ଚଉକି ପାଇଁ କଳି: ଇପ୍ସିତାଙ୍କୁ ଚାପୁଡା
ଭୁବନେଶ୍ୱର: ଚଉକି ପାଇଁ ଶଙ୍ଖ ଭବନରେ ହୋଇଛି ମହାଭାରତ । ଭାଷା ଅଭାଷା ଉଡ଼ିବା ସହ କଥା ଚାପୁଡ଼ା ଯାଏଁ ବି ଯାଇଛି । ଯାହାକୁ ନେଇ ବିଜେଡ଼ିରେ ଆଲୋଡ଼ନ ସୃଷ୍ଟି ହୋଇଛି । କ୍ଷମତାରୁ ଯିବା ପରେ ବିଜେଡ଼ି ନେତା ଓ ନେତ୍ରୀ କିଭଳି ଅମାନିଆ ହୋଇଯାଇଛନ୍ତି ଏଥିରୁ ତାହା ସ୍ପଷ୍ଟ ପ୍ରତୀୟମାନ । ଦଳର ପ୍ରତିଷ୍ଠା ଦିବସରେ ଏଭଳି ଯୁଦ୍ଧ ଦଳ ପାଇଁ ଶୁଭଙ୍କର ନୁହେଁ ବୋଲି ଚର୍ଚ୍ଚା ହେଉଛି ।
ଆଜି ଶଙ୍ଖଭବନରେ ବିଜେଡ଼ିର ପ୍ରତିଷ୍ଠା ଦିବସ ଆୟୋଜିତ ହୋଇଥିଲା । ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସହ ବହୁ ବରିଷ୍ଠ ନେତାମାନେ ବି ଯୋଗ ଦେଇଥିଲେ । ତେବେ କାର୍ଯ୍ୟକ୍ରମ ଆରମ୍ଭ ପୂର୍ବରୁ ଚଉକିକୁ ନେଇ କଳି ଆରମ୍ଭ ହୋଇଥିଲା । ମିଳିଥିବା ସୂଚନା ଅନୁସାରେ ମଞ୍ଚର ଆଗଧାଡ଼ିରେ ଯେତିକି ଚେୟାର ପଡ଼ିଥିଲା ସେଥିରେ ବହୁ ଆଗଧାଡ଼ିର ନେତା ବସିଥିଲେ । ତେବେ ବିଜେଡ଼ିର ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ଓ ଜଣେ ଯୁବ ନେତାଙ୍କ ପାଇଁ ଚଉକି ଅଣାଯାଇ ଆଗରେ ପଡ଼ିଲା । ଯାହାକୁ ପୁରୀ ଜିଲ୍ଲାର ପୁଷ୍ପାଞ୍ଜଳୀ ନାମକ ଜଣେ ମହିଳା ନେତ୍ରୀ ବିରୋଧ କରିଥିଲେ । ଆମେ ସକାଳୁ ଆସି ଆଗରେ ବସିଛୁ । ଆମ ଆଗରେ କାହିଁକି ଚେୟାର ପଡୁଛି ବୋଲି ସେ କହିଥିଲେ । ଅପରପକ୍ଷରେ ଇପ୍ସିତା ଚଉକି ପଡ଼ିବ ବୋଲି କହିବାରୁ ଝଗଡ଼ା ଆରମ୍ଭ ହୋଇଥିଲା । ଉଭୟ ନେତ୍ରୀ କଳି କରିବା ସହ ଭାଷା ଅଭାଷା ବି ଉଡ଼ିଥିଲା । ଉତକ୍ଷିପ୍ତ ହୋଇ ସେ ଇପ୍ସିତାଙ୍କୁ ଚାପୁଡ଼ା ମାରିଥିଲେ । ଯାହାର ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେବାରେ ଲାଗିଛି ।