ଚର୍ଚ୍ଚାରେ ଉପରାଷ୍ଟ୍ରପତିଙ୍କ ଉଦ୍ବେଗ


ଗୋପାଳ ମହାପାତ୍ର : ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ଏକ ନୂଆ ବିତର୍କ ସୃଷ୍ଟି ହୋଇଛି । ଉପରାଷ୍ଟ୍ରପତି ଧନଖଡ଼ କହିଛନ୍ତି ଯେ, “ଦେଶ ଏମିତି ଗଣତନ୍ତ୍ରର କଳ୍ପନା କରି ନଥିଲା ଯେଉଁଠି ବିଚାରପତି ଆଇନ୍ ପ୍ରଣୟନ କରିବେ, କାର୍ଯ୍ୟ ପାଳିକାର କାମ ବି କରିବେ ଏବଂ ସୁପର ସାଂସଦ ଭଳି କାମ କରିବେ । ଅନୁଛେଦ ୧୪୨ ନ୍ୟାୟପାଳିକା ପାଇଁ ନୁ୍ୟକ୍ଲିୟର ମିଶାଇଲ ପାଲଟି ଯାଇଛି । ଗଣତାନ୍ତ୍ରିକ ପ୍ରକ୍ରିୟାକୁ ଅଣଦେଖା କରାଯାଇ ଏହାର ଉପଯୋଗ କରାଯାଉଛି ।” ଉପରାଷ୍ଟ୍ରପତି ଜଣେ ଆଇନ ବିଷାରଦ । ରାଜସ୍ଥାନ ହାଇକୋର୍ଟ ଠାରୁ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଓକିଲାତି କରିଛନ୍ତି । ଉପରାଷ୍ଟ୍ରପତି ହେବା ପୂର୍ବରୁ ପଶ୍ଚିମବଂଗର ରାଜ୍ୟପାଳ ମଧ୍ୟ ଥିଲେ । ଏଭଳି ଜଣେ ବିଦ୍ୱାନ ଉପରାଷ୍ଟ୍ରପତି ଯେତେବେଳେ ନ୍ୟାୟପାଳିକାକୁ ନେଇ ମନ୍ତବ୍ୟ ଦେଉଛନ୍ତି ସେତେବେଳେ ତାଙ୍କ ମନ୍ତବ୍ୟର ନିହିତାର୍ଥ କ’ଣ ସେକଥା ମଧ୍ୟ ବୁଝିବା ଆବଶ୍ୟକ ।
ଦେଶର ସମ୍ବିଧାନ ଅନୁସାରେ ରାଷ୍ଟ୍ରପତି ଏବଂ ସୁପ୍ରିମ୍ କୋର୍ଟଙ୍କ କାର୍ଯ୍ୟ ନିର୍ଦ୍ଧାରିତ ହୋଇଛି । ନିୟମତଃ ବିଧାୟିକାର କାର୍ଯ୍ୟ ହେଲା ଆଇନ ପ୍ରଣୟନ କରିବା । କାର୍ଯ୍ୟପାଳିକା ଉକ୍ତ ଆଇନ୍କୁ କାର୍ଯ୍ୟକାରୀ କରିଥାଏ ଏବଂ ନ୍ୟାୟପାଳିକା ଆଇନ୍ର ବ୍ୟାଖ୍ୟା କରିବା ସହ ବିବାଦର ସମାଧାନ କରିଥାଏ । ଗଣତନ୍ତ୍ରର ଏହି ତିନି ସ୍ତମ୍ଭର ଉପରେ ରହିଛନ୍ତି ଭାରତର ରାଷ୍ଟ୍ରପତି । ସୁପ୍ରିମ୍ କୋର୍ଟର ବିଚାରପତି ନିଯୁକ୍ତି ମଧ୍ୟ ରାଷ୍ଟ୍ରପତି କରିଥାନ୍ତି । ରାଷ୍ଟ୍ରପତି ନ୍ୟାୟାଳୟର ସମ୍ମାନରେ ହିଁ ସୁପ୍ରିମକୋର୍ଟର କଲେଜିୟମର ସୁପାରିଶକୁ ଭିତ୍ତିକରି ବିଚାରପତିଙ୍କୁ ନିଯୁକ୍ତି ଦେଇଥାନ୍ତି । ରାଷ୍ଟ୍ରପତି ଚାହିଁଲେ କୌଣସି ବିଚାରପତିଙ୍କୁ ତାଙ୍କ ପଦରୁ ହଟାଇ ପାରିବେ । ଯେତେବେଳେ ଦେଶରେ କୌଣସି ମାମଲାରେ ଆଇନ ସମ୍ପର୍କିତ ପ୍ରଶ୍ନ ଉଠେ ସେତେବେଳେ ରାଷ୍ଟ୍ରପତି ତାଙ୍କ ଅଧିକାରର ଉପଯୋଗ କରିପାରନ୍ତି; ଏପରିକି ଅଦାଲତକୁ ମଧ୍ୟ ନିଦେ୍ର୍ଦଶ ଦେଇ ପାରିବାର ଅଧିକାର ତାଙ୍କ ପାଖରେ ରହିଛି ।
ଏ ସବୁ ପରେ ସୁପ୍ରିମ୍କୋର୍ଟଙ୍କ ପକ୍ଷରୁ ଦିଆ ଯାଇଥିବା ମୃତୁ୍ୟଦଣ୍ଡ (ଫାସୀ) ପ୍ରସଙ୍ଗରେ ନିଜର ଅଧିକାରର ଉପଯୋଗ କରି ଅପରାଧୀକୁ ରାଜକ୍ଷମା ପ୍ରଦାନ କରିବାର ଅଧିକାର ମଧ୍ୟ ରାଷ୍ଟ୍ରପତିଙ୍କର ରହିଛି । ରାଷ୍ଟ୍ରପତି ହେଉଛନ୍ତି ଦେଶର ତିନିସେନା ବାହିନୀର ମୁଖ୍ୟ । ଏଣୁ ସମ୍ବିଧାନ ଭାରତର ରାଷ୍ଟ୍ରପତିଙ୍କୁ ଅପାର ଶକ୍ତି ପ୍ରଦାନ କରିଛି ଯାହାଙ୍କୁ କୌଣସି ନ୍ୟାୟାଳୟର ସୀମା ଭିତରେ ବାନ୍ଧି ରଖାଯାଇ ପାରିବ ନାହିଁ କାରଣ ରାଷ୍ଟ୍ରପତି ନ୍ୟାୟାଳୟର ସୀମାର ଊଦ୍ଧ୍ୱର୍ରେ । ଦେଶର ସମ୍ବିଧାନ ଅନୁସାରେ ରାଷ୍ଟ୍ରପତି ଦେଶର ସର୍ବୋଚ୍ଚ ପଦ । ସୁପ୍ରିମ୍ କୋର୍ଟ ଦେଶର ସର୍ବୋଚ୍ଚ ନ୍ୟାୟିକ ସଂସ୍ଥା ହୋଇଥିବା କାରଣରୁ ରାଷ୍ଟ୍ରପତିଙ୍କୁ ପରାମର୍ଶ ଦେଇପାରିବେ କିନ୍ତୁ ରାଷ୍ଟ୍ରପତି ସୁପ୍ରିମ୍କୋର୍ଟଙ୍କ ପରାମର୍ଶକୁ ମାନିବେ କିମ୍ବା ନମାନିବେ ଏହା ତାଙ୍କ ବିବେକାଧୀନ ଅଟେ, ଅର୍ଥାତ୍ ନ୍ୟାୟାଳୟ ଦ୍ୱାରା ଦିଆଯାଇଥିବା ପରାମର୍ଶକୁ ରାଷ୍ଟ୍ରପତି ମାନିବାକୁ ବାଧ୍ୟ ନୁହଁନ୍ତି ।
ମୋଟାମୋଟି ଭାବେ କହିବାକୁ ଗଲେ ରାଷ୍ଟ୍ରପତି ବିଧାୟିକା, କାର୍ଯ୍ୟପାଳିକା ଓ ନ୍ୟାୟପାଳିକାର ଊଦ୍ଧ୍ୱର୍ରେ । ରାଷ୍ଟ୍ରପତିଙ୍କୁ ବିଧାୟିକା ନିର୍ବାଚନ କରିଥାନ୍ତି ଏବଂ ଗଣତାନ୍ତ୍ରିକ ବ୍ୟବସ୍ଥା ଅନୁସାରେ ବିଧାୟିକା (ସାଂସଦ ବିଧାୟକ) ହେଉଛି, ଜନତାଙ୍କ ଦ୍ୱାରା ନିର୍ବାଚିତ ବା ଅନ୍ୟ ଅର୍ଥରେ ଜନପ୍ରତିନିଧି । ଜନତାଙ୍କ ଦ୍ୱାରା ନିର୍ବାଚିତ ପ୍ରତିନିଧି ବା ବିଧାୟିକା ଉପରେ ନ୍ୟାୟାପାଳିକା ଅଙ୍କୁଶ ଲଗାଇବା ଭଳି କାର୍ଯ୍ୟ କରୁଛି । ଉଦାହରଣ ହେଉଛି ସୁପ୍ରିମକୋର୍ଟ ନିକଟରେ ରାଷ୍ଟ୍ରପତି ଏବଂ ରାଜ୍ୟପାଳମାନଙ୍କୁ ବିଧେୟକକୁ ଅନୁମୋଦନ କରିବାର ସମୟସୀମା ଧାର୍ଯ୍ୟ କରିଛି । ଏହାକୁ ନେଇ ଉପରାଷ୍ଟ୍ରପତି ଧନଖଡ଼ ଅସନ୍ତୋଷ ପ୍ରକାଶ କରିଛନ୍ତି । ଉପରାଷ୍ଟ୍ରପତି କହିଛନ୍ତି ଯେ ଅଦାଲତ ରାଷ୍ଟ୍ରପତିଙ୍କୁ ଆଦେଶ ଦେଇ ପାରିବେ ନାହିଁ । ଅନୁଛେଦ ୧୪୨ ଅନୁସାରେ ସୁପ୍ରିମ୍ କୋର୍ଟ ପୂର୍ଣ୍ଣ ନ୍ୟାୟ ପାଇଁ କୌଣସି ଆଦେଶ, ନିଦେ୍ର୍ଦଶ ଓ ନିଷ୍ପତ୍ତି ଦେଇ ପାରିବେ । ଯେକୌଣସି ମାମଲାରେ ଏହା ପ୍ରଯୁଜ୍ୟ । କିନ୍ତୁ ନ୍ୟାୟପାଳିକା ମନେ ରଖିବା ଉଚିତ୍ ଯେ ଗଣତାନ୍ତ୍ରିକ ବ୍ୟବସ୍ଥାରେ ନିର୍ବାଚିତ ହୋଇ ଗଠନ କରାଯାଇଥିବା ସରକାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଏବଂ ସବୁ ସଂସ୍ଥାମାନେ ନିଜନିଜ ସୀମା ମଧ୍ୟରେ ରହି କାମ କରିବା ଆବଶ୍ୟକ । କୌଣସି ସଂସ୍ଥା ସମ୍ବିଧାନର ଊଦ୍ଧ୍ୱର୍ରେ ନୁହେଁ ।
ଉପରାଷ୍ଟ୍ରପତି ଧନଖଡ୍ ଏବେ ବିଧେୟକକୁ ମଞ୍ଜୁରି ଦେବା ପ୍ରସଙ୍ଗରେ ସୁପ୍ରିମକୋର୍ଟ ଯେଉଁ ସମୟ ସୀମା ନିର୍ଦ୍ଧାରଣ କରିଛନ୍ତି ତାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି । ଉପରାଷ୍ଟ୍ରପତିଙ୍କ ଚିନ୍ତା ଉପରେ ବ୍ୟାପକ ବିମର୍ଷ ମଧ୍ୟ ଆବଶ୍ୟକ । ଆଶ୍ଚର୍ଯ୍ୟର କଥା ଯେ ରାଷ୍ଟ୍ରପତିଙ୍କୁ ଧାର୍ଯ୍ୟ ସମୟ ମଧ୍ୟରେ ନିଷ୍ପତ୍ତି ନେବାପାଇଁ କୁହାଯାଇଛି ଏବଂ ରାଷ୍ଟ୍ରପତି ଯଦି ଧାର୍ଯ୍ୟ ସମୟସୀମା ମଧ୍ୟରେ ବିଧେୟକକୁ ଅନୁମୋଦନ ନ କରନ୍ତି ତେବେ ସମ୍ବନ୍ଧିତ ବିଧେୟକ ଆପେ ଆପେ ଆଇନ୍ରେ ପରିଣତ ହୋଇଯିବ ବୋଲି କୋର୍ଟ କହିଛନ୍ତି । ଉପରାଷ୍ଟପତିଙ୍କ ଚିନ୍ତା ଠିକ୍ । ଭାରତରେ ରାଷ୍ଟ୍ରପତି ସମ୍ବିଧାନର ରକ୍ଷା, ସଂରକ୍ଷଣ ଏବଂ କାର୍ଯ୍ୟକାରିତାର ଶପଥ ନେଇଥାନ୍ତି । କିନ୍ତୁ ମନ୍ତ୍ରୀ, ସାଂସଦ, ଏବଂ ବିଚାରପତିଙ୍କ ସମେତ ଅନ୍ୟମାନେ ସମ୍ବିଧାନର ପାଳନ କରିବାର ସପଥ ନେଇଥାନ୍ତି । ଏଣୁ କେଉଁ ଧାରାରେ ନ୍ୟାୟପାଳିକା ରାଷ୍ଟ୍ରପତିଙ୍କୁ ନିଦେ୍ର୍ଦଶ ଦେଇ ପାରିବେ ବୋଲି ପ୍ରଶ୍ନ କରିଛନ୍ତି ଧନଖଡ଼ । ସମ୍ବିଧାନର ଅନୁଛେଦ ୧୪୫ (୩) ଅନୁସାରେ ନ୍ୟାୟପାଳିକା ପାଖରେ ସମ୍ବିଧାନର ବ୍ୟାଖ୍ୟା କରିବାର ଏକମାତ୍ର ଅଧିକାର ଅଛି ବୋଲି କହିଛନ୍ତି ଧନଖଡ଼ । ଏହି ବ୍ୟାଖ୍ୟା ପାଇଁ ମଧ୍ୟ ୫ କିମ୍ବା ତାଠାରୁ ଅଧିକ ସଂଖ୍ୟକ ବିଚାରପତିଙ୍କର ଆବଶ୍ୟକତା ରହିଛି । ଉପରାଷ୍ଟ୍ରପତି ଧନଖଡ଼୍ଙ୍କ ସମ୍ବିଧାନର ବ୍ୟାଖ୍ୟା ପାଇଁ ବିଚାରପତିଙ୍କ ସଂଖ୍ୟାକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି । ସେ କହିଛନ୍ତି ଯେ ଯେତେବେଳେ ଅନୁଛେଦ ୧୪୫ (୩) ନିର୍ଦ୍ଧାରିତ କରାଯାଇଥିଲା ସେତେବେଳେ ସୁପ୍ରିମ୍କୋର୍ଟ ବିଚାରପତିଙ୍କ ସଂଖ୍ୟା ଥିଲା ୮ କିନ୍ତୁ ଏବେ ୩୦ରୁ ଅଧିକ ବିଚାରପତି ଅଛନ୍ତି । ୮ ବିଚାରପତି ଥିବାବେଳେ ୫ କିମ୍ବା ତା ଠାରୁ ଅଧିକ ବିଚାରପତିଙ୍କ ପୀଠ ସମ୍ବିଧାନର ବ୍ୟାଖ୍ୟା କରିବାର ନିୟମ ଥିଲା କିନ୍ତୁ ଏବେ ୩୦ରୁ ଅଧିକ ବିଚାରପତି ଥିବା ବେଳେ ସମ୍ବିଧାନର ବ୍ୟାଖ୍ୟା କେତେ ଜଣ ବିଚାରପତି କରିପାରିବେ? ତାମିଲନାଡୁ ସରକାର ଏବଂ ରାଜ୍ୟପାଳଙ୍କ ମାମଲାରେ ସୁପ୍ରିମକୋର୍ଟ ଯେଉଁ ନିଷ୍ପତ୍ତି ନେଇଛନ୍ତି ଏବଂ ସେଥିରେ ଯେଭଳି ଭାବେ ରାଷ୍ଟ୍ରପତିଙ୍କ ଅଧିକାରକୁ ଛୋଟ କରିବାପାଇଁ ପ୍ରୟାସ କରାଯାଇଛି ତାକୁ ଠିକ୍ ବୋଲି କୁହାଯାଇ ପାରିବ ନାହିଁ ବୋଲି ସ୍ପଷ୍ଟ ଭାବେ କହିଛନ୍ତି ଧନଖଡ । ଭାରତୀୟ ସାମ୍ବିଧାନିକ ବ୍ୟବସ୍ଥାରେ ପ୍ରଥମଥର ପାଇଁ ରାଜ୍ୟପାଳଙ୍କ ଅନୁମୋଦନ ବିନା ସୁପ୍ରିମକୋର୍ଟଙ୍କ ଆଦେଶରେ ବିଧେୟକ ଆଇନ୍ରେ ପରିଣତ ହୋଇଛି । ତ୍ାମିଲନାଡୁ ମାମଲାରେ ସୁପ୍ରିମ୍କୋର୍ଟ କହିଛନ୍ତି ଯେ ରାଜ୍ୟପାଳଙ୍କ ପାଖରେ ପୂର୍ଣ୍ଣ ବା ଆଂଶିକ ଭିଟୋର ଅଧିକାର ନାହିଁ ଏବଂ ବିଧାନସଭାରେ ଗୃହୀତ ବିଧେୟକୁ ରାଜ୍ୟପାଳ ଅଟକାଇ ରଖିପାରିବେ ନାହିଁ । ଏଥିସହ ସୁପ୍ରିମକୋର୍ଟ ରାଷ୍ଟ୍ରପତିଙ୍କ ଉଦେ୍ଦଶ୍ୟରେ କହିଛନ୍ତି ଯେ ଯଦି  କୌଣସି ରାଜ୍ୟର ବିଧେୟକ ରାଷ୍ଟ୍ରପତିଙ୍କ ପାଖକୁ ଅନୁମୋଦନ ପାଇଁ ଆସେ ତେବେ ରାଷ୍ଟ୍ରପତି ସୁପ୍ରିମକୋର୍ଟଙ୍କ ପରାମର୍ଶ ନେବେ ଏବଂ ବିଧେୟକକୁ ୩ମାସ ମଧ୍ୟରେ ଅନୁମୋଦନ କରିବେ । ବସ୍ତୁତଃ ଏହାକୁ ରାଷ୍ଟ୍ରପତିଙ୍କୁ ସୁପ୍ରିମକୋର୍ଟଙ୍କ ଆଦେଶ ବୋଲି କୁହାଯାଇପାରେ । ପ୍ରଶ୍ନ ଉଠିବା ସ୍ୱାଭାବିକ୍ ଯେ ସୁପ୍ରିମ୍ କୋର୍ଟ କ’ଣ ରାଷ୍ଟ୍ରପତିଙ୍କୁ ଆଦେଶ ଦେଇ ପାରିବେ? ସମ୍ବିଧାନ ନ୍ୟାୟପାଳିକାକୁ ଦେଇଥିବା ଅଧିକାର କ’ଣ ତ୍ରୁଟିପୂର୍ଣ୍ଣ ବ୍ୟାଖ୍ୟା  ବୋଲି ମଧ୍ୟ ପ୍ରଶ୍ନ ଉଠୁଛି ।
ରାମଚନ୍ଦ୍ରପୁର, ରଣପୁର
                                     ମୋ: ୯୪୩୮୪୮୫୦୯୪