ଗୋସେବକଙ୍କ ନାମରେ ମାମଲାକୁ ନିନ୍ଦା

 ଜଟଣୀ : ଜଟଣୀ ତହସିଲ ଅନ୍ତର୍ଗତ ଛଣଘର ମୌଜାରେ ଜମି ମାଫିଆ ଜାଲିଆତି କରି ବେଆଇନ୍ ଭାବେ ଶ୍ରୀଜଗନ୍ନାଥଙ୍କ ନାମରେ ଥିବା ଶହ ଶହ ଏକର ଗୋଚର ଜମିକୁ ପ୍ଲଟ୍ କାଟି ଜନସାଧାରଣଙ୍କୁ ଶାଗ ମାଛ ରେଟ୍ରେ ବିକ୍ରି କରୁଥିବା ବେଳେ, ଅଞ୍ଚଳରେ ଯୁବ ସମାଜସେବୀ ସତ୍ୟବ୍ରତ ମିଶ୍ରଙ୍କ ନାମରେ ଥାନାରେ ଏକ ମାମଲା ରୁଜୁ ହୋଇଛି । ଯୁବକ ଖଣ୍ଡୁଆଳ ମନ୍ଦିର ସମ୍ମୁଖରେ ତାରବାଡ ବୁଲାଇ ଦୁସ୍ଥ ଓ ଅସହାୟ, ଭୋକିଲା ଗୋରୁ ଗାଈ ଓ ଷଣ୍ଢଙ୍କୁ ନିସ୍ୱାର୍ଥପର ଭାବେ ସେବା ଓ ଚିକିତ୍ସା କରିଆସୁଛନ୍ତି । ତେବେ ଗୋ-ସେବା କେନ୍ଦ୍ର ଚାଲୁଥିବା ଜମି ଉପରେ ମାଫିଆଙ୍କ ଲୋଲୁପ ଦୃଷ୍ଟି ପଡ଼ି ସେଠାରୁ ତାଙ୍କୁ ହଟିଯିବାକୁ ବିଭିନ୍ନ ଉପାୟରେ ଧମକ ଦିଆଯାଏ । ତେବେ କିଛିଦିନ ତଳେ ଶ୍ରୀ ମିଶ୍ରଙ୍କୁ ଚାପ ପକାଇବା ଉଦେ୍ଦଶ୍ୟରେ ତାଙ୍କ ନାମରେ ସୁ କଲ୍ପିତ ଭାବେ ଥାନାରେ ଏକ ମାମଲା ରୁଜୁ ହୋଇଥିବା ଅଭିଯୋଗ ହେଉଛି । ଏ ସମ୍ପର୍କରେ ସତ୍ୟବ୍ରତ କହିଛନ୍ତି ୨୦୦୮ ମସିହାରୁ ଆଜି ଯାଏଁ ଜଟଣୀ ଅଞ୍ଚଳରେ ଗୋବଂଶଙ୍କୁ କିପରି ଚିକିତ୍ସା ମିଳିପାରିବ ସେଥିପାଇଁ ସଂଘର୍ଷ ଜାରି ରହିଛି । ୨୦୨୩ରେ କୁଶମାଟିରେ ଗୋଶାଳା ଆରମ୍ଭ କରାଗଲା ହେଲେ କିଛି କୁଚକ୍ରି ଜଗନ୍ନାଥ ଜାଗା ମାଫିଆ ଜବରଦସ୍ତି ସେ ଜାଗାକୁ ବିକି ଦେଇଥିଲେ । ଦୁଇ ବର୍ଷ ପରେ ଗୋଶାଳାର ଅଧା ଜାଗାକୁ ମାଫିଆଙ୍କ କବଳରୁ ଗୋଶାଳାରେ ମିଶାଇବା ପରେ ଏବେ ସେମାନେ ତାଙ୍କ ନାମରେ ମିଥ୍ୟା ଦଫା ଲଗେଇଛନ୍ତି । ଗୋବଂଶଙ୍କ ପାଇଁ କେସ୍? ଖାଇବା ପାଇଁ ଭିତ୍ତି ପ୍ରସ୍ତୁତ ଅଛି । ଗୋଟିଏ କ’ଣ ଜେତେ କେସ୍ ଦଉଚ ଦିଅ ମୁଁ ଲଢିବି । ଆଗକୁ ମୁଁ ଥାଏ କି ନଥାଏ କିନ୍ତୁ ଗୋବଂଶଙ୍କ ସେବା ପାଇଁ ଶିବିର ସେଇଠାରେ ରହିବ, ଯେଉଁ ଯାଏ ଶ୍ରୀମନ୍ଦିର ପ୍ରଶାସନ ଚାହିଁବେ । ଅପରପକ୍ଷେ ଏ ଘଟଣାକୁ ନେଇ ସାଧାରଣରେ ନିନ୍ଦା କରାଯାଇଥିବା ବେଳେ, ଜମି ମାଫିଆଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ହେଉଛି ।