ଚତୁର୍ଭୁଜପୁର ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ବନ୍ଦ, ଏବିଇଓଙ୍କ ଅନୁଧ୍ୟାନ

 ଭଣ୍ଡାରିପୋଖରୀ: ଭଣ୍ଡାରିପୋଖରୀ ଗୋଷ୍ଠୀ ଶିକ୍ଷା ବିଭାଗ ଅନ୍ତର୍ଗତ ମାଳଦା ପଞ୍ଚାୟତ ଚତୁର୍ଭୁଜପୁର ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାନ୍ନ ଭୋଜନ ଗୁରୁବାର ବନ୍ଦ ରହିଥିବା ଜଣାଯାଇଛି । ପ୍ରଥମରୁ ପଞ୍ଚମ ପର୍ଯ୍ୟନ୍ତ ଶ୍ରେଣୀ ପର୍ଯ୍ୟନ୍ତ ଏହି ବିଦ୍ୟାଳୟର ପିଲା ସଂଖ୍ୟା ୪୧ । ଶିକ୍ଷାଦାନ ପାଇଁ ନିୟୋଜିତ ଅଛନ୍ତି ୨ ଶିକ୍ଷକ । ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଗଣେଶ ପ୍ରସାଦ ରାଉତ ଓ ସହକାରୀ ଶିକ୍ଷୟତ୍ରୀ ସୁମିତ୍ରା ସାମଲ । ଗୁରୁବାର ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ଥିଲା ୩୦ । 
ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଗଣେଶ ପ୍ରସାଦ ରାଉତ ଗତ ୨୫ ତାରିଖରୁ ୨୮ ତାରିଖ ବୁଧବାର ପର୍ଯ୍ୟନ୍ତ ପ୍ରଶିକ୍ଷଣ ଶିବିରରେ ଯୋଗଦେଇଥିଲେ । ତାଙ୍କ ଅନୁପସ୍ଥିତିରେ ମଧ୍ୟାନ୍ନ ଭୋଜନ ଦାୟିତ୍ୱ ୩ ଦିନ ପାଇଁ ସହକାରୀ ଶିକ୍ଷୟତ୍ରୀଙ୍କୁ ବାଦ ଦେଇ ବିଦ୍ୟାଳୟ ପରିଚାଳନା କମିଟି ସଭାନେତ୍ରୀ ଆରତୀ ପରିଡାଙ୍କୁ ଦେଇଥିଲେ । ଗୁରୁବାର ବିଦ୍ୟାଳୟରେ ଯୋଗ ନଦେଇ ଛୁଟିରେ ରହିଥିଲେ । ୩ ଦିନ ପାଇଁ ମଧ୍ୟାନ୍ନ ଭୋଜନ ଦାୟିତ୍ୱ ପ୍ରଧାନଶିକ୍ଷକ ଦେଇଥିବାରୁ ଓ ଗୁରୁବାର ପାଇଁ ଦାୟିତ୍ୱ ଦେଇ ନଥିବାରୁ ସଭାନେତ୍ରୀ ମଧ୍ୟାନ୍ନ ଭୋଜନ ଆରମ୍ଭ କରିନଥିଲେ । ଅନ୍ୟପକ୍ଷରେ ଅସୂୟା କାରଣରୁ ସହକାରୀ ଶିକ୍ଷୟତ୍ରୀଙ୍କୁ ମଧ୍ୟାନ୍ନ ଭୋଜନ ଦାୟିତ୍ୱ ପ୍ରଧାନଶିକ୍ଷକ ଦେଇନଥିବାରୁ ସେ ମଧ୍ୟ ରୋଷେଇ କଥା ବୁଝିନଥିଲେ । ଫଳରେ ଗୁରୁବାର ମଧ୍ୟାନ୍ନ ଭୋଜନ ବନ୍ଦ ରହିଥିଲା । ସହକାରୀ ଶିକ୍ଷୟତ୍ରୀ ମଧ୍ୟ ଏ ସମ୍ପର୍କରେ ବ୍ଲକ ଶିକ୍ଷା କାର୍ଯ୍ୟାଳୟକୁ ଜଣାଇନଥିଲେ । ପିଲାମାନେ ମଧ୍ୟାନ୍ନରେ ଉପାସ ରହିଥିବା ଦେଖି ସହକାରୀ ଶିକ୍ଷୟତ୍ରୀ ୫ଟଙ୍କିଆ ବିସ୍କୁଟ ପ୍ୟାକେଟ ପିଲାଙ୍କୁ ଧରାଇ ଦେଇଥିଲେ । ଅଭିଭାବକମାନଙ୍କ ଠାରୁ ସୂଚନା ପାଇ ଶିକ୍ଷା ସଂଯୋଜକ ବିଦ୍ୟାଳୟରେ ପହଞ୍ଚôଥିଲେ । ପରେ ଗୋଷ୍ଠୀ ଶିକ୍ଷା ସଂଯୋଜକ ଅକ୍ଷୟ କୁମାର ଜେନା ଓ ଏବିଇଓ ମଞ୍ଜୁଳା ନାୟକ ବିଦ୍ୟାଳୟରେ ପହଞ୍ଚô ପଚରାଉଚରା କରିଥିଲେ । ଶୁକ୍ରବାର ଏଥିନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଶ୍ୱାସନା ଦେଇ ଫେରିଯାଇଥିବା ଜଣାଯାଇଛି । ପ୍ରଧାନଶିକ୍ଷକ ଓ ସହକାରୀ ଶିକ୍ଷୟତ୍ରୀ ଉଭୟ ଗଣଶିକ୍ଷକ ହୋଇନଥିବାରୁ ସେମାନଙ୍କ ମଧ୍ୟରେ ଅହିନକୁଳ ସମ୍ପର୍କରୁ ଏଭଳି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି ।