ଛାତ୍ରବୃତ୍ତି ସମୁଦ୍ରକୁ ଶଙ୍ଖେ : ଆଇଆଇଟି ଛାତ୍ର ହତାଶ
ଯାଜପୁର: ଅନୁସୂଚିତ ଜାତି, ଅନୁସୂଚିତ ଜନଜାତିର ଲୋକଙ୍କୁ ଜାତୀୟ ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଭାରତୀୟ ସମ୍ବିଧାନ ବହୁବିଧ କ୍ଷମତା ପ୍ରଦାନ କରିଛି । ଫଳରେ ଉଭୟ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରି ତାହାକୁ କାର୍ଯ୍ୟକାରୀ ମଧ୍ୟ କରୁଛନ୍ତି । କିନ୍ତୁ ଅମଲାତନ୍ତ୍ରର ବ୍ରିଟିଶ୍ରାଜ ମାନସିକତା ଯୋଗୁଁ ଏସବୁ ଯୋଜନା ପ୍ରକୃତ ହିତାଧିକାରୀଙ୍କ ଠାରୁ ଯୋଜନ ଦୂରରେ ରହିଯାଉଛି । ଆଇଆଇଟିରେ ପଢୁଥିବା ଜଣେ ଅନୁସୂଚିତ ଛାତ୍ରଙ୍କୁ ସମୁଦ୍ରକୁ ଶଙ୍ଖେ ଛାତ୍ରବୃତ୍ତ ମିଳିବା ଘଟଣାକୁ ନିଆଯାଇ ପାରେ । କୋରାଇ ବ୍ଲକ ଅନ୍ତର୍ଗତ ମକୁନ୍ଦପୁର ପଞ୍ଚାୟତ ଅଧୀନ ସୋଲପାଟିଆ ଗ୍ରାମର ମଧୁସୂଦନ ଜେନାଙ୍କ ପୁଅ ମଳୟ ଜେନା ଖଡଗପୁର ସ୍ଥିତ ଭାରତୀୟ ପ୍ରାଦ୍ୟୋଗିକ ସଂସ୍ଥାନରେ ଭୂତତ୍ୱ ବିଜ୍ଞାନରେ ଦ୍ୱିତୀୟ ବର୍ଷର ଛାତ୍ର । ସରକାରଙ୍କ ବିଧି ମୁତାବକ ସେ ଅନ୍ଲାଇନରେ ପୋଷ୍ଟ ମାଟ୍ରିକ ସ୍କୋଲାରସିପ୍ ଆବେଦନ କରିଥିଲେ । ମାତ୍ର ତାଙ୍କୁ ଆଜି ପର୍ଯ୍ୟନ୍ତ ମାତ୍ର ୫ ହଜାର ଟଙ୍କା ମିଳିଛି । ଅଦ୍ୟାବଧି ସେ ୧ଲକ୍ଷ ୮୦ ହଜାର ଟଙ୍କାରୁ ଊଦ୍ଧ୍ୱର୍ ଆଇଆଇଟି କେଜିପିରେ ଜମାକରି ସାରିଲେଣି । ଏହା ବାଦ ତାଙ୍କର ଆହୁରି ଅନ୍ୟାନ୍ୟ ଖର୍ଚ୍ଚ ମଧ୍ୟ ରହିଛି । ମଧୁସୂଦନ ଜଣେ ନାମମାତ୍ର ଚାଷୀ । ଯେନ ତେନ ଉପାୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଦୁଇ ବଖରା କରି ଦୁଇ ପୁଅ ଝିଅଙ୍କୁ ପାଠ ପଢାଉଛନ୍ତି । ମଳୟ ଜଣେ ମେଧାବୀ ଛାତ୍ର ଭାବରେ କେନ୍ଦୁଝର ସ୍ଥିତ ଧରଣୀ ଧର କଲେଜରୁ ୮୦ପ୍ରତିଶତ ମାର୍କରେ ଉଭୟ +୨ ଓ ସ୍ନାତକରେ ଉତୀର୍ଣ୍ଣ ହୋଇଛନ୍ତି । ପରେ ସର୍ବଭାରତୀୟ ଜାମ୍ ପରୀକ୍ଷାରେ ସଫଳତା ଲାଭ କରି ଆଇଆଇଟି ଖଡଗପୁରରେ ଭୂତତ୍ୱ ବିଜ୍ଞାନରେ ସ୍ନାତୋକତରରେ ଅଧ୍ୟୟନ କରୁଛନ୍ତି । ଅନୁସୂଚିତ ଜାତିଙ୍କ ପୋଷ୍ଟ ମାଟ୍ରିକ ସ୍କୋଲାରସିପ ମାର୍ଗଦର୍ଶିକା-୨୦୨୧ରେ ସିକୁ୍ୟରିଟି ମନିକୁ ଛାଡିଦେଲେ ବାକି ସବୁ ଦେୟ ସରକାରଙ୍କ ପକ୍ଷରୁ ସ୍କୋଲାରସିପ ମାଧ୍ୟମରେ ବହନ କରାଯାଇଥାଏ । ଛାତ୍ରାବାସରେ ରହୁଥିବା ଛାତ୍ରଙ୍କ ପାଇଁ ବାର୍ଷିକ ୧୩,୫୦୦ ଟଙ୍କା ମଧ୍ୟ ମିଳେ । କେଉଁ ନିୟମ ଆଧାରରେ ମଳୟଙ୍କୁ ପାଂଚ ହଜାର ମିଳିଲା ତାହା ନିହାତି ତଦନ୍ତ ସାପେକ୍ଷ । କେବଳ ମଳୟ ନୁହଁନ୍ତି ତାଙ୍କ ସାଙ୍ଗମାନେ ମଧ୍ୟ ଏପରି କମ୍ ଛାତ୍ରବୃତ୍ତି ପାଇଛନ୍ତି । ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କ ଠାରୁ ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ଯେତେ ଅଭିଯୋଗ କଲେ ମଧ୍ୟ କିଛି ସୁଫଳ ମିଳିନାହିଁ । ଫ୍ରିସିପ୍ କାର୍ଡ ମାଧ୍ୟମରେ ସରକାର ମେଧାବୀ ଛାତ୍ରଙ୍କୁ ମାଗଣାରେ ଆଡ୍ମିନଶନ କରିବାର ବ୍ୟବସ୍ଥା କରିଛନ୍ତି । ଏହି ସବୁ ନିୟମ ସରକାରୀ ନାଲି ଫିତା ତଳେ ଚାପି ହୋଇଯାଉଛି । ଏଘଟଣାର ତଦନ୍ତ କରି ମଳୟ ଓ ତାଙ୍କ ସାଙ୍ଗ ମାନଙ୍କୁ ଉପଯୁକ୍ତ ଛାତ୍ରବୃତି ବିଗତ ବର୍ଷରୁ ପିଛିଲା ଭାବେ ପ୍ରଦାନ କରିବାକୁ ସାଧାରଣରେ ଦାବି ହେଉଛି । ଜାଣିଶୁଣି କର୍ତବ୍ୟରେ ଅବହେଳା କରି ଏପରି ଅକ୍ଷମଣୀୟ ଅପରାଧ କରୁଥିବା ଅଧିକାରୀଙ୍କ ବିରୋଧରେ ପୋଆ ଆଇନର ଧାର ୪ ଅନୁସାରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଭୀମ ଆର୍ମି ରାଜ୍ୟ ସଚିବ ଭୈରବ ବେହେରା ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।