ଚିକିତ୍ସା ପରେ ଜଙ୍ଗଲକୁ ଗଲା ଦନ୍ତା

 ଢେଙ୍କାନାଳ: ଦୀର୍ଘଦିନ ଧରି ଅସୁସ୍ଥ ଥିବା ୪ବର୍ଷର ଏକ ଦନ୍ତା ହାତୀକୁ ଚିକିତ୍ସା ପରେ ଜଙ୍ଗଲରେ ଛଡାଯାଇଥିବା ଜଣାପଡିଛି । ଉକ୍ତ ଦନ୍ତା ହାତୀର ଆଗ ଓ ପଛ ଗୋଡ଼ରେ ଆଘାତ ଲାଗିଥିଲା । ଯାହାଫଳରେ ସେ କରମୂଳ ଗ୍ରାମ ପଂଚାୟତ ଅଧୀନ ଅଶ୍ୱଖୋଲା ଓ ଆଖପାଖ ଗ୍ରାମ ମଧ୍ୟରେ ଚଳପ୍ରଚଳ କରିବା ଫଳରେ ଜନସାଧାରଣମାନେ ଆତଙ୍କିତ ଭାବରେ ଥିଲେ । ଉକ୍ତ ଆଘାତ ପ୍ରାପ୍ତ ଦନ୍ତା ହାତୀକୁ ବନ ବିଭାଗ ପକ୍ଷରୁ ଧରିବା ପାଇଁ ୫ଦିନର ଅକ୍ଲାନ୍ତ ପରିଶ୍ରମ ପରେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ବନ ଅଧିକାରୀ ସୁମିତ କର, ଏସି ଏଫ ଓ ସତ୍ୟନାରାୟଣ ସାହୁଙ୍କ ଉପସ୍ଥିତରେ ଢେଙ୍କାନାଳ ହାତୀ ରେସକୁ୍ୟ ଟିମ୍ ଉକ୍ତ ଦନ୍ତାକୁ ଟ୍ରଙ୍କୁଲାଇଜର ଦେଇଥିଲେ । ପରେ କପିଳାସ ଜୁର ପ୍ରାଣୀଧନ ଚିକିତ୍ସକ ତାହାର ଆହତ ଗୋଡକୁ ଚିକିତ୍ସା କରିବା ପରେ ସେ ଭଲ ଥିବାର ଜଣାଥିବାରୁ ତାକୁ ଅଶ୍ୱଖୋଲା ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଛାଡ଼ ଯାଇଛି । ଏହି ଅବସରରେ ଷଡ଼ଙ୍ଗୀ ରେଞ୍ଜ ଅଧିକାରୀ ଗିରିଶ ଚନ୍ଦ୍ର ନାୟକଙ୍କ ସହିତ ଅନ୍ୟ ବନ କର୍ମଚାରୀମାନେ ଉପସ୍ଥିତ ରହିଥିଲେ ।