ଘରେ ପଶି ଆକ୍ରମଣ ସହ ଲୁଟ୍; ଅଭିଯୁକ୍ତ ଗିରଫ

ଘରେ ପଶି ଆକ୍ରମଣ ସହ ଲୁଟ୍; ଅଭିଯୁକ୍ତ ଗିରଫ

ଭୁବନେଶ୍ୱର, ୨୦ା୧୧ : ଅଭିଯୋଗକାରୀ ଘରେ ଏକା ଥିବା ବେଳେ କିଛି ଦୁର୍ବୃତ ଘରେ ପଶି ଛୁରୀରେ ମରଣାନ୍ତକ ଆକ୍ରମଣ କରିବା ସହ ଘରୁ ସୁନା, ଟଙ୍କା ଓ ମୋବାଇଲ ଲୁଟ୍ କରି ଫେରାର ହୋଇଯାଇଥିଲେ । ଏନେଇ ଇନଫୋସିଟି ଥାନାରେ ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇ ଆଜି ଜଣେ ଲୁଟେରାକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ହେଲା, ଶିଖରଚଣ୍ଡୀ ବସ୍ତିର ଏସକେ ଅସିକୁଲ୍ ।
 ସୂଚନା ଯୋଗ୍ୟଯେ, ଗତ ୧୭ ତାରିଖ ଦିନ ଅଭିଯୋଗକାରୀ ସିର୍ଦ୍ଧାର୍ଥ ଓ ତାଙ୍କର ଜଣେ ବନ୍ଧୁଙ୍କ ସହିତ କାନନ ବିହାର ଫେଜ୍-୨ରେ ଥିବା ତାଙ୍କ ଫ୍ଲାଟ୍ରେ ରହିଥିଲେ । ସେହି ସମୟରେ ଅଭିଯୁକ୍ତ ଓ ତାର କିଛି ସହଯୋଗୀ ସେଠାକୁ ଆସିଥିଲେ ଓ ଫ୍ଲାଟ୍ରେ ଥିବା ସମସ୍ତ ଆସବାବପତ୍ରକୁ ଭଙ୍ଗାରୁଜା କରି ଏକ ଛୁରୀରେ ଦୁହିଁଙ୍କୁ ଆକ୍ରମଣ କରିଥିଲେ । ପରେ ସେ ପିନ୍ଧିଥିବା ସୁନା ଚେନ୍, ୧୦ ହଜାର ଟଙ୍କା, ୨ଟି ମୋବାଇଲ ଫୋନ୍ ଲୁଟି ନେଇ ଫେରାର ହୋଇଯାଇଥିଲେ । ଫଳରେ ଅଭିଯୋଗକାରୀ ଗୁରୁତର ଆହତ ହୋଇ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ସେ ସୁସ୍ଥ ହେବା ପରେ ଏନେଇ ସେ ଇନଫୋସିଟି ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇ ଆଜି ଜଣେ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି ।