ଜଗନ୍ନାଥ ସଂସ୍କୃତି ପ୍ରଚାର ପ୍ରସାରରେ ସମର୍ପିତ ଗଣେଶ୍ୱର 

 ଦାନଗଦୀ: ଅଖ୍ୟାତ ପଲ୍ଲୀରେ ଜନ୍ମଲାଭ କରିଥିଲେ । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ନିଜ ଜୀବନକୁ ସମର୍ପି ଦେଇଛନ୍ତି ଗଣେଶ । ଗଣେଶ୍ୱର ବେହେରା, ଯାଜପୁର ଜିଲା ଯଖପୁରା ପଞ୍ଚାୟତର ବାଳୁଙ୍ଗାବନ୍ଦୀ ଗାଁରେ ଘର । ବାବାଜୀ ଚରଣ ବେହେରା ଓ ମାତା ହେମଲତା ବେହେରାଙ୍କ ପୁଅ ଗଣେଷ ୧୯୭୩ମସିହା ମାର୍ଚ୍ଚ ମାସ ୨୧ତାରିଖରେ ଜନ୍ମ ଗ୍ରହଣ କରିଥିଲେ । ଗୋପାଳ ପରିବାରରେ ଜନ୍ମଲାଭ କରିଥିବା ଗଣେଶ ତିନି ଭଉଣୀ ଓ ଦୁଇ ଭାଇଙ୍କ ମଧ୍ୟରେ ଥିଲେ ବଡ଼ । 
ଗାଁ ପ୍ରାଥମିକ ବିଦ୍ୟାଳୟରେ ପ୍ରାଥମିକ ଶିକ୍ଷା କଲା ପରେ ମାମୁଁଘର ଜେନାପୁରରେ ଷଷ୍ଠ ଓ ସପ୍ତମ ଶ୍ରେଣୀରେ ପାଠ ପଢିଲେ । ପରେ ବ୍ୟାସନଗର ଏନସିହାଇସ୍କୁଲରୁ ଦଶମ ପାସ୍ରେ ଜେନାପୁର କଲେଜରେ ଅଧ୍ୟୟନ ପାଇଁ ନାମ ଲେଖାଇଲେ । ତୁଳସୀ ଦୁଇ ପତ୍ରରୁ ବାସିଲା ପରି ଛାତ୍ର ଜୀବନରୁ ଗଣେଶଙ୍କ ସେବା କାର୍ଯ୍ୟ ପ୍ରତି ମନ ବଳାଇଥିଲୋ । ପିଲାବେଳୁ ସେ ଛତିଆ ବଟ ଆଶ୍ରତି ହୋଇଥିଲେ । ଗାଁରେ ଥିବା ମନ୍ଦିର, ଗ୍ରାମଦେବତୀଙ୍କର ସେବା କାର୍ଯ୍ୟ କରିବା ସହ ଆଖପାଖରେ ଥିବା ମନ୍ଦିର ଗୁଡିକରେ ଯେ କୌଣସି ପୂଜା ପର୍ବ ହେଲେ ସେ ପହଁଚି ଯାଇ ସେବା କାର୍ଯ୍ୟମାନ କରୁଥିଲେ ।୨୦୦୯ ମସିହାରେ ସେ ଶ୍ରୀଜଗନ୍ନାଥଙ୍କ ଧାମ ପୁରୀରେ ପହଁଚି ମହାପ୍ରଭୁଙ୍କର ସଂସ୍କୃତି ପ୍ରଚାର ପ୍ରସାର ପାଇଁ ଜୀବନକୁ ସମର୍ପଣ କରିବେ ବୋଲି ଚାରଣକ୍ୟ ଗୋଷ୍ଠୀଙ୍କ ସହଯୋଗ ଲୋଡିଲେ । ସେହିଦିନ ଠାରୁ ସେ ଆଉ କେବେ ପଛକୁ ଚାହିଁ ନାହାଁନ୍ତି । ଗଣେଶ୍ୱର ପ୍ରତିଦିନ ପ୍ରତୁ୍ୟଷରୁ ଉଠି ସ୍ନାନ ଶୌଚାଦି ସାରି ଶୁଦ୍ଧପୁତ ଭାବେ ମହାପ୍ରଭୁଙ୍କର ପୂଜା ସାରି, ଗୋ ସେବା, ନିର୍ମାଲ୍ୟ ସେବା ଓ ତୁଳସୀ ସେବା ପରେ ସେବା କାର୍ଯ୍ୟ ନିମନ୍ତେ ଚାରଣଗୋଷ୍ଠୀରେ ଯେଉଁ ଜିଲାରେ କାର୍ଯ୍ୟକ୍ରମ ଥାଏ ସେ ବାହାରି ପଡନ୍ତି । ଆଜକୁ ୧୭ ବର୍ଷ ହେବ ଶ୍ରୀକ୍ଷେତ୍ର ଜଗନ୍ନାଥ ଧାମ ପୁରୀରେ ପ୍ରତ୍ୟେକ ବର୍ଷ ରଥଯାତ୍ରା ସମୟରେ ଗୁଣ୍ଡିଚା ଯାତ୍ରାରୁ ବାହୁଡାÿ ଯାତ୍ରା ପଯ୍ୟନ୍ତ ସେଠାରେ ରହି ସେବା କାର୍ଯ୍ୟରେ ନିଜକୁ ନିୟୋଜିତ କରିଥାନ୍ତି । ଓଡ଼ିଶାରେ ନୁହେଁ ଓଡିଶା ବାହାରେ ଦ୍ୱାରିକା ଧାମ, ରାମେଶ୍ୱର ଧାମ, ହରିଦ୍ୱାର, ବଦ୍ରୀନାଥ ଯାତ୍ରା କରି ମାସ ମାସ ରହି ଶ୍ରୀ ଜଗନ୍ନାଥଙ୍କର ସଂସ୍କୃତିର ପ୍ରଚାର ଓ ପ୍ରସାର ପ୍ରତ୍ୟେକ ସହର, ଗାଁ ଗାଁରେ ଭ୍ରମଣ କରି କରିଥାନ୍ତି । ଗାଁ ମାନଙ୍କରେ ପ୍ରବଚନ, ବିଷ୍ଣୁ ସହସ୍ର ନାମ, ଗୀତା ପାଠ, ହନୁମାନ ଚାଳିଶା, ଭାଗବତ ପାଠ ସହ ସେବା କାର୍ଯ୍ୟ କରିଥାନ୍ତି । ତାଙ୍କ ଚାରଣ ଗୋଷ୍ଠୀ ଦଳର ମୁଖ୍ୟ ଲକ୍ଷ୍ୟ ହେଲା ସୁସ୍ଥ ଓ ସୁନ୍ଦର ସମାଜ ଗଠନ କରିବା ବୋଲି ସେ କୁହନ୍ତି । ସେ ଅନ୍ୟ ରାଜ୍ୟ ମାନଙ୍କରେ ଜଗନ୍ନାଥ ସମ୍ବିଳନୀ ମାନ କରି ଯୁଗେ ଯୁଗେ ଜଗନ୍ନାଥ, ଜନ୍ମ ଜାତକ ଠାରୁ ବିଭାଘର ଓ ମୃତୁ୍ୟ ପର୍ଯ୍ୟନ୍ତ କିପରି ମହାପ୍ରଭୁ ମନୁଷ୍ୟ ସହ ଅଛନ୍ତି ତାହା ବୁଝାଇ ଥାଆନ୍ତି । ଜନ୍ମ ସମୟରେ ଜଗନ୍ନାଥଙ୍କ ନାମ, ଯେତେ ଶୁଭ କର୍ମ ବିବାହ କର୍ମରେ ଜଗନ୍ନାଥଙ୍କ ନାମ, ମୃତୁ୍ୟ ସମୟରେ ନିର୍ମାଲ୍ୟ ଓ ମହାପ୍ରସାଦ ସୃଷ୍ଟିର ଆରମ୍ଭରୁ ଶେଷ ପ୍ରଯ୍ୟନ୍ତ ମହାପ୍ରଭୁ କିପରି ମାନବ ସମାଜ ସହ ଜଡିତ ତାହା ବୁଝାଇ କୁହନ୍ତି । ଗଣେଶ୍ୱର ବର୍ଷା ଋତୁରେ ବୃକ୍ଷ ରୋପଣ କାର୍ଯ୍ୟ କରିଥାନ୍ତି, ସେ ଚଣ୍ଡିଖୋଲ ଜଗନ୍ନାଥ ମନ୍ଦିର ପରିସର, ସୁକିନ୍ଦା ହାତିବାରୀ ଜଗନ୍ନାଥ ମନ୍ଦିର ପରିସରରେ, ରାବଣା, ମାନତିରା, ଜଗତସିଂହପୁର, ଆଠଗଡର ବିଭିନ୍ନ ସ୍ଥାନରେ ନିମ୍ବ ଓ ତୁଳସୀ, ବର, ଅଶ୍ୱତଥ ବୃକ୍ଷ ରୋପଣ କରିଛନ୍ତି । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ବିଗ୍ରହଙ୍କୁ ସାଙ୍ଗରେ ନେଇ ଓଡିଶାର କୋଣ ଅନୁକୋଣେ ବହୁତ ଗାଁ ରେ ନଗର ପରିକ୍ରମା କରି ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ଜାରୀ ରଖିଛନ୍ତି । ଏହି ସବୁ ସେବା କାର୍ଯ୍ୟ କରୁଥିବାରୁ ତାଙ୍କୁ ବିଭିନ୍ନ ଅନୁଷ୍ଠାନରୁ ପ୍ରମାଣ ପତ୍ର ସହ ସମ୍ବର୍ଦ୍ଧିତ କରାଯାଇଛି । ସେବା କାର୍ଯ୍ୟ କରି ଓଡିଶାରୁ ମ୍ୟାଜିକ ବୁକ ଅଫ ରେକର୍ଡରେ ୨୦୨୪ ମସିହାରେ ଭୁବନେଶ୍ୱରରୁ ବେଷ୍ଟ ଆଚିଭିମେଂଟ ସେବା ରନô ଆୱାର୍ଡ ପୁରସ୍କାର ପାଇଛନ୍ତି । ଭାରତୀୟ ନୃତ୍ୟ ଏକାଡେମିରୁ ଭାରତୀୟ କଳାଶ୍ରୀ ସମ୍ମାନ ପୁରସ୍କାର, ମହାବିଷୁବ ସାଂସ୍କୃତିକ ପରିଷଦ ଖରଡି, ଯାଜପୁରରୁ ପ୍ରତିଭା ପୂଜା ସମ୍ମାନ ଭାବେ ଗ୍ରାମ ଜ୍ୟୋତି ସମ୍ମାନ ପାଇଛନ୍ତି । ଜଗନ୍ନାଥଙ୍କ ସେବକ ଗଣେଶ୍ୱର ଜଣେ ଶାନ୍ତ ସରଳ, ନିଷ୍କପଟ, ନିସ୍ୱାର୍ଥପର, ମିଷ୍ଟଭାଷୀ, ପରୋପକାରୀ ଓ ଜଗନ୍ନାଥ ପ୍ରେମୀ ବ୍ୟକ୍ତିତ୍ୱ । ଗଣେଶ୍ୱର ଜଣେ ଭଗବତ ବିଶ୍ୱାସୀ, ସେବା ଓ ରାଷ୍ଟ୍ରହିତର କଲ୍ୟାଣ ସାଧକ ଭାବେ ନିଜ ଜୀବନକୁ ଯେପରି ଭାବେ ମହାପ୍ରଭୁଙ୍କ ଶ୍ରୀ ଚରଣ ତଳେ ସମର୍ପିତ କରିଦେଇଛନ୍ତି । ସେ କୁହନ୍ତି ଜୀବନର ଶେଷ ରକ୍ତବିନ୍ଦୁ ଥିବା ଯାଏ ଏମିତି ମହାପ୍ରଭୁ ଜଗନ୍ନାଥଙ୍କର ନାମ ପ୍ରଚାର ପ୍ରସାର କରୁଥିବି ।