ଚୋରି ଘଟଣାକୁ ନେଇ ରାସ୍ତାରୋକ
ଫୁଲବାଣୀ : କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ଆମ୍ବେଦକର ଛକରେ ଥିବା ଫେବ୍ରିକେସନ ଦୋକାନୀ ପିତାମ୍ବର ସାହୁଙ୍କ ଘରୁ ଗତରାତିରେ ମାଉଜର ଦେଖାଇ ଚୋରି ହୋଇଥିଲା । ଏହି ଘଟଣାରେ ପୋଲିସର ନିଷ୍କ୍ରିୟତାକୁ ନେଇ ଗୋପାଳପୁର ଠାରୁ ରାୟପୁରକୁ ସଂଯୋଗ କରୁଥିବା ୫୯ ନମ୍ବର ଜାତୀୟ ରାଜପଥର ତୁମୁଡିବନ୍ଧର ଆମ୍ବେଦକର ଛକଠାରେ ରାସ୍ତା ରୋକ ହୋଇଥିଲା । ଦୀର୍ଘ ୪ ଘଣ୍ଟା ପରେ ବାଲିଗୁଡା ଏସ୍.ଡି.ପି.ଓ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା ପରେ ରାସ୍ତାରୋକୋ ହଟିଥିଲା । ସୂଚନା ଅନୁସାରେ, ପିତାମ୍ବର ନିଜ ପରିବାରକୁ ନେଇ ଗତରାତ୍ର ୮ ଘଣ୍ଟା ସମୟରେ ଶିବରାତ୍ରି ଦେଖିବାକୁ ଜଲେଶପଟା ଯାଇଥିଲେ । ସମୟ ପ୍ରାୟ ରାତ୍ର ୯.୩୦ ମିନିଟରେ ଘରକୁ ପରିବାର ଲୋକ ଫେରିଲେ । ରାତ୍ର ଭୋଜନ ସାରି ଶୋଇପଡିଲେ । ପ୍ରାୟ ୧୨ଟା ସମୟରେ ତାଙ୍କ ଭାଣିଜୀ ପରିଶ୍ରା କରିବା ପାଇଁ ବାରିପଟ କବାଟ ଖୋଲି ଶୌଚାଳୟକୁ ଯାଇଥିଲେ । ସେହି ସମୟରେ ମୁଖା ପିନ୍ଧା ୫ ଜଣ ମାଉଜର ଓ ଭୁଜାଲି ଧରି ଘରକୁ ପଶିଥିଲେ । ହଠାତ୍ ପିତାମ୍ବର ଓ ତାଙ୍କ ସ୍ତ୍ରୀଙ୍କୁ ମାଉଜର ଦେଖାଇ ଧୀରେ ଧୀରେ ପାଖକୁ ଯାଇ ମୁଣ୍ଡରେ ରଖିଲେ ଓ ପିତାମ୍ବରଙ୍କ ଆଖିରେ କଳାକନା ବାନ୍ଧି ପାଟିରେ ସେଲୋଟେପ୍? ଦେଇ ହାତ ଦୁଇଟାକୁ ପଛ କରି ବାନ୍ଧି ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କୁ ଜୀବନରେ ମାରି ଦେବା ଭଳି ଭୟଭୀତ କରି ଆଲମାରୀ ଚାବି ମାଗିଥିଲେ । ଜୀବନକୁ ରକ୍ଷା ପାଇବା ପାଇଁ ପିତାମ୍ବରଙ୍କ ସ୍ତ୍ରୀ ଚାବି ଦେଲେ । ଆଲମାରୀ ଚାବି ଖୋଲି ସୁନା ଗହଣା ସାତ ଭରି, ଏକ ଲକ୍ଷ ଟଙ୍କା ନେବା ସହିତ ୪ଟି ମୋବାଇଲ ଓ ଘରେ ଲାଗିଥିବା ସିସିଟିଭିର ହାର୍ଡଡିସ୍କକୁ ମଧ୍ୟ କାଡ଼ି ନେଇଛନ୍ତି । ଏହି ଘଟଣାକୁ ନେଇ ତୁମୁଡିବନ୍ଧ ଆମ୍ବେଦକର ଛକର ଗଣେଶ ବଣିକ ସଂଘ ଓ ତୁମୁଡିବନ୍ଧ ବଜାରର ଜଗନ୍ନାଥ ବଣିକ ସଙ୍ଘ ତରଫରୁ ବନ୍ଦ୍ ଡାକରା ଦିଆଯାଇ ଗୋପାଳପୁର ଠାରୁ ରାୟପୁରକୁ ସଂଯୋଗ କରୁଥିବା ୫୯ ନମ୍ବର ଜାତୀୟ ରାଜପଥର ଆମ୍ବେଦକର ଛକଠାରେ କାଠ, ବାଉଁଶ, ପଥର ଓ ଷ୍ଟାଣ୍ଡ ପୋଷ୍ଟ ରଖି ପୂର୍ବାହ୍ନ ୧୦ ଘଣ୍ଟାଠାରୁ ରାସ୍ତା ଅବରୋଧ କରିଥିଲେ । ଉଭୟ ଦୁଇ ଚକିଆ ଯାନଠାରୁ ଆରମ୍ଭ କରି ଭାରି ଯାନ ଗୁଡ଼ିକ ଅଟକି ରହିଥିଲା । ଯାତ୍ରୀମାନେ ହଇରାଣ ହେଉଥିବା ଦେଖିବାକୁ ମିଳିଥିଲା । ତୁମୁଡିବନ୍ଧ ମୁଖ୍ୟ ବଜାରରେ ଥିବା ଦୋକାନ ବଜାର ବନ୍ଦ କରିବା ସହ ରାସ୍ତା ଅବରୋଧ କରାଯାଇଥିବା ଦେଖାଯାଇଥିଲା । ତତ୍ ସହିତ ପୋଲିସର ନିଷ୍କ୍ରିୟତାକୁ ନିନ୍ଦା କରି ଚୋର ନ ଧରିବା ପର୍ଯ୍ୟନ୍ତ ଅନିର୍ଦ୍ଧିଷ୍ଟ କାଳ ଯାଏଁ ରାସ୍ତାରୁ ହଟିବୁନି ବୋଲି ରାସ୍ତାରେ ବସିଥିବା ଦୁଇ ବଣିକ ସଙ୍ଘ ଓ ଜନସାଧାରଣ ଦାବି କରିଥିଲେ । ତେବେ ଘଟଣାସ୍ଥଳରେ ତୁମୁଡିବନ୍ଧ ଥାନା ଅଧିକାରୀ ଆଶୁତୋଷ ଜେନା ଓ ପୋଲିସ ଫୋର୍ସ ମୁତୟନ ରହିଥିବା ବେଳେ ବାଲିଗୁଡା ଏସ.ଡି.ପି.ଓ ରାମେନ୍ଦ୍ର ପ୍ରସାଦ ଘଟଣାସ୍ଥଳରେ ପହଞ୍ଚି ପିତାମ୍ବର ସାହୁ ଏବଂ ଉଭୟ ବଣିକ ସଂଘର ସଦସ୍ୟଙ୍କ ସହ ଆଲୋଚନା କରିଥିଲେ । ସେହିପରି ତୁମୁଡିବନ୍ଧ ଅଞ୍ଚଳରେ ପୋଲିସ ପାଟ୍ରୋଲିଂ କରିବା ବିଭିନ୍ନ ଚୋରିହାରି ହେଉଥିବା ନେଇ ମଧ୍ୟ ଅବଗତ କରାଇଥିଲେ । ଚୋରକୁ ଧରାଯିବ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଅପରାହ୍ନ ୧ଘଣ୍ଟା ସମୟରେ ରାସ୍ତାରୋକୋ ହଟିଥିଲା ।