ଗୋଚରଜମିରେ ବନ୍ଧୁ ମହାନ୍ତିଙ୍କ ପ୍ରତିମୂର୍ତ୍ତି ସ୍ଥାପନକୁ ବିରୋଧ

 ଦଶରଥପୁର : ଏହି ବ୍ଲକ୍ ଦତ୍ତପୁର ଗ୍ରାମରେ ପ୍ରଭୁ ଜଗନ୍ନାଥଙ୍କ ପରମ ଭକ୍ତ ବନ୍ଧୁ ମହାନ୍ତିଙ୍କ ପ୍ରତିମୂର୍ତ୍ତି ସ୍ଥାପନାକୁ ନେଇ ବିବାଦ ଦେଖାଦେଇଛି । ବନ୍ଧୁ ମହାନ୍ତି କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ତାଙ୍କ ପ୍ରତିମୂର୍ତ୍ତି ସ୍ଥାପନା ସହ ସେଠାରେ ଏକ ପର୍ଯ୍ୟଟନ ପୀଠ ନିର୍ମାଣ ନିମନ୍ତେ ସ୍ଥାନ ସ୍ଥିରୀକୃତକୁ ନେଇ ବିବାଦ ସୃଷ୍ଟି ହୋଇଛି । ଦତ୍ତପୁର ଗ୍ରାମବାସୀ ସ୍ଥିରୀକୃତ ସ୍ଥାନକୁ ବିରୋଧ କରିଛନ୍ତି । ଏହା ଏକ ଗୋଚର ଜମି ଉପରେ ନିର୍ମାଣ କରାଯାଉଥିବାରୁ ବିରୋଧ କରି ଗ୍ରାମବାସୀ ତହସିଲଦାରଙ୍କଠାରୁ ଆରମ୍ଭ କରି ଜିଲାପାଳ, ରାଜ୍ୟ ସଂସ୍କୃତି ନିଦେ୍ର୍ଦଶକ, ରାଜ୍ୟ ସଂସ୍କୃତି ମନ୍ତ୍ରୀ, ରାଜ୍ୟ ରାଜସ୍ୱ ମନ୍ତ୍ରୀ ନିକଟରେ ଲିଖିତ ଅଭିଯୋଗ କରିବା ସହିତ ଓଡ଼ିଶା ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ କରିଛନ୍ତିି । ଏସମ୍ପର୍କରେ ଗ୍ରାମବାସୀମାନଙ୍କ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇ ସବିଶେଷ ତଥ୍ୟ ପ୍ରଦାନ କରିଛି । ସାମ୍ବାଦିକ ସମ୍ମିଳନୀରେ ଦତ୍ତପୁର ପଞ୍ଚାୟତ ବିଜେପି ସଭାପତି ଅଜୟ କୁମାର ରାଉତ, ସମିତିସଭ୍ୟା ସୁକାନ୍ତି ସାହୁ, ଯୁବନେତା ସୁଶାନ୍ତ ସାହୁ, ରାଜକିଶୋର ନାୟକ, ଶ୍ରୀକାନ୍ତ ଜେନା ପ୍ରମୁଖ ନିଜ ବକ୍ତବ୍ୟରେ ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ବନ୍ଧୁ ମହାନ୍ତିଙ୍କ ପ୍ରତିମୂର୍ତ୍ତି ସ୍ଥାପନା ନିଷ୍ପତ୍ତିକୁ ସ୍ୱାଗତ କରାଯାଇଥିବାବେଳେ ବନ୍ଧୁ ମହାନ୍ତି କ୍ରିୟାନୁଷ୍ଠାନ କମିଟି ଓ ବ୍ଲକ୍ ପ୍ରଶାସନ ଚଞ୍ଚକତା କରି ସ୍ଥିରୀକୃତ ଜାଗାରେ ଉକ୍ତ ପ୍ରକଳ୍ପ ନକରି ଦତ୍ତପୁର ମୌଜାରେ ଥିବା ଖାତା ନଂ.୧୪୩୨, ପ୍ଲଟ୍ ନଂ.୩୧୬୮ଗୋଚର ଜମିରେ ସ୍ଥାପନା କରିବାପାଇଁ ବେଆଇନ ଉଦ୍ୟମ କରୁଛନ୍ତି । କ୍ରିୟାନୁଷ୍ଠାନ କମିଟିର ମନମାନୀ ଓ ବ୍ଲକ୍ ପ୍ରଶାସନର ଏପରି କାର୍ଯ୍ୟକୁ ଗ୍ରାମବାସୀମାନେ ବିରୋଧ କରି ଲିଖିତ ଅଭିଯୋଗ କରିଛନ୍ତି । ଗ୍ରାମବାସୀମାନଙ୍କ ଅଭିଯୋଗ ଅନୁଯାୟୀ ନିର୍ମାଣଧୀନ ଗୋଚର ଜମି ଉପରେ ଗ୍ରାମର ଗୋରୁ ଗାଈ ଚାରଣଭୂମିଭାବେ ବ୍ୟବହାର କରୁଥିବା ବେଳେ ବର୍ଷା ସମୟରେ ଗ୍ରାମର ଅଧିକାଂଶ ପରିବାର ଏହି ସ୍ଥାନରେ ଆଶ୍ରୟ ନେଇଥାନ୍ତି । ଏହାବାଦ୍ ଏହି ଗୋଚର ଜମି ଗ୍ରାମର ଗୋପାଳକଙ୍କ କାର୍ଯ୍ୟରେ ଆସିଥିବା ବେଳେ ଗ୍ରାମର ଛୋଟ ଛୋଟ ପିଲାମାନେ ଏଠାରେ ଖେଳକୁଦ, ଗ୍ରାମର ଏକାଧିକ ସାଂସ୍କୃତିକ କାର୍ଯ୍ୟମାନ ହୋଇଥାଏ ।ଏଠାରେ ପ୍ରତିମୂର୍ତ୍ତ ସ୍ଥାପନା ଭଳି ସ୍ଥାୟୀ ପ୍ରକଳ୍ପ ହେଲେ ଗ୍ରାମବାସୀମାନେ ସବୁଦିନ ପାଇଁ ଏସବୁରୁ ବଞ୍ଚିତ ହେବେ । ତେଣୁ କୌଣସି ପରିସ୍ଥିତିରେ ଉକ୍ତ ଗୋଚର ଜମି ଉପରେ ବନ୍ଧୁ ମହାନ୍ତିଙ୍କ ପ୍ରତିମୂର୍ତ୍ତି ସ୍ଥାପନା କାର୍ଯ୍ୟକୁ ଗ୍ରାମବାସୀମାନେ ପ୍ରଶ୍ରୟ ଦେବେନାହିଁ ବୋଲି କହିଛନ୍ତି । ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରକ୍ଷାକର ନାୟକ, ଦୁଃଶାସନ ଦାସ, ସାଗର ଦାସ, ପ୍ରଦୀପ ମଲ୍ଲିକ, ବାବାଜୀ ଦାସ, ଧରଣୀଧର ଜେନା, ସୁରେନ୍ଦ୍ର ମଲ୍ଲିକ, ଶାନ୍ତନୁ ଜେନା, ନୀଳମାଧବ ଦାସ, ହରେକୃଷ୍ଣ ସାହୁ, ଚୈତନ୍ୟ ସାହୁ, ମନୋଜ ନାୟକଙ୍କ ସମେତ ବହୁସଂଖ୍ୟାରେ ଗ୍ରାମବାସୀମାନେ ଉପସ୍ଥିତ ଥିଲେ । ସୂଚନାଥାଉକି ପ୍ରଭୁ ଜଗନ୍ନାଥଙ୍କ ପରମ ଭକ୍ତ ବନ୍ଧୁ ମହାନ୍ତିଙ୍କ ଜନ୍ମସ୍ଥଳୀ ଦଶରଥପୁର ବ୍ଲକ୍ ଦତ୍ତପୁର ଗ୍ରାମରେ କଥାକଥିତ ଭାବେ ହୋଇଥିବାରୁ ବନ୍ଧୁ ମହାନ୍ତିଙ୍କ ସ୍ମୃତିରେ ସେଠାରେ ସ୍ମାରକୀପୀଠ ପ୍ରତିଷ୍ଠା କରିବା ନିମନ୍ତେ ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ପ୍ରାୟ ୫୦କୋଟିରୁ ଉଦ୍ଧ୍ୱର୍ ଆର୍ଥିକ ଅନୁଦାନ ଯୋଗାଇ ଦେବାକୁ ସ୍ଥିର କରାଯାଇଥିବାବେଳେ ବନ୍ଧୁ ମହାନ୍ତିଙ୍କ ଏକ ବ୍ରୋଞ୍ଜ ପ୍ରତିମୂର୍ତ୍ତି ସ୍ଥାପନା ସହ, ପାନ୍ଥଶାଳା, ପାର୍କ, ଗ୍ରନ୍ଥାଗାର ଏବଂ ଏକ ଜଗନ୍ନାଥଙ୍କ ମନ୍ଦିର ସେଠାରେ ନିର୍ମାଣ କରାଯିବା ନେଇ ସରକାରଙ୍କ ପକ୍ଷରୁ ପ୍ରସ୍ତାବ ରହିଛି ।