଏବେ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିବିଶେଷଙ୍କୁ ପଚରାଉଚୁରା ଆରମ୍ଭ କରିଛି ପୁଲିସ । ସୂଚନା ଅନୁଯାୟୀ ଜ୍ୟୋତି ଗତବର୍ଷ ସେପ୍ଟେମ୍ବର ମାସରେ ପୁରୀ ଆସିଥିବା ବେଳେ ଶ୍ରୀମନ୍ଦିର ସମେତ ସମୁଦ୍ରକୂଳ ଏବଂ ବିଭିନ୍ନ ଦର୍ଶନୀୟ ସ୍ଥାନ ପରିଦର୍ଶନ କରିଥିଲେ । ପୁରୀରେ ତାଙ୍କର ଅନ୍ୟ ଜଣେ ୟୁଟୁ୍ୟବର କାଳିକାଦେବୀ ସାହିର ପ୍ରିୟଙ୍କା ସେନାପତିଙ୍କ ସହ ପରିଚୟ ହୋଇଥିଲା । ଏପରିକି ପ୍ରିୟଙ୍କା ପାକିସ୍ତାନରେ କରତାପୁର ଯାଇଥିବା ମଧ୍ୟ ପ୍ରମାଣ ମିଳିଛି । ସେବେଠାରୁ ପ୍ରିୟଙ୍କା ଓ ତାଙ୍କ ପରିବାରକୁ ଘନ ଘନ ଜେରା କରୁଛି ପୁଲିସ୍ । ଏହାସହ ପ୍ରିୟଙ୍କାଙ୍କ ଠାରୁ ସବୁ ତଥ୍ୟ ଆଦାୟ କରି ଗୁଇନ୍ଦା ସଂସ୍ଥାକୁ ହସ୍ତାନ୍ତର କରାଯାଉଛି । ଦେଶର ସୁରକ୍ଷାକୁ ନେଇ ଏହା ଏକ ସମ୍ବେଦନଶୀଳ ଘଟଣା ହୋଇଥିବାରୁ ପରବର୍ତ୍ତୀ ନିଦେ୍ର୍ଦଶ ନ ମିଳିବା ପର୍ଯ୍ୟନ୍ତ ପ୍ରିୟଙ୍କାଙ୍କୁ ପୁରୀ ଛାଡ଼ି ନ ଯିବା ପାଇଁ କୁହାଯାଇଛି । ସେହିପରି ତାଙ୍କ ବଡ଼ ବାପା କହିଛନ୍ତି ଆମେ ତଦନ୍ତରେ ସବୁ ପ୍ରକାର ସହାୟତା କରୁଛୁ, ଯଦି ଦେଶ ସୁରକ୍ଷା କଥା ଉଠେ, ତେବେ ଆଗ ଦେଶ ପଛେ ଝିଅ ବୋଲି କହିଛନ୍ତି । ସେପଟେ ପ୍ରିୟଙ୍କା ଦେଶଦ୍ରୋହ କାରବାରରେ ସଂପୃକ୍ତ ଅଛନ୍ତି କି ନାହିଁ ଜ୍ୟୋତିଙ୍କ ସହିତ ତାଙ୍କର ସଂପର୍କ କିଭଳି, ପ୍ରିୟଙ୍କା ପୁରୀର ବାସିନ୍ଦା ହୋଇଥିବାରୁ ଆନ୍ତର୍ଜାତିକ କ୍ଷେତ୍ରରେ ଗୁରୁତ୍ୱ ବହନ କରୁଥିବା ଶ୍ରୀମନ୍ଦିର ସଂପର୍କରେ କିମ୍ବା ସମୁଦ୍ର ତଟଭୂମି ସଂପର୍କରେ କୌଣସି ତଥ୍ୟ କାହାରିକୁ କୌଣସି ସୂତ୍ରରେ ପ୍ରଦାନ କରିଛନ୍ତି କି ନାହିଁ ସେ ସଂପର୍କରେ ପୁରୀ ଜିଲ୍ଲା ପୁଲିସ ତଦନ୍ତ ଆରମ୍ଭ କରିଛି । ଜ୍ୟୋତି ମାଲହୋତ୍ରାଙ୍କୁ ଭାରତ ସଂପର୍କରେ ତଥ୍ୟ ପ୍ରଦାନ କରିଥିବା ସନେ୍ଦହରେ ଗିରଫ କରାଯିବା ପରେ ତାଙ୍କର ପୁରୀ ଗସ୍ତ ସମୟରେ ପ୍ରିୟଙ୍କା ତାଙ୍କୁ ସହଯୋଗ କରିଥିବାରୁ ସେ ମଧ୍ୟ ଗୁଇନ୍ଦା ସଂସ୍ଥାର ସ୍କାନ୍ର ଅନ୍ତର୍ଭୁକ୍ତ ହୋଇଛନ୍ତି । ତେବେ ପ୍ରିୟଙ୍କା ଏ ସଂପର୍କରେ ଜାଣିବା ପରେ ଆଶ୍ୱର୍ଯ୍ୟ ପ୍ରକଟ କରିଛନ୍ତି ଏବଂ ପୁଲିସ ତଦନ୍ତରେ ସମସ୍ତ ସହଯୋଗ କରିବେ ବୋଲି ସୋସିଆଲ ମିଡ଼ିଆ ଇନଷ୍ଟାଗ୍ରାମ୍ରେ ଜଣାଇଛନ୍ତି । ଘଟଣାକୁ ନେଇ ଗୁଇନ୍ଦା ସଂସ୍ଥା ଓ ହରିୟାଣା ପୁଲିସ ସହ ଯୋଗସୂତ୍ର ରଖାଯାଇ ପଚରା ଉଚୁରା କରାଯାଉଥିବା ବେଳେ ସବିଶେଷ ତଦନ୍ତ ପରେ ସୂଚନା ପ୍ରଦାନ କରାଯିବ ବୋଲି ପୁରୀ ଏସ୍.ପି ବିନିତ ଅଗ୍ରୱାଲ ସୂଚନା କରିଛନ୍ତି ।