ଘରେ ପଶି ସ୍ୱାମୀ ସ୍ତ୍ରୀଙ୍କୁ ଆକ୍ରମଣ ; ଦୁଇ ଅଭିଯୁକ୍ତ ଗିରଫ
ଭୁବନେଶ୍ୱର, ୨୮ା୫ : ପୂର୍ବ ରାଗକୁ ନେଇ ଜଣଙ୍କ ଘରେ ପଶି ସ୍ୱାମୀ ଓ ସ୍ତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ । ଏନେଇ ନୟାପଲ୍ଲୀ ଥାନାରେ ଅଭିଯୋଗ ପରେ ପୁଲିସ ୩୨୧ରେ ମାମଲା ରୁଜୁକରି ତଦନ୍ତ ଚଳାଇ ଆଜି ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ଦଫା ୩୪୧, ୩୨୩, ୩୨୪, ୨୯୪, ୫୦୬,୩୪ ଆଇପିସିରେ କୋର୍ଟ ଚାଲାଣ କରିଛି । ଗିରଫ ୨ ଅଭିଯୁକ୍ତ ହେଲେ, କଟକ ନିଆଳିର ଇଶ୍ୱର ଦାସ ଓ ରେଣ୍ଟାଲ ସହିଦ ଲକ୍ଷ୍ମଣାନନ୍ଦ ବସ୍ତିର ମୁନା ଦାସ ।
ସୂଚନାଯୋଗ୍ୟଯେ, ଅଭିଯୋଗକାରୀ ସୂର୍ଯ୍ୟ ବାହାଦୁର ନୟାପଲ୍ଲୀ ଥାନା ଅନ୍ତର୍ଗତ ରେଣ୍ଟାଲ କଲୋନୀରେ ପରିବାର ସହିତ ରୁହନ୍ତି । ପୂର୍ବରୁ ଦୁଇ ଅଭିଯୁକ୍ତ ତାଙ୍କୁ କୌଣସି କାରଣକୁ ନେଇ ନାନା ପ୍ରକାର ଧମକ ଚମକ ଦେଇ ଆସୁଥିବା ବେଳେ ଏକାଧିକବାର ଆକ୍ରମଣ କରିବା ଲାଗି ପ୍ରୟାସ କରିଥିଲେ । ହେଲେ ଅଭିଯୋଗକାରୀ ଜଣଙ୍କ କୌଶଳ କ୍ରମେ ନିଜକୁ ଏହି ଆକ୍ରମଣରୁ ବଞ୍ଚିଯାଉଥିଲେ । ଗତ କାଲି ଅର୍ଥାତ ସୋମବାର ସନ୍ଧ୍ୟାରେ ଅଭିଯୁକ୍ତ ଦୁହେଁ ଅଭିଯୋଗକାରୀଙ୍କ ଘରକୁ ଯାଇ ତାଙ୍କୁ ଏବଂ ତାଙ୍କ ସ୍ତ୍ରୀଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳି ଗୁଲଜ କରିବା ସହିତ ହଠାତ ଅଭିଯୋଗକାରୀଙ୍କୁ ଲୁହା ରଡ ସାହାର୍ଯ୍ୟରେ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ଅଭିଯୋଗକାରୀ ଓ ତାଙ୍କ ସ୍ତ୍ରୀ ଗୁରୁତର ଆହତ ହୋଇଥିଲେ । ଅଭିଯୋଗକାରୀ ଏନେଇ ନୟାପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇ ଆଜି ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ।